କଟକ : ହତ୍ୟା ଷଡ଼ଯନ୍ତ୍ରରେ ସଂପୃକ୍ତ ଥିବା ଅଭିଯୋଗରେ କଟକ ମହାନଗର ନିଗମର କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ମଙ୍ଗଳବାର ଓଡ଼ିଶା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଛି। ୨୦ହଜାର ଟଙ୍କାର ବଣ୍ଡ ସାଙ୍ଗକୁ ଦୁଇଜଣ ସିଓରିଟି ସହିତ ହାଇକୋର୍ଟ ତାଙ୍କୁ ଜାମିନ୍ ଦେଇଛନ୍ତି। ଏଥିସହିତ ତଦନ୍ତରେ ସାହାଯ୍ୟ କରିବା ନେଇ ସର୍ତ୍ତ ବି ରଖିଛନ୍ତି ହାଇକୋର୍ଟ।
ସୂଚନାଯୋଗ୍ୟ, ୨୮ ବର୍ଷ ବୟସ୍କା ମହିଳା କର୍ପୋରେଟର ରଂଜିତା ହେଉଛନ୍ତି ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ । ପୁଲିସ ତଥ୍ୟ ଅନୁଯାୟୀ, ବାଲିଘାଟ ଲିଜ୍ ନେଇଥିବା ବିଜୟ ପାଲଙ୍କୁ ହତ୍ୟା କରିବା ପାଇଁ ୨୦୧୬ ଫେବ୍ରୁଆରି ୨୩ ତାରିଖରେ ରଂଜିତା ଓ କୁନାଙ୍କୁ ଏକ ପ୍ୟାକେଟ୍ ମିଳିଥିଲା। ସେହି ପ୍ୟାକେଟରେ ୩ଟି ପିସ୍ତଲ ଓ ୫୫ ରାଉଣ୍ଡ ଗୁଳି ରହିଥିଲା। ସେହି ପିସ୍ତଲ ଓ ଗୁଳିରେ ସେମାନଙ୍କୁ ବିଜୟ ପାଲଙ୍କୁ ହତ୍ୟା କରିବାକୁ ସୁଶାନ୍ତ ଧଳସାମନ୍ତଙ୍କ ନିର୍ଦ୍ଦେଶ ଥିଲା ବୋଲି ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି।
ଏହି ତଥ୍ୟ ଜଣାପଡିବା ପରେ ରଂଜିତା ଓ କୁନାକୁ ସଦର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିଲା। ୨୦୧୬ ଜାନୁଆରିରେ ଧଳସାମନ୍ତ ଭାଇ ଗିରଫ ହେବା ପରେ ସେତେବେଳେ ମଧ୍ୟ ପୁଲିସ୍ ରଂଜିତାଙ୍କୁ ସେମାନଙ୍କ ସହ ସଂପର୍କ ଥିବା ସନ୍ଦେହରେ ଦୁଇ ଥର ଥାନାକୁ ଡାକି ଜେରା କରିଥିଲା କିନ୍ତୁ ସେତେବେଳେ ତାଙ୍କୁ ଗିରଫ କରାଯାଇ ନଥିଲା।