ମର୍ଗରେ ୨୧ ଦିନ ଧରି ସଢ଼ୁଛି ଶବ : କେହିି ଶୁଣୁ ନାହାନ୍ତି ପରିବାରର ଦୁଃଖ

ତଦନ୍ତରେ ସହାୟତା ପାଇଁ ଘରେ ନୋଟିସ୍‌ ମାରିଲା ପୁଲିସ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଠିକା ଶ୍ରମିକ ରାଇସନ୍‌ ମାରାଣ୍ଡିଙ୍କ ଶବ ଆଇଜିଏଚ୍‌ ମର୍ଗରେ ପଡିଛି। ଦିନେ କି ଦୁଇ ଦିନ ନୁହେଁ, ଆଜିକୁ ୨୧ ଦିନ ଧରି ସଢ଼ୁଛି। ଅନ୍ତେଷ୍ଟିକ୍ରିୟା ହୋଇ ନଥିବାରୁ ପରିବାର ଲୋକ ଏଯାଏ ଦଶାହ କାର୍ଯ୍ୟ କରିପାରି ନାହାନ୍ତି। କ୍ଷତିପୂରଣ ଓ ଆର୍‌ଏସ୍‌ପିରେ ନିଯୁକ୍ତି ପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତିକୁ ଚାହିଁ ବସିଛନ୍ତି। ସମାଧାନ ପାଇଁ ଇତି ମଧ୍ୟରେ ୫ ଥର ବୈଠକ ବସିଛି। ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଥରେ ଓ ଆଇଜିଏଚ୍‌, ଏସ୍‌ପିଙ୍କ କାର୍ଯ୍ୟାଳୟରେ ଦୁଇ ଥର ଲେଖାଏଁ ବୈଠକ ହୋଇଛି। ଆର୍‌ଏସ୍‌ପି ମ୍ୟାନେଜମେଣ୍ଟ, ଆର୍‌ଏସ୍‌ପି ଠିକାଦାର ସଂଘ, ଜିଲ୍ଲା ପ୍ରଶାସନ ଓ ମୃତକଙ୍କ ପରିବାର ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଆଲୋଚନା ହୋଇଛି। କେବଳ ଠିକାସଂସ୍ଥା ମାଲିକ ୬ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଛନ୍ତି। ଆର୍‌ଏସ୍‌ପି ମ୍ୟାନେଜମେଣ୍ଟ କିନ୍ତୁ ଚାକିରି ଦେବା ସପକ୍ଷରେ ନାହିଁ।

ଶବ ବ୍ୟବଚ୍ଛେଦ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ନିଯୁକ୍ତି ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନିଆଯାଇ ପାରିବ ନାହିଁ ବୋଲି ଆର୍‌ଏସ୍‌ପିର ବିଭାଗୀୟ ଅଧିକାରୀ କହିଛନ୍ତି। ଟାଙ୍ଗରପାଲି ପୁଲିସ ମୃତକଙ୍କ ଫର୍ଟିଲାଇଜର ନୟାଡେରା ଘରେ ନୋଟିସ୍‌ ମାରି ତଦନ୍ତରେ ସହାୟତା ଲୋଡିଛନ୍ତି। ନିଯୁକ୍ତି ସଂକ୍ରାନ୍ତରେ ଆର୍‌ଏସ୍‌ପି ମ୍ୟାନେଜମେଣ୍ଟର ନା ଓ ପରିବାର ଜିଦ୍‌ରେ ଭିତରେ ଶବ ସେମିତି ମର୍ଗ ସଢ଼ୁଛି। ଆର୍‌ଏସ୍‌ପିରେ ନିଯୁକ୍ତି ପାଇଁ ଲିଖିତ ପ୍ରତିଶ୍ରୁତି ନ ମି‌ଳିଲେ ମର୍ଗରୁ ଶବ ନେବେନାହିଁ ବୋଲି ପତ୍ନୀ ମାଲ୍‌ହୋ ରୋକ୍‌ଠୋକ୍‌ ମନା କରିଦେଇଛନ୍ତି। ଆର୍‌ଏସ୍‌ପି ମ୍ୟାନେଜମେଣ୍ଟର ଓ ପରିବାର ଲୋକଙ୍କ ଜିଦ୍‌ ପୁଲିସ ପ୍ରଶାସନକୁ ଅଡୁଆ ପରିସ୍ଥିତିରେ ପକାଇଛି। ଶବ ବ୍ୟବଚ୍ଛେ୍‌ଦ କରିବାକୁ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଡିଏସ୍‌ପି ଅସିମ ପଣ୍ଡା ନେତୃତ୍ବରେ ଗଠିତ ଟିମ୍‌ ପରିବାର ଲୋକଙ୍କୁ ବୁଝାସୁଝା କରୁଛନ୍ତି। ମୃତକଙ୍କ ପରିବାରକୁ ନ୍ୟାୟ ଦେବା ପରିବର୍ତ୍ତେ ଉଭୟ ଜିଲ୍ଲା ପ୍ରଶାସନ ଓ ଆର୍‌ଏସ୍‌ପି କର୍ତ୍ତୃପକ୍ଷ କେବଳ ବୈଠକ ପରେ ବୈଠକ କରି ସମ୍ପୂର୍ଣ୍ଣ ନିରବଦ୍ରଷ୍ଟା ସାଜିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେପଟେ ମୃତ ସାନଭାଇର ଦୁଃଖରେ ଭାଙ୍ଗି ପଡିଥିବା ବଡଭାଇ ଗତ କିଛି ଦିନ ତଳେ ଆରପାରିକୁ ଚାଲି ଯାଇଛନ୍ତି। ମୁରବିଶୂ୍ନ୍ୟ ହୋଇ ପଡିଥିବା ପରିବାର ସମ୍ପୂର୍ଣ୍ଣ ନିଃସହାୟ ହୋଇ ପଡିଛି। ୮୫ ବର୍ଷର ଶାଶୂ ଓ ଦୁଇ କୁନି କୁନି ପିଲାଙ୍କୁ ନେଇ କେମିତି ବଞ୍ଚିବେ ଭାବି ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ବିଧବା ପତ୍ନୀ ମାଲ୍‌ହୋ। ସେପଟେ ଡିଏସ୍‌ପି ଶ୍ରୀ ପଣ୍ଡା କହିଛନ୍ତି, ଶବ ବ୍ୟବଚ୍ଛେଦ ରିପୋର୍ଟ ନ ମିଳିବା ପର୍ଯ୍ୟନ୍ତ ରାଇସନଙ୍କ ମୃତ୍ୟୁ କାରଣ ଜଣାପଡିବ ନାହିଁ। ଶବ ବ୍ୟବେଚ୍ଛଦ ରିପୋର୍ଟ ଆସିବା ପରେ ଆର୍‌ଏସ୍‌ପି ମ୍ୟାନେଜମେଣ୍ଟ ନିଯୁକ୍ତି ସଂକ୍ରାନ୍ତରେ ବିଚାର କରିବେ। ‌ତେଣୁ ବ୍ୟବଚ୍ଛେଦ ପାଇଁ ଶବକୁ ମର୍ଗର ଉଠାଇବାକୁ ସେ ପରିବାରର ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଲାଠିକଟା ବ୍ଲକ ଅନ୍ତର୍ଗତ ହାତିବାରୀ ପଞ୍ଚାୟତ ନୟାଡେରାର ରାଇସନ ମାରାଣ୍ଡି (୫୨) ୨୦୦୫ ମସିହାରୁ ଆର୍‌ଏସ୍‌ପିରେ ୱେଲ୍‌ଡର ଭାବେ କାମ କରୁଥିଲେ। ଠିକା ସଂସ୍ଥା ‘ପୁଷ୍ପା ଏଣ୍ଟରପ୍ରାଇଜେସ୍‌’ ଅଧୀନରେ କାମ କରୁଥିଲେ। ମା’ ସାଲ୍‌ଗେ ମାରାଣ୍ଡି (୮୫), ସ୍ତ୍ରୀ ମାଲ୍‌ହୋ (୩୬), ଦୁଇ ନାବାଳକ ପୁଅ ଟିକାରାମ (୧୨) ଓ ଲକ୍ଷ୍ମଣ (୩) ଓ ଏକମାତ୍ର ଝିଅ (୫)ଙ୍କୁ ନେଇ ରାଇସନଙ୍କ ପରିବାର। ଗତ ୧୧ ତାରିଖ ଆର୍‌ଏସ୍‌ପି ସି’ ସିଫ୍ଟରେ ରାଇସନ ଡ୍ୟୁଟି ଯାଇଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ନିୟମାନୁଯାୟୀ ତାଙ୍କୁ ଆମ୍ବୁଲାନ୍‌ସରେ ଆଇଜିଏଚ୍‌କୁ ଅଣାଯିବା କଥା, ମାତ୍ର ଠିକା ସଂସ୍ଥା କର୍ତୃପକ୍ଷ ଚଞ୍ଚକତାକରି ନିଜସ୍ବ ଗାଡ଼ିରେ ଆଇଜିଏଚ୍‌ରେ ଭର୍ତ୍ତି କରି ଚମ୍ପଟ ମାରିଥିଲେ। ତା’ପରଦିନ, ଅର୍ଥାତ୍‌ ୧୨ ତାରିଖ ସକାଳ ପ୍ରାୟ ସାଢ଼େ ୬ଟାରେ ପରିବାରକୁ ଫୋନ୍‌କରି ରାଇସନଙ୍କ ଦୁର୍ଘଟଣା ସଂକ୍ରାନ୍ତରେ ଅବଗତ କରିଥିଲେ। ମୃତ୍ୟୁ ସୂଚନା ଦେଇ ଆଉ ଧରାଛୁଆଁ ଦେଇନଥିଲା ଠିକା ସଂସ୍ଥା। ଏମିତିକି ଆର୍‌ଏସ୍‌ପି କର୍ତୃପକ୍ଷଙ୍କର ମଧ୍ୟ ଦେଖାଦର୍ଶନ ମିଳିନଥିଲା।

ସମ୍ବନ୍ଧିତ ଖବର