ଦୁର୍ଘଟଣା ପ‌ରେ ମାନବିକତା ଭୁଲିଗଲେ ସହଯାତ୍ରୀ; ପକାଇ ଦେଇ ଚାଲିଗଲେ, ଶବ ଚିହ୍ନଟ

କାଳିଆପାଣି/ଟମକା : ଟମକା ଥାନା ଅନ୍ତର୍ଗତ ଉଚ୍ଚବାଲି ନୂଆ‌ ପୋଖରୀ ହୁଡ଼ା ପାଖ ରାସ୍ତାକଡ଼ରୁ ଗତ ୨୧ ତାରିଖ ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଶରୀର ମିଳିଥିଲା। ଆଜି ମୃତବ୍ୟକ୍ତିଙ୍କ ଚିହ୍ନଟ ହୋଇଛି। ମୃତକ କୋରେଇ ଥାନା ଅନ୍ତର୍ଗତ ମୃତ୍ୟୁଞ୍ଜୟପୁର ଗାଁର ସ୍ୱର୍ଗତ ମଦନ ମଲିକଙ୍କ ପୁଅ ରଞ୍ଜନ(୩୨)। ରଞ୍ଜନଙ୍କ ବିଧବା ପତ୍ନୀ ଆଜି ଥାନାକୁ ଆସି ପୁଲିସକୁ ଏସମ୍ପର୍କରେ ଅଭିଯୋଗ କରିଛନ୍ତି।

ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ସ୍ୱାମୀଙ୍କ ମରଶରୀରକୁ ନେଇ ଗାଁରେ ଅନ୍ତିମ ସଂସ୍କାର କରାଯାଇଛି। ଏହା ଦୁର୍ଘଟଣା ଜନିତ ମୃତ୍ୟୁବୋଲି ସ୍ପଷ୍ଟ ହୋଇଛି। ଦୁର୍ଘଟଣା ପରେ ତାଙ୍କ ସାଥୀରେ ଥିବା ୨ ସହଯାତ୍ରୀ ମାନବିକତା ଭୁଲି ଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ୨୦ ତାରିଖ ରାତିରେ ଜଣେ ସଂପର୍କୀୟ ଦାଦା ଓ ଅନ୍ୟ ଜଣଙ୍କ ସହ ରଞ୍ଜନ ଟମକା ଆଡ଼କୁ ଆସିଥିଲେ। ତିନିହେଁ ଗୋଟିଏ ବାଇକ୍‌ରେ ଗାଁକୁ ଫେରୁଥିବା ବେଳେ ପଛରେ ବସଥିବା ରଞ୍ଜନ ତଳେ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ପଛଭାଗରେ ଶକ୍ତ ଆଘାତ ଲାଗିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ରଞ୍ଜନଙ୍କ ମୁହଁକୁ ଦୁଇ ସହଯୋଗୀ ପାଣି ଛାଟିଥିଲେ। ଉକ୍ତ ଅବ୍ୟବହୃତ ପୋଖରୀ ତୁଠରେ ଉଭୟ ସହଯୋଗୀଙ୍କ ପାଦଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ରଞ୍ଜନଙ୍କୁ ମେଡିକାଲ ନେବା ପରିବର୍ତ୍ତେ ୨ ସହଯୋଗୀ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲେ। ଗଣମାଧ୍ୟମ ଖବରକୁ ଭିତ୍ତିକରି ପରିବାର ଲୋକ ଥାନାରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର