ବରଗଡ଼ : କରୋନାର କରାଳ ରୂପ ଦିନକୁ ଦିନ ଉଗ୍ର ହେଉଛି। ଏଥି ସହିତ ଗୁଡ଼ାଏ ଲୁହଭରା ଘଟଣା ସାମ୍ନାକୁ ଆସୁଛି। ଗୁରୁବାର ରାତିରେ ବରଗଡ଼ ବ୍ଲକ୍ ସୟାଁ ଆମବୁରେଇପଡ଼ାରେ କମଳା ଭୁଏ(୪୫)ଙ୍କ କୌଣସି କାରଣରୁ ମୃତ୍ୟୁ ଘଟିଥିଲା। ତାଙ୍କ ଘର ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରାରେ ହୋଇଥିବାବେଳେ ସେ ସୟାଁ ଗାଁରେ ଭିକ୍ଷାବୃତ୍ତି କରି ଚଳୁଥିଲେ।
କିଛିଦିନ ତଳେ ସେ ଅସୁସ୍ଥ ଥିବାରୁ ନିଜ ମାଁକୁ ଶେଷଥର ଦେଖିବା ପାଇଁ ଇଚ୍ଛା କରିଥିଲେ। ପଡାବାସୀଙ୍କୁ ନେହୁରା ହେବାରୁ ଏକ ଟେମ୍ପୁ ଯୋଗେ ତାଙ୍କ ଗାଁ ବନାବିରାକୁ ନେଇଥିଲେ। କିନ୍ତୁ ଦୁଃଖର କଥା, ତାଙ୍କ ଘର ଲୋକେ ଦୁଆର ମୁହଁରୁ ଚାଲି ଯିବାକୁ କହିଥିଲେ। ନିରାଶ ହୋଇ ଫେରିଥିଲେ କମଳା। ଶେଷରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ହେଲେ ଦୀର୍ଘ ଦଶ ଘଣ୍ଟା ଧରି ତାଙ୍କ ଶବ ସେଭଳି ପଡ଼ି ରହିଥିଲା। ପଡ଼ାବାସୀ ବି ପାଖ ମାଡ଼ିନଥିଲେ। ଶେଷରେ ପ୍ରଶାସନର ସହଯୋଗରେ ଏକ ଗାଡ଼ିରେ ଶବ ଆଣି ନିଷ୍ଠା ପରିବାରର ସଂପାଦକ ଅଶ୍ବିନୀ ତ୍ରିପାଠୀ, କୋଷାଧକ୍ଷ ଶ୍ୟାମସୁନ୍ଦର ସାହୁ, ମାନସ ମେହେର, ଦୟାନିଧି ଷଡ଼ଙ୍ଗୀ, ଲବ ସାହୁ, ରିଙ୍କୁ ସାହୁ ଶବଦାହ କରିଥିଲେ ।