ମରିଗଲା ମାନବିକତା, କରୋନା ସଂକ୍ରମିତ ବୋଲି ଶବ ବୋହିବାକୁ କାନ୍ଧ ମିଳିଲାନି

୧୦ ଘଣ୍ଟା ଧରି ପଡ଼ିରହିଲା ଶବ

ସମ୍ବଲପୁର : ହଜିଗଲା ମାନବିକତା। କରୋନା ଭୟରେ ପାଖ ପଡ଼ୋଶୀ କେହି ଆସିଲେ ନାହିଁ। ପାଖାପାଖି ୧୦ ଘଣ୍ଟା ଧରି ପଡ଼ିରହିଲା ଶବ। ଏଭଳି ଅଭାବନୀୟ ଘଟଣା ଘଟିଛି ବୁର୍ଲାର ବଲେର୍‌ ପଡ଼ା ଅଞ୍ଚଳରେ। ଦ୍ରୌପଦି ନାଏକଙ୍କର ରବିବାର ଭୋର୍‌ ୩ଟା ବେଳେ ମୃତ୍ୟୁ ହୋଇଯାଇଥିଲା। ପାଖରେ ବୋହୂ ଓ କୁନି ନାତୁଣି ଥିଲେ। ପଡ଼ୋଶୀଙ୍କୁ କହିବାରୁ କରୋନା ହୋଇଥିବା ଜାଣିବା ପରେ କେହି ଆସି ନଥିଲେ। ଶେଷରେ କୌଣସି ଉପାୟ ନପାଇ ଜିଲ୍ଲା ପ୍ରଶାସନ ସହ ତାଙ୍କ ବୋହୂ ଯୋଗାଯୋଗ କରିଥିଲେ। ଏହାପରେ ପ୍ରଶାସନ ସୂଚନା ଦେବା ପରେ ଭିମ୍‌ସାର୍‌ରେ କାର୍ଯ୍ୟରତ ଷ୍ଟିଵାର୍ଡ ଅଶ୍ବିନୀ କୁମାର ମେହେରଙ୍କ ସହ ସ୍ବେଚ୍ଛାସେବୀ ନିହାଲ ସିଂ, ସୁବାସ ମେହେର, ମହାପ୍ରୟାଣ ଚାଳକ ସୁରେନ୍ଦ୍ର ଷଣ୍ଢ ଦିନ ୧ଟା ବେଳେ ଦ୍ରୌପଦିଙ୍କ ଘରେ ପହଞ୍ଚି ଥିଲେ ଏବଂ ବୁର୍ଲା ବିଷ୍ଣୁ ମନ୍ଦିର ପଡ଼ା ଶ୍ମଶାନ ତାଙ୍କର ଶବଦାହ କରାଯାଇଥିଲା। ପାଖାପାଖି ୧୦ ଘଣ୍ଟା ଧରି ଦ୍ରୌପଦିଙ୍କ ମୃତଦେହ ତାଙ୍କ ଘରେ ପଡ଼ି ରହିଥିଲା।

ଗତ ମାସେ ତଳେ ତାଙ୍କ ବଡ଼ ପୁଅଙ୍କର ମଧ୍ୟ କରୋନାରେ ମୃତ୍ୟୁ ଘଟିଥିଲା। ଦ୍ରୌପଦି କରୋନାରେ ସଂକ୍ରମିତ ହେବା ପରେ ଗୃହ ସଂଗରୋଧରେ ରହିଥିଲେ। ତାଙ୍କୁ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଔଷଧ ଦିଆଯାଉଥିଲା। ତେବେ ଶନିବାର ବିଳମ୍ବିତ ରାତିରେ ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇଯାଇଥିଲା। ରବିବାର ବୋର ୩ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର