ଜାତିଭାଇ ନଆସିବାରୁ ୮ଘଣ୍ଟା ଧରି ପଡ଼ିଥିଲା ଶବ

ଶବ ସତ୍କାର ପାଇଁ ପ୍ରଶାସନିକ ଅଧିକାରୀମାନେ ଆସିବା ଦେଖି ଆସିଲେ ୪ ଜାତିଭାଇ

ହରଭଙ୍ଗା/ ପୁରୁଣାକଟକ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ସଦରମହକୁମା ଚାରିଛକସ୍ଥିତ ପୁରୁଣାକଟକ ଥାନା ପଛପଟେ ଆଠମଲ୍ଲିକରୁ ଆସି ବହୁଦିନ ହେଲା ଏକ ଝାଟିମାଟିର ଘରକରି ରହୁଥିବା ଆନନ୍ଦ ବେହେରା(୪୦)ଙ୍କ ବୁଧବାର ଦିନ ୧୨ଟାରେ ମୃତ୍ୟୁ ଘଟିଥିଲା। ହେଲେ ସେ ଜାତିଭାଇଙ୍କ ସହ ଚଳୁନଥିବାରୁ ଶବକୁ କନ୍ଧଦେବା ପାଇଁ କେହି ଆସି ନଥିଲେ। ଫଳରେ ୮ଘଣ୍ଟା ଧରି ମୃତଦେହ ଘରେ ପଡ଼ିରହିଥିଲା।

ଆନନ୍ଦଙ୍କ ମୃତ୍ୟୁ ପରେ ଜାତିଭାଇ ଆସିନଥିଲେ। ମୃତକଙ୍କ ଅସହାୟ ପତ୍ନୀ ଏବଂ ୨ଜଣ ନାବାଳକ ପୁଅ ଝିଅ କାନ୍ଦ ବୋବାଳି କରୁଥିଲେ। ଏ ଖବର ଜାଣିବା ପରେ ହରଭଙ୍ଗା ବିଡିଓ, ତହସିଲଦାର ଓ ଅତିରିକ୍ତ ତହସିଲଦାର ସେଠାରେ ପହଞ୍ଚି ମୃତକଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ସହିତ ନିଜେ ଶବକୁ କାନ୍ଧେଇ ସତ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏ ଖବର ଜାଣିବା ପରେ ୪ଜଣ ଜାତିଭାଇ ଆଗେଇ ଆସିଥିଲେ। ଫଳରେ ରାତି ୮ଟାରେ ମୃତ ଆନନ୍ଦ ବେହେରାଙ୍କ ନାବାଳକ ପୁଅ ଏବଂ ୪ଜଣ ଜାତିଭାଇ ମିଶି ଶବକୁ ନେଇ ସତ୍କାର କରିଥିଲେ।

ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା, ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର ଏବଂ ଅତିରିକ୍ତ ତହସିଲଦାର ହରିଓମ ଭୋଇ ଦାହ ସତ୍କାର ବେଳେ ଉପସ୍ଥିତ ରହି ସେମାନଙ୍କୁ ସହଯୋଗ କରିଥିଲେ। ମୃତକଙ୍କ ଅସହାୟ ପରିବାର ଲୋକଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ପ୍ରାଶାସନିକ ଅଧିକାରୀମାନଙ୍କର ଏହି ମହତ ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର