ଭୁଲିଗଲେ ମାନବିକତା : ୧୫ ଦିନ ହେଲା ମର୍ଗରେ ସଢ଼ୁଛି ଠିକା ଶ୍ରମିକଙ୍କ ଶବ

ଜିଲ୍ଲା ପ୍ରଶାସନ ବୈଠକରେ ବାହାରିଲାନି ନିଷ୍କର୍ସ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଠିକା ଶ୍ରମିକଙ୍କୁ ଏଯାଏଁ ମିଳିଲାନି ନ୍ୟାୟ। ମୃତକଙ୍କ ପରିବାର ଦୁଃଖ ଶୁଣିବାକୁ ଜିଲ୍ଲା ପ୍ରଶାସନ, ଆର୍‌ଏସ୍‌ପି କର୍ତ୍ତୃପକ୍ଷ କିମ୍ବା ଠିକା ସଂସ୍ଥା କାହାରି ପାଖରେ ଯେମିତି ସମୟ ନାହିଁ। ସମସ୍ତେ ଯେମିତି ଭୁଲି ଯାଇଛନ୍ତି ମାନବିକତା। ସ୍ବାମୀଙ୍କ ମୃତ୍ୟୁ ପରେ ନିଃସହାୟ ‌ହୋଇ ପଡିଥିବା ବିଧବା ପତ୍ନୀ, ଦୁଇ ପୁଅ ଓ ବୁଢ଼ି ଶାଶୁଙ୍କ ଓ ପରିବାର ସହ ମର୍ଗ ହାଉସ୍‌ ଆଗରେ ସେମିତି ଧାରଣାରେ ବସିଛନ୍ତି। ଧାରଣାର ନେତୃତ୍ବ ନେଇଛନ୍ତି ଶ୍ରମିକ ସଙ୍ଗଠନର ନେତା ରମେଶ ସାହୁ। ଆର୍‌ଏସ୍‌ପି ବିଭାଗୀୟ ଅଧିକାରୀ ଯାଉଛନ୍ତି। ବୁଝାସୁଝା କରି ଫେରି ଆସୁଛନ୍ତି। କିନ୍ତୁ ମର୍ଗରୁ କେମିତି ଶବ ଉଠିବ ? ପରିବାର ଲୋକ କ୍ରିୟାକର୍ମ କରିବେ। ଏହି କଥା କେହି ଥରୁଟିଏ ଭାବୁ ନାହାନ୍ତି।

ସେପଟେ ୧୪ ଦିନ ଧରି ଶବ ମର୍ଗ ସଢ଼ୁଥିବା ଦେଖି ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ଗୁରୁବାର ଦିନ ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମସ୍ୟାର ସମାଧାନ ପାଇଁ ବୈଠକ ଅନୁ‌ଷ୍ଠିତ ହୋଇଥିଲା। ଉପସ୍ଥିତ ଥିଲେ ଆର୍‌ଏସ୍‌ପି କଣ୍ଟ୍ରାକ୍ଟର ଆସୋସିଏସନର ପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁ, ଡିଏସ୍‌ପି ଅସୀମ କୁମାର ପଣ୍ଡା, ଆର୍‌ଏସ୍‌ପିର ବରିଷ୍ଠ ଅଧିକାରୀ। ପ୍ରାୟ ଅଧଘଣ୍ଟା ଧରି ଅତିରି୍କ୍ତ ଜିଲ୍ଲାପାଳ, ଏସ୍‌ପି ଉପସ୍ଥିତ ଆର୍‌ଏସ୍‌ପି ଅଧିକାରୀ ଓ ଠିକାଦାର ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। କାହିଁକି ଏଭଳି ଘଟଣା ବାରମ୍ବାର ଘଟୁଛି ‌ବୋଲି ଅତିରିକ୍ତ ଜିଲ୍ଲାପାଳ, ଏସ୍‌ପି, ଆର୍‌ଏସ୍‌ପିର ବରିଷ୍ଠ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଆର୍‌ଏସ୍‌ପିର ବରିଷ୍ଠ ଅଧିକାରୀ କୌଣସି ସନ୍ତୋଷଜନକ ଉତ୍ତର ରଖି ପାରି ନଥିଲେ। ବୈଠକର କୌଣସି ନିଷ୍କର୍ସ ବାହାରି ପାରି ନଥିଲା। ବୈଠକ ପରେ ଠିକା ସଂସ୍ଥାର ପ୍ରତିନିଧି ମର୍ଗ ହାଉସ୍‌ରେ ପହଞ୍ଚି ଧାରଣାରେ ବସିଥିବା ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଆର୍‌ଏସ୍‌ପି କୌଣସି ଅଧିକାରୀ ପହଞ୍ଚି ସ୍ଥାୟୀ ନିଯୁକ୍ତି ସଂକ୍ରାନ୍ତରେ ପରିବାର ଲୋକଙ୍କ ସହ ଆଲୋଚନା କରି ନଥିବାରୁ ମୃତ ଠିକାଦାରଙ୍କ ପତ୍ନୀ ମର୍ଗରୁ ଶବ ନେବାକୁ ମନା କରି ଦେଇଥିଲେ। ଠିକା ଓ ସ୍ଥାୟୀ ଶ୍ରମିକଙ୍କ ସୁବିଧା ଅସୁବିଧାରେ ଅହରହ ଲଢ଼େଇ ଜାରି ରଖିଥିବା ବିଭିନ୍ନ ଶ୍ରମିକ ସଙ୍ଗଠନ ଏ କ୍ଷେତ୍ରରେ କାହିଁକି ଚୁପ୍‌ ବସିଛନ୍ତି, ତାକୁ ନେଇ ସାଧାରଣରେ ସନ୍ଦେହ ହେବ ସ୍ବାଭାବିକ। ସେପଟେ ମୃତ ଠିକା ଶ୍ରମିକଙ୍କ ଦୁଃଖରେ ଭାଙ୍ଗି ପଡିଥିବା ବଡ ଭାଇଙ୍କର ମଧ୍ୟ କିଛି ଦିନ ତଳେ ମୃତ୍ୟୁ ହୋଇଛି।

ଉଲ୍ଲେଖଯୋଗ୍ୟ, ଲାଠିକଟା ବ୍ଲକ ଅନ୍ତର୍ଗତ ହାତିବାରୀ ପଞ୍ଚାୟତ ନୟାଡେରାର ରାଇସନ ମାରାଣ୍ଡି(୫୨) ୨୦୦୫ ମସିହାରୁ ଆର୍‌ଏସ୍‌ପିରେ ୱେଲ୍‌ଡର ଭାବେ କାର୍ଯ୍ୟରତ। ସେ ଠିକା ସଂସ୍ଥା ‘ପୁଷ୍ପା ଏଣ୍ଟରପ୍ରାଇଜେସ୍‌’ ଅଧୀନରେ କାମ କରୁଥିଲେ। ରାଇସନଙ୍କ ପରିବାର କହିଲେ ମା’ ସାଲ୍‌ଗେ ମାରାଣ୍ଡି(୮୫), ସ୍ତ୍ରୀ ମାଲ୍‌ହୋ(୩୬), ଦୁଇ ନାବାଳକ ପୁଅ ଟିକାରାମ(୧୨) ଓ ଲକ୍ଷ୍ମଣ(୩) ଓ ଏକମାତ୍ର ଝିଅ(୫)। ଏମାନଙ୍କ ସହ ରହୁଥିଲେ ବଡ଼ଭାଇ ଛୋଟୁ ମାରାଣ୍ଡି(୭୦), ସ୍ତ୍ରୀ, ୩ ପୁଅ ଓ ଗୋଟିଏ ଝିଅ ଏବଂ ଦୁଇ ଭଉଣୀ ନକୀମଣି(୪୦) ଓ କର୍‌ମୀ(୩୭)। ସମସ୍ତଙ୍କ ଭରଣପୋଷ ରାଇସନ ହିଁ ବୁଝିଥିଲେ। ଗତ ୧୧ ତାରିଖ ଆର୍‌ଏସ୍‌ପି ସି’ ସିଫ୍ଟରେ ରାଇସନ ଡ୍ୟୁଟି ଯାଇଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ନିୟମାନୁଯାୟୀ ତାଙ୍କୁ ଆମ୍ବୁଲାନ୍‌ସରେ ଆଇଜିଏଚ୍‌କୁ ଅଣାଯିବା କଥା, ମାତ୍ର ଠିକା ସଂସ୍ଥା କର୍ତୃପକ୍ଷ ଚଞ୍ଚକତାକରି ନିଜସ୍ବ ଗାଡ଼ିରେ ଆଇଜିଏଚ୍‌ରେ ଭର୍ତ୍ତି କରି ଚମ୍ପଟ ମାରିଥିଲେ। ତା’ପରଦିନ, ଅର୍ଥାତ୍‌ ୧୨ ତାରିଖ ସକାଳ ପ୍ରାୟ ସାଢ଼େ ୬ଟାରେ ପରିବାରକୁ ଫୋନ୍‌କରି ରାଇସନଙ୍କ ଦୁର୍ଘଟଣା ବିଷୟରେ ଅବଗତ କରିଥିଲେ। ମୃତ୍ୟୁ ସୂଚନା ଦେଇ ଆଉ ଧରାଛୁଆଁ ଦେଇନଥିଲା ଠିକା ସଂସ୍ଥା। ଏମିତିକି ଆର୍‌ଏସ୍‌ପି କର୍ତୃପକ୍ଷଙ୍କର ମଧ୍ୟ ଦେଖାଦର୍ଶନ ମିଳିନଥିଲା। କିଭଳି ଦୁର୍ଘଟଣା ଘଟିଲା, ସେ ବିଷୟରେ ବି ପରିବାରକୁ କେହି କୌଣସି ସୂଚନା ଦେଇନଥିଲେ। ରାଇସନଙ୍କ ମୃତ୍ୟୁ ସଂପୂର୍ଣ୍ଣ ରହସ୍ୟ ଭିତରେ ରଖାଯାଇଥିବା ଅଭିଯୋଗ କରିଥିଲେ ପରିବାରବର୍ଗ। ତେବେ ମୃତକଙ୍କ ପରିବାରଙ୍କୁ କେବେ ନ୍ୟାୟ ମିଳୁଛି, କେବେ ମର୍ଗରୁ ଶବ ଉଠୁଛି, ତାକୁ ହିଁ ଅପେକ୍ଷା।

ସମ୍ବନ୍ଧିତ ଖବର