ବାରିପଦା: ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରୁଛନ୍ତି ସରକାର। ୨-୩ ବର୍ଷ ହେଲା ଏଥିପାଇଁ ଧରପଗଡ଼ ଜୋର୍‌ଦାର୍‌ ହେଉଛି। ଏହାସତ୍ତ୍ବେ ଲାଞ୍ଚୁଆ ସରକାରୀ ବାବୁମାନେ ‌ଟଙ୍କା ଲୋଭ ଛାଡ଼ିପାରୁନାହାନ୍ତି। ତଥ୍ୟ ଅନୁଯାୟୀ; ଗତ ୫ ବର୍ଷ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାରୁ ମୋଟ୍ ୧୦୭ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଭିଜିଲାନ୍‌ସ ହାବୁଡରେ ପଡ଼ିଛନ୍ତି। ସେଥିରୁ ୧୦୫ ଜଣ ହେଉଛନ୍ତି ତଳିଆ କର୍ମଚାରୀ (୨୭ ଜଣ ମହିଳା କର୍ମଚାରୀ)। ବାକି ୨ ଜଣଙ୍କ ମଧ୍ୟରୁ ଜଣେ ହେଲେ ନିର୍ବାହୀ ଯନ୍ତ୍ରୀ ଓ ଜଣେ ସହକାରୀ ଯନ୍ତ୍ରୀ। ଏ ନେଇ ରୁଜୁ ହୋଇଥିବା ମାମଲାରୁ ୫ ବର୍ଷ ମଧ୍ୟରେ ୩୮ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୪ ଜଣ ପ୍ରମାଣ ଅଭାବରୁ ଖସି ଯାଇଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା; ୫ ବର୍ଷରେ ୧୦୭ ଜଣ ଲାଞ୍ଚୁଆ ସରକାରୀ ବାବୁ ଧରା ପଡ଼ିଥିଲେ ବି ସେଥିମଧ୍ୟରେ କେହି ଜଣେ ବି ବଡ଼ ଅଧିକାରୀ ନାହାନ୍ତି। ଭିଜିଲାନ୍‌ସ ଜାଣିଶୁଣି ସେମାନଙ୍କୁ ଛାଡ଼ି ଦେଉଛି ନା ସେମାନଙ୍କ ପାଖରେ ପହଞ୍ଚିବାରେ ସାମର୍ଥ୍ୟ ରଖୁନି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

ସୂଚନା ଅନୁଯାୟୀ ୨୦୧୮ ମସିହାରେ ୨୯ ଜଣ, ୨୦୧୯ରେ ୧୪ ଓ ୨୦୨୦ରେ ୧୮ ଜଣ ସରକାରୀ କର୍ମଚାରୀ ଭିଜିଲାନ୍‌ସ ହାତରେ ଧରାପଡ଼ିଥିଲେ। ଧରପଗଡ଼ ଜୋରଦାର୍‌ ହେବାରୁ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଟଙ୍କା ମୋହ ଟିକେ କମିଥିଲା ଓ ୨୦୨୧ରେ ମାତ୍ର ୧୨ ଜଣ ଧରାପଡ଼ିଥିଲେ। ତେବେ ୨୦୨୨ରେ ଏହା ପୂର୍ବ ସବୁ ବର୍ଷର ରେକର୍ଡ ଭାଙ୍ଗିଛି। ଚଳିତ ବର୍ଷ ଆଜିସୁଦ୍ଧା ୩ ଜିଲ୍ଲାରୁ ୩୪ ଜଣ ଲାଞ୍ଚ ଓ ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ଧରାପଡିଛନ୍ତି। ବର୍ଷ ଶେଷ ହେବାକୁ ଆଉ ଦିନ କେଇଟା ଥିବା ବେଳେ ଏହି ସଂଖ୍ୟା ଶେଷ ପର୍ଯ୍ୟାୟରେ ବଢ଼ିପାରେ।

ଦୁର୍ନୀତି ‌ରୋକିବାକୁ ସରକାର ଯେତେ କଠୋର ହେଲେ ବି ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀ ସୁଧୁରୁ ନାହାନ୍ତି। ସରକାରୀ କାର୍ଯ୍ୟାଳୟକୁ ଗଲେ ଟଙ୍କା ନ ଦେଲେ ଫାଇଲ ଘୁଞ୍ଚୁନାହିଁ। ବଡ଼ବଡ଼ ଅଧିକାରୀଙ୍କ ଛତ୍ରଛାୟାରେ ଓ ପ୍ରଭାବଶାଳୀ ନେତା ମନ୍ତ୍ରୀଙ୍କ ଆଶୀର୍ବାଦରେ ସମାନେ ବଳୀୟାନ ହେଉଛନ୍ତି। ଦୁର୍ନୀତି ରୋକିବାକୁ ଥିବା ଭିଜିଲାନ୍‌ସ ବିଭାଗରେ ବି ସ୍ବଚ୍ଛତା ରହୁନି।

ଫଳରେ ଦୁର୍ନୀତି ବଢ଼ୁଥିବା ମତ ଦେଇଛନ୍ତି ବୁଦ୍ଧିଜୀବୀ। ପ୍ରତିବର୍ଷ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି ଓ ସରକାରୀ ବାବୁମାନେ ଦୁର୍ନୀତି ରୋକିବେ ବୋଲି ଶପଥ ନେଉଛନ୍ତି। ହେଲେ ଦୁର୍ନୀତି ରୋକିବେ କଣ ନିଜେ ସେଥିରେ ଲିପ୍ତ ହେଉଛନ୍ତି। ଯେଉଁଥି ପାଇଁ ପ୍ରତିବର୍ଷ ଏହି ଭ୍ରଷ୍ଟ ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା ବଢ଼ୁଛି। ତେଣୁ ସରକାରୀସ୍ତରରେ ଦୁର୍ନୀତିକୁ ମୂଳପୋଛ କରିବାକୁ ହେଲେ ସରକାର ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ଓ ଶିକ୍ଷାବିତଙ୍କ ମହଲରୁ ମତପ୍ରକାଶ ପାଇଛି।