ବିକୃତ ଇଂରାଜୀ ବନାନର ସଂଶୋଧନ କେବେ?

ବହୁ ଜାଗାର ଇଂରାଜୀ ବନାନ ହାସ୍ୟାସ୍ପଦ, ଅଯୌକ୍ତିକ
ନାମର ଠିକ୍ ଓଡ଼ିଆ ଉଚ୍ଚାରଣକୁ ଭୁଲି ଯାଉଛନ୍ତି ଯୁବପିଢ଼ି
ତାମିଲନାଡ଼ୁରେ ୧୦୧୮ ବନାନ ସଂଶୋଧନ ହୋଇଛି

ଭୁବନେଶ୍ବର, (ଚୌଧୁରୀ ଅମିତାଭ ଦାସ) : କଟକ – Cuttack। ଆଳି – Aul। କେନ୍ଦୁଝର – Keonjhar। ବାଲେଶ୍ବର – Balasore। ଦେବଗଡ଼ – Deogarh। ବ୍ରହ୍ମପୁର – Berhampur।

ଓଡ଼ିଆରେ ଏହାର ଉଚ୍ଚାରଣ ଗୋଟିଏ ପ୍ରକାର। କିନ୍ତୁ ଇଂରାଜୀରେ ବନାନ ଆଉ ଏକ ପ୍ରକାର। ଏହି ୬ଟି ଜାଗା ନୁହେଁ, ଓଡ଼ିଶାରେ ଏମିତି ଅନେକ ପ୍ରମୁଖ ଜାଗାରେ ଓଡ଼ିଆ ନାମର ବିକୃତ ଇଂରାଜୀ ବନାନ ‌େଦଖିବାକୁ ମିଳୁଛି। ବର୍ଷ ବର୍ଷ ଧରି ଆମ୍ଭେମାନେ ଏମିତି ଗୁରୁ ଚଣ୍ଡାଳ ତ୍ରୁଟି କରି ଆସୁଛୁ। କିଛି ବନାନ ଅତ୍ୟନ୍ତ ହାସ୍ୟାସ୍ପଦ। ଏମିତି ବନାନ କାହିଁକି ଅଛି, ତାହା ପଛରେ କିଛି ଯୁକ୍ତି ହିଁ ନାହିଁ। କିନ୍ତୁ ତ୍ରୁଟି ସଂଶୋଧନ କରାଯାଉନି, ବରଂ ପିଢ଼ି ପରେ ପିଢ଼ି ଏମିତି ଭୁଲ୍‌ ସହ ଅଭ୍ୟସ୍ତ ହେବାରେ ଲାଗିଛନ୍ତି। ଏମିତି ସମୟ ଆସିଲାଣି ଯେ ଅନେକ ଉଚ୍ଚଶିକ୍ଷିତ ଓଡ଼ିଆ ଇଂରାଜୀ ବନାନ ଦେଖି ଓଡ଼ିଶାର ଜାଗା ନାମର ବିକୃତ ଉଚ୍ଚାରଣ କରିବା ଆରମ୍ଭ କଲେଣି। ଓଡ଼ିଶା ବାହାରୁ ଆସୁଥିବା ଲୋକ ତ ଏମିତି ବନାନ ଦେଖି ପ୍ରକୃତ ନାମ ସମ୍ପର୍କରେ ଅଜ୍ଞ ରହୁଛନ୍ତି।

ସରକାର ଓଡ଼ିଶାର ନାମକୁ ଇଂରାଜୀ‌େର ସଂଶୋଧନ କରି ‘Orissa’କୁ ‘Odisha’ କଲେ। କିନ୍ତୁ ରାଜ୍ୟ ଭିତରେ ପ୍ରମୁଖ ସ୍ଥାନଗୁଡ଼ିକର ନାମକୁ ଭୁଲିଗଲେ।

Scoil Eoin

ତାମିଲନାଡ଼ୁରେ ଦୀର୍ଘ ବର୍ଷ ଧରି ଥିବା ଏମିତି ଗୁରୁତର ତ୍ରୁଟିଗୁଡ଼ିକୁ ସେଠାକାର ସରକାର ସଂଶୋଧନ କରି ଦେଇଛନ୍ତି। ତାମିଲ୍‌ ଭାଷାରେ ଜାଗାର ନାମ ଉଚ୍ଚାରଣ ଯାହା ହେବ, ଇଂରାଜୀରେ ତାହାର ବନାନ ଠିକ୍ ସେଇଆ ହିଁ ଲେଖା ହେବ ବୋଲି ତାମିଲନାଡ଼ୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ବାହାରର ଲୋକମାନେ ଜାଗାର ନାମକୁ ଠିକ୍ ଭାବେ ଉଚ୍ଚାରଣ କରିପାରିବେ। ଦୁଇ ଦିନ ତଳେ ଏହି ନିର୍ଦ୍ଦେଶ ବଳରେ ସେହି ରାଜ୍ୟର ୧୦୧୮ଟି ଜାଗାର ନାମକୁ ଠିକ୍ ଭାବେ ଇଂରାଜୀରେ ବନାନ କରାଯାଇ ଲେଖାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ କେବେ ତ୍ରୁଟି ସଂଶୋଧନ ହେବ, ତାହାକୁ ନେଇ ପ୍ରଶ୍ନ ଉଠୁଛି।

ଗୁରୁଚଣ୍ଡାଳ ତ୍ରୁଟିର ସବୁଠାରୁ ବଡ଼ ଉଦାହରଣ ହେଉଛି କଟକ ଓ ଆଳି। କେଉଁ ଭିତ୍ତିରେ କଟକର ବନାନ ଇଂରାଜୀରେ ‘Cuttack’ ହେବ, ତାହା ଦୁର୍ବୋଧ୍ୟ। ସେମିତି ଆଳିର ବନାନ କେଉଁ ଯୁକ୍ତି ବଳରେ ‘Aul’ ହେବ, ତାହାର ଉତ୍ତର କାହା ପାଖରେ ନାହିଁ।

ଖୋଦ୍ ସରକାରୀ କ୍ଷେତ୍ରରେ ଗୋଟିଏ ଜାଗାର ଇଂରାଜୀ ବନାନକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଲେଖାଯାଉଛି। ଫଳରେ ଲୋକମାନେ ଆହୁରି ଦ୍ବନ୍ଦ୍ବରେ ପଡ଼ିଯାଉଛନ୍ତି। ଛାତ୍ରଛାତ୍ରୀ ବି ପରୀକ୍ଷା ଖାତାରେ କେଉଁ ବନାନ ଲେଖିଲେ ଠିକ୍ ହେବ, ତାହା ବୁଝି ପାରୁ ନାହାନ୍ତି। ବାଲେଶ୍ବର ଜିଲ୍ଲା ୱେବ୍‌ସାଇଟ୍‌ର ଅଗ୍ର ଭାଗରେ ‘Baleswar’ ବୋଲି ଲେଖାଯାଇଛି। କିନ୍ତୁ ସେହି ୱେବ୍‌ସାଇଟ୍‌ରେ ଯେଉଁଠି ଜିଲ୍ଲାର ପରିଚୟ ଦିଆଯାଇଛି ସେଠାରେ ‘Balasore’ ଲେଖାଯାଇଛି। ରାଜ୍ୟ ପର୍ଯ୍ୟଟନ ୱେବ୍‌ସାଇଟ୍‌ରେ ବି ‘Balasore’ ଅଛି। ସେହିପରି କଟକ ଜିଲ୍ଲାର ୱେବ୍‌ସାଇଟ୍‌ରେ ଜିଲ୍ଲାର ପ୍ରମୁଖ ଅଞ୍ଚଳ ସାଲେପୁରକୁ ଇଂରାଜୀରେ ‘Salepur’ ବୋଲି ଲେଖାଯାଇଛି। କିନ୍ତୁ ସବୁ ସରକାରୀ ନଥିରେ ଜାଗାର ଇଂରାଜୀ ବନାନ ‘Salipur’ ଅଛି।

ଠିକ୍ ସେମିତି ଖୋର୍ଦ୍ଧା ଜିଲ୍ଲା ୱେବ୍‌ସାଇଟ୍‌ର ଅଗ୍ର ଭାଗରେ ‘Khordha’ ଲେଖାଯାଇଛି। କିନ୍ତୁ ଯେଉଁଠି ଜିଲ୍ଲାର ପରିଚୟ ଦିଆଯାଇଛି, ସେଠାରେ ‘Khurdha’ ଲେଖା ହୋଇଛି। ବିଧାନସଭା ପେ‌ାର୍ଟାଲ୍‌ରେ ‘Khurda’ ବୋଲି ଦର୍ଶାଯାଇଛି। କେନ୍ଦୁଝର ଜିଲ୍ଲା ୱେବ୍‌ସାଇଟ୍‌ରେ ସମାନ ଭୁଲ୍‌। ଅଗ୍ରଭାଗରେ ‘Kendujhar’ ଲେଖା ଥିବା ବେଳେ ଭିତରେ ‘Keonjhar’ ହୋଇଛି। ସେମିତି ‘ବ୍ରହ୍ମପୁର’ର ଇଂରାଜୀ ବନାନ ‘Berhampur’ ଲେଖାଯାଉଛି। ଓଡ଼ିଆରେ ସ୍ପଷ୍ଟ ଭାବେ କେନ୍ଦୁଝର ଓ ବ୍ରହ୍ମପୁର ଉଚ୍ଚାରଣ କରାଯାଉଥିଲା ବେଳେ ଇଂରାଜୀରେ କାହିଁକି ଏମିତି ବନାନ କରାଯିବ, ତାହା ସାଧାରଣ ଲୋକଙ୍କୁ ତାଜୁବ୍ କରୁଛି। ସମାନ ତ୍ରୁଟି ଦେବଗଡ଼ ଜିଲ୍ଲାରେ। ସେହିପରି କେନ୍ଦ୍ରାପଡ଼ା, ନୟାଗଡ଼ ଓ ବରଗଡ଼ର ଓଡ଼ିଆ ଉଚ୍ଚାରଣ ସ୍ପଷ୍ଟ ଥିଲା ବେଳେ ଇଂରାଜୀରେ ଶେଷ ଅକ୍ଷରଗୁଡ଼ିକୁ କାହିଁକି ବିକୃତ କରାଯାଇଛି ବୋଲି ପ୍ରଶ୍ନ ଉଠୁଛି।

ରାଜ୍ୟର ବନ୍ଦର ସହର ପାରାଦୀପ କ୍ଷେତ୍ରରେ ଆଉ ଏକ ଅଭାବନୀୟ ତ୍ରୁଟି ଦେଖିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ବିଭିନ୍ନ ନଥିପତ୍ରରେ ଏହି ଜାଗାର ଇଂରାଜୀ ବନାନ ‘Paradeep’ ବୋଲି ଲେଖାଯାଇଛି। କିନ୍ତୁ ପାରାଦୀପ ବନ୍ଦର ଓ ପାରାଦୀପ ତୈଳ ବିଶୋଧନାଗାରର ଠିକଣାରେ ଇଂରାଜୀ ବନାନ ‘Paradip’ ବୋଲି ଅଛି। ଏଥିରୁ କେଉଁ ବନାନ ଠିକ୍ ? ରାଜ୍ୟ ସରକାରଙ୍କର ନା କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକର?

ବ୍ରିଟିସ୍‌ ଶାସନ ସମୟରେ ତତ୍‌କାଳୀନ ଶାସକମାନେ ନିଜକୁ ସୁହାଇଲା ପରି ଜାଗା ନାମ ଇଂରାଜୀରେ ଉଚ୍ଚାରଣ କରୁଥିଲେ। ସେହି ଉଚ୍ଚାରଣ ଅନୁଯାୟୀ କାଗଜପତ୍ରରେ ବନାନ ଲେଖି ଦେଇଥିଲେ। ସେବେଠାରୁ ଏମିତି ଚାଲିଛି। ତ୍ରୁଟି ସଂଶୋଧନ ପାଇଁ ମଝିରେ ମଝିରେ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ଉଠିଛି। କିନ୍ତୁ ସରକାର ଆଗ୍ରହ ଦେଖାଇନାହାନ୍ତି। ଯଥାଶୀଘ୍ର ଏହି ତ୍ରୁଟିକୁ ସଜାଡ଼ି ଭବିଷ୍ୟତ ପାଇଁ ଓଡ଼ିଆ ଭାଷା ଓ ସ୍ଥାନର ମୌଳିକତା ବଜାୟ ରଖିବାକୁ ବିଭିନ୍ନ ମହଲରେ ଦାବି ହେ‌ଉଛି।

ଇଂରାଜୀ ଭାଷା, ସାହିତ୍ୟର ପ୍ରଫେସର ଯତୀନ୍ଦ୍ର ନାୟକ କହିଛନ୍ତି, ଏପରି ତ୍ରୁଟି ପଛରେ କୌଣସି ଯୁକ୍ତି ନାହିଁ। ବ୍ରିଟିସ୍‌ ଶାସନ ସମୟରେ ଭୁଲ୍‌ ଉଚ୍ଚାରଣକୁ ଏମିତି ବନାନ ଅଶୁଦ୍ଧି ହୋଇଛି। ତ୍ରୁଟି ସୁଧାରିଦେବାରେ କିଛି ଅସୁବିଧା ନାହିଁ। ପ୍ରମୁଖ ଜାଗାଗୁଡ଼ିକର ବନାନ ନିଶ୍ଚିତ ତ୍ରୁଟିମୁକ୍ତ ହେବାର ଆବଶ୍ୟକତା ରହିଛି। ସରକାର ଯଦି ରାଜ୍ୟର ବିଭିନ୍ନ ସ୍ଥାନର ଡିକ୍ସନାରି ପ୍ରସ୍ତୁତ କରନ୍ତେ, ତେବେ ଏମିତି ତ୍ରୁଟି ସବୁ ଜଣାପଡ଼ି ତାହାର ସଂଶୋଧନ ବାଟ ବାହାରି ପାରନ୍ତା।

ବିଶିଷ୍ଟ କଥାକାର ଗୌରହରି ଦାସଙ୍କ କହିବା‌ ଅନୁଯାୟୀ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। କିନ୍ତୁ ଏହାର ଇଂରାଜୀ ବନାନରେ ଏପରି ମୌଳିକ ତ୍ରୁଟି ଆଦୌ ଗ୍ରହଣୀୟ ନୁହେଁ। ଏହା ଅତ୍ୟନ୍ତ ଅଯୌକ୍ତିକ ଓ ହାସ୍ୟାସ୍ପଦ। ଭବିଷ୍ୟତ ପିଢ଼ି ପାଇଁ ତୁରନ୍ତ ଏସବୁକୁ ସଂଶୋଧନ କରାଯିବାର ଆବଶ୍ୟକତା‌ ରହିଛି। ଆମ ସାଂସ୍କୃତିକ ଭୀରୁପଣକୁ ଦୂର କରି ତାମିଲନାଡ଼ୁ ଢାଞ୍ଚାରେ ସରକାର ସଂଶୋଧନ ପାଇଁ ଆଗେଇ ଆସିବା ଉଚିତ।

ସମ୍ବନ୍ଧିତ ଖବର