କୋଟିପତି ଫରେଷ୍ଟର ଭିଜିଲାନ୍ସ ଜାଲରେ ପଡ଼ିଲା ପରେ ଦୁର୍ନୀତିଗ୍ରସ୍ତ ବନ ବିଭାଗ କର୍ମଚାରୀ ଛାନିଆ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ବନ ବିଭାଗ ଓ କେନ୍ଦୁପତ୍ର ବିଭାଗରେ ସର୍ବାଧିକ ଦୁର୍ନୀତି ହେଉଥିବା ବହୁଦିନରୁ ଚର୍ଚ୍ଚା ହେଉଥିଲା। ଏପରିକି ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଦାବି ହେଉଥିଲା। ବୁଧବାର ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ଅଧୀନରେ କାର୍ଯ୍ୟରତ କୋଟିପତି ଫରେଷ୍ଟର ଜଗବନ୍ଧୁ ବାରିକ। ଭିଜିଲାନ୍ସ ଚଢ଼ଉ ପରେ ତାଙ୍କର ପ୍ରାୟ ଦେଢ କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା। ଜଣେ ଫରେଷ୍ଟରଙ୍କ ଏପରି ସମ୍ପତ୍ତି ଥିବା ଜଣା ପଡ଼ିବା ପରେ ଏହାକୁ ନେଇ ଜିଲ୍ଲାରେ ବିଭିନ୍ନ ଚର୍ଚ୍ଚା ହେଉଛି। ଏହି ଘଟଣା ପରେ ବନ ବିଭାଗରେ ଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ଜିଲ୍ଲାରେ କେବଳ ଏହି ଜଣେ ଫରେଷ୍ଟର ନୁହେଁ ଅନେକ କୋଟିପତି ଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ଜିଲ୍ଲାରେ ବନ ବିଭାଗ ଏବଂ କେନ୍ଦୁପତ୍ର ବିଭାଗରେ ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ଦୁର୍ନୀତି ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି। ବନ ବିଭାଗ ଅଧୀନରେ ବିଗତ ବର୍ଷ ଗୁଡ଼ିକରେ ‌ହୋଇଥିବା ଜଙ୍ଗଲ ରାସ୍ତା ନିର୍ମାଣ, ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ପୋଖରୀ ଖନନ, ମନରେଗା ଯୋଜନାର କାର୍ଯ୍ୟ, ବୃକ୍ଷ ରୋପଣ ଏବଂ ରକ୍ଷଣାବେକ୍ଷଣ ଆଦି ଅନେକ କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହେଉଥିଲେ ମଧ୍ୟ ଏହାର ତଦନ୍ତ ହେଉ ନାହିଁ। ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ଚଞ୍ଚକତା କରି ବନ ବିଭାଗ ଅଧିକାରୀଙ୍କଠାରୁ ଆରମ୍ଭ କରି ତଳିଆ କର୍ମଚାରୀମାନେ ମାଲାମାଲ ହୋଇଛନ୍ତି। ଭିଜିଲାନ୍ସ ବିଭାଗ ଏହି ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ ଚଢ଼ଉ ଜାରି ରଖିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ସେହିପରି ଜିଲ୍ଲାରେ କେନ୍ଦୁପତ୍ର ବିଭାଗରେ ମଧ୍ୟ ବିଗତ ୫ ବର୍ଷ ମଧ୍ୟରେ ମହାଦୁର୍ନୀତି ହୋଇଥିବା ଗୁରୁତର ଅଭିଯୋଗ ହୋଇଛି। ଗୋଛାକଟା, କେନ୍ଦୁପତ୍ର ତୋଳା, ଶୁଖା, ଫଡ଼ିଘର ନିର୍ମାଣ ଓ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଅଧିକାରୀ ଓ କର୍ମଚାରୀ ଚଳୁ କରିଥିବା ଗୁରୁତର ଅଭିଯୋଗ ବହୁ ଦିନରୁ ହୋଇ ଆସୁଛି। ତେବେ ଏଠାରେ କେନ୍ଦୁପତ୍ର ଡିଭିଜନ କାର୍ଯ୍ୟାଳୟ ନଥିବା ବେଳେ ଜିଲ୍ଲାର ୧୧ଟି କେନ୍ଦୁପତ୍ର ରେଞ୍ଜ ସମ୍ବଲପୁର, ବଲାଙ୍ଗୀର, ରେଢାଖୋଲ ଡିଭିଜନ ଅଧୀନରେ ରହିଛି ଫଳରେ ଜିଲ୍ଲାରେ କେନ୍ଦୁପତ୍ର ବିଭାଗରେ ହେଉଥିବା ଦୁର୍ନୀତିର ତଦନ୍ତ ହେଉ ନାହିଁ। ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଭିଜିଲାନ୍ସ ବିଭାଗ ଧରିବା ନେଇ ଜନସାଧାରଣ ଆଶାବାଦୀ ଅଛନ୍ତି। ଆଗକୁ ଭିଜିଲାନ୍ସ ଜାଲରେ କେଉଁ ବନ ବିଭାଗ ଓ କେନ୍ଦୁପତ୍ର ବିଭାଗର ଅଧିକାରୀ ଓ କର୍ମଚାରୀ ପଡ଼ିବେ ତାହାକୁ ଚାହିଁ ବସିଛନ୍ତି ଜିଲ୍ଲାବାସୀ।

ସମ୍ବନ୍ଧିତ ଖବର