ସରକାରୀ ବାବୁଙ୍କ ଦୁର୍ନୀତି ନିଶା: ୧୦ ମାସରେ ବନ୍ଧା ହେଲେଣି ୭ କୋଟିପତି ଅଧିକାରୀ, ୧୬ କର୍ମଚାରୀ

ବ୍ରହ୍ମପୁର : ଚାକିରିରେ ଯୋଗଦାନ କରିବା ପୂର୍ବରୁ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସରକାରୀ କର୍ମଚାରୀ ଶପଥ ନେଉଛନ୍ତି। ହେଲେ ଦୁର୍ନୀତିରେ ବୁଡ଼ି ରହି ନେଇଥିବା ଶପଥ ମିଛ ପ୍ରମାଣିତ କରୁଛନ୍ତି। ଅଫିସରେ ପାଦ ଦେବା କ୍ଷଣି ଆରମ୍ଭ ହୋଇ ଯାଉଛି ଲାଞ୍ଚ କାରବାର। ଏଭଳି କର୍ମଚାରୀ ଓ ଅଧିକାରୀଙ୍କୁ ଠାବ କରିବା ପାଇଁ ଭିଜିଲାନ୍ସ ବିଭାଗ ସଜାଗ ଅଧିକ ତତ୍ପର ହୋଇଛି। ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଦାୟିତ୍ବ ସମ୍ପାଦନ ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼େ ପଡ଼ୁଛନ୍ତି। ଏପରିକି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଧିକାରୀଙ୍କୁ ମଧ୍ୟ ଠାବ କରିଛି ଭିଜିଲାନ୍ସ ବିଭାଗ। ଚଳିତ କ୍ୟାଲେଣ୍ଡର୍‌ ବର୍ଷ ୨୦୨୨ରେ ୧୦ମାସ ମଧ୍ୟରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍‌ରେ ମୋଟ ୨୩ଟି ଦୁର୍ନୀତି ମାମଲା ରୁଜୁ ହୋଇଛି। ଏହି ୨୩ଟି ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ୭ କୋଟିପତି ଅଧିକାରୀ, ଯନ୍ତ୍ରୀଙ୍କ ସମେତ ୨୩ଜଣଙ୍କୁ ବାନ୍ଧିଛି। ସେହି ୨୩ଜଣଙ୍କ ମଧ୍ୟରେ ୪ଜଣ ପ୍ରଥମ ଶ୍ରେଣୀର ଅଧିକାରୀ ରହିଥିବା ବେଳେ ୩ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ ରହିଛନ୍ତି। ଅନ୍ୟ ୧୬ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ରହିଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ।

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଭିଜିଲାନ୍ସ ବିଭାଗ ବିଭିନ୍ନ ପ୍ରକାର ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ଶପଥ ଗ୍ରହଣ କରାଯାଉଛି। ଲାଞ୍ଚ ଦେବା ନାହିଁ କି ଲାଞ୍ଚ ନେବା ନାହିଁ ବୋଲି ଭିଜିଲାନ୍ସ ବିଭାଗ ଜନସାଧାରଣଙ୍କୁ ସଚେତନ କରୁଛି। ଭିଜିଲାନ୍ସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଚଳିତ ଅକ୍ଟୋବର ଶେଷ ସୁଦ୍ଧା ମୋଟ ୨୬ ଜଣ ଅଧିକାରୀ, କର୍ମଚାରୀ ଓ ୪ଜଣ ସାଧାରଣ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି। ୨୩ଟି ମାମଲା ମଧ୍ୟରୁ ୮ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରହିଛି। ମୋଟ ୮ଜଣ ସରକାରୀ ଅଧିକାରୀ ଓ ୫ଜଣଙ୍କ ନାମରେ ଆୟ ବହିର୍ଭୂତ ମାମଲା ରୁଜୁ ହୋଇଛି। ଏହି ୮ଟି ମାମଲାରେ ୧୫କୋଟି ୭୦ଲକ୍ଷ ୯୯ହଜାର ୯୨୦ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ। ସେହିପରି ଚଳିତ ବର୍ଷ ମୋଟ ୧୪ମାମଲାରେ ୧୭ଜଣ କର୍ମଚାରୀ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ୨ଲକ୍ଷ ୧୯ହଜାର ଟଙ୍କା ଜବତ ହୋଇଛି। ସେହିପରି ସରକାରୀ ଅର୍ଥ ‌ହେରଫେର୍‌ ନେଇ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ହୋଇଥିବା ୨୨ଟି ଅଭିଯୋଗର ତଦନ୍ତ କରାଯାଇଛି। ତନ୍ମଧ୍ୟରୁ ୧୫ଟି ଅଭିଯୋଗର ତଦନ୍ତ ସମାପ୍ତ ହୋଇଥିବା ବେଳେ ୬ଟି ମାମଲାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌ କରାଯାଇଛି। ସେହିପରି ୮ଟି ଅଭିଯୋଗ ଉପରେ ଅପରାଧିକ ମାମଲା ରୁଜୁ କରାଯାଇଛି।

ଚଳିତ ବର୍ଷ ୧୫ଟି ଭିଜିଲାନ୍ସ ମାମଲାରେ ଦୋଷୀଙ୍କୁ ଦଣ୍ଡାଦେଶ ହୋଇଛି। ତନ୍ମଧ୍ୟରେ ଜଣେ ପ୍ରଥମ ଶ୍ରେଣୀ ଅଧିକାରୀ ରହିଥିବା ବେଳେ ୪ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ ଓ ୧୩ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ରହିଛନ୍ତି। ଏହା ସହିତ ଅନ୍ୟ ୩ଜଣ ସରକାରୀ କର୍ମଚାରୀ ଏବଂ ୪ଜଣ ସାଧାରଣ ଲୋକ ମଧ୍ୟ ରହିଛନ୍ତି। ମୋଟ ୨୫ଜଣ ଦୋଷୀଙ୍କୁ ଚଳିତ ବର୍ଷ ଭିଜିଲାନ୍ସ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ଭିଜିଲାନ୍ସ ଫରେଷ୍ଟ୍‌ ୱିଙ୍ଗ୍‌ ତରଫରୁ ୩୯ଟି ମାମଲାରେ ୨୬ଲକ୍ଷ ୪୫ହଜାର ୫ଶହ ଟଙ୍କାର କାଠ, ମେସିନ୍‌ ଏବଂ ଗାଡ଼ି ଜବତ କରାଯାଇଛି। ଏ ସଂକ୍ରାନ୍ତରେ ମୋଟ ୧୦ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର