ଭୁବନେଶ୍ବର : ଆଜି ଗୋଟିଏ ଦିନରେ ୪ଟି ଦୁର୍ନୀତି ମାମଲାର ଶୁଣାଣି କରି ରାଜ୍ୟର ବିଭିନ୍ନ ଭିଜିଲାନ୍‌ସ କୋର୍ଟ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଦୁର୍ନୀତିଗ୍ରସ୍ତଙ୍କ ମଧ୍ୟରେ ଜଣେ କୃଷି ଅଧିକାରୀ ଥିବା ବେଳେ ଅନ୍ୟ ୪ଜଣ କିରାଣୀ ବୋଲି ଜଣାପଡ଼ିଛି। ସେମାନେ ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟର ପୂର୍ବତନ ସହକାରୀ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ନାୟକ, ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ପୂର୍ବତନ କନିଷ୍ଠ କିରାଣୀ ଲଡ଼ୁକେଶ୍ବର ପ୍ରସାଦ ମହାପାତ୍ର, ସୁନ୍ଦରଗଡ଼ ଜିଲ୍ଲା ବ୍ଲକ ଶିକ୍ଷା କାର୍ଯ୍ୟାଳୟର ପୂର୍ବତନ ମୁଖ୍ୟ କିରାଣୀ କୁନୁ ଭୂଆଁ ଓ କନିଷ୍ଠ କିରାଣୀ ସାଲେକ୍‌ରାମ ଧୁରୁଆ ଏବଂ ଗଞ୍ଜାମ ଜିଲ୍ଲା ମନ୍ଦାର ଗ୍ରାମ ପଞ୍ଚାୟତର ପିଇଓ ପୂର୍ଣ୍ଣଚନ୍ଦ୍ର ବିଶୋଇ।

Advertisment

ସୂଚନା ମୁତାବକ ୨୦୧୫ ମସିହାରେ ଜଣଙ୍କୁ ସାର ଲାଇସେନ୍ସ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଟିମ୍‌ ଚଢ଼ଉ କରି କୃଷି ଅଧିକାରୀ ଗୋକୁଳ ନାୟକଙ୍କୁ ଗିରଫ କରିଥିଲା। ଆଜି ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଗୋକୁଳଙ୍କୁ ୨ବର୍ଷ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୬ମାସ ଜେଲ୍‌ଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ପ୍ରକାଶ କରାଯାଇଛି। ୨୦୧୧ ମସିହାରେ ପୁରୀ ଆର୍‌ଟିଓ କିରାଣୀ ଲଡ଼ୁକେଶ୍ବର ଜଣେ ବ୍ୟକ୍ତିଙ୍କ ଉପରେ ହୋଇଥିବା ଜରିମାନା ମାମଲାକୁ ରଫାଦଫା କରିବାକୁ ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା। ଆଜି ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଲଡ଼ୁକେଶ୍ବରଙ୍କୁ ବର୍ଷେ ଜେଲ୍‌ ଦଣ୍ଡ ସହ ଏକ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ଏକ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ପ୍ରକାଶ କରାଯାଇଛି।

୨୦୧୪ ମସିହାରେ ସୁନ୍ଦରଗଡ଼ ବିଇଓ କାର୍ଯ୍ୟାଳୟ କିରାଣୀ କୁନୁ ଓ ସଲେକ୍‌ରାମ ଜଣେ ପୂର୍ବତନ କର୍ମଚାରୀଙ୍କ ପେନ୍‌ସନ୍‌ ଫାଇଲ୍‌ ପ୍ରୋସେସିଂ ପାଇଁ ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ଟିମ୍‌ ସେମାନଙ୍କୁ ଗିରଫ କରିଥିଲା। ଆଜି ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ କୁନୁ ଓ ସଲେକ୍‌ରାମଙ୍କୁ ୪ବର୍ଷ ଜେଲ୍‌ ଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୨ମାସ ଜେଲ୍‌ଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ପ୍ରକାଶ କରାଯାଇଛି। ୨୦୦୯ ମସିହାରେ ଗଞ୍ଜାମ ମନ୍ଦାର ପଞ୍ଚାୟତ ପିଇଓ ପୂର୍ଣ୍ଣ ଏନ୍‌ଏଫ୍‌ଡବ୍ଲୁପି ଯୋଜନାରେ ଆସିଥିବା ୨୦୯ କୁଇଣ୍ଟାଲ୍‌ ଚାଉଳ ହେରଫେର କରି ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ଦ୍ବାରା ଗିରଫ ହୋଇଥିଲେ। ଆଜି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ପୂର୍ଣ୍ଣଙ୍କୁ ୨ବର୍ଷ ଜେଲ୍‌ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୧ମାସ ଜେଲ୍‌ଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ପ୍ରକାଶ କରାଯାଇଛି।