ବନୀକରଣ ଯୋଜନାରେ ମହାଦୁର୍ନୀତି: କାମ ନକରି ବି ଟଙ୍କା ପାଉଛନ୍ତି ଶ୍ରମିକ

କାଗଜପତ୍ରରେ ଚାଲିଛି କାମ, ରକ୍ଷଣାବେକ୍ଷଣ ଟଙ୍କା ହଡ଼ପ ହେଉଛି

ବଲାଙ୍ଗୀର : ସରକାରଙ୍କ ବନୀକରଣ ଯୋଜନାଗୁଡ଼ିକରେ ଶ୍ରମିକ କାମ କରୁନାହାନ୍ତି। ହେଲେ, ଟଙ୍କା ପାଉଛନ୍ତି। ଆଉ ସେହି ଟଙ୍କାକୁ ମିଳିମିଶି ଖାଇଯାଉଛନ୍ତି ତଳୁ ଉପର ଯାଏ ଅଧିକାରୀ ଓ କର୍ମଚାରୀ। ଏଭଳି କିଛି ତଥ୍ୟ ଏବେ ଭିଜିଲାନ୍ସ ସାମ୍ନାକୁ ଆଣିଛି। ଯାହାକି ବିଭାଗୀୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତ ୧୦ ତାରିଖ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଫରେଷ୍ଟର ହରିହର ସ୍ୱାଇଁ। ଭିଜିଲାନ୍ସ ଟିମ୍‌ ପୂର୍ବ ଯୋଜନା ଅନୁସାରେ ଚଢ଼ଉ କରି ଧରିଥିଲା। ୧ଲକ୍ଷ ୩୦୦ ଟଙ୍କା ସେ ଲାଞ୍ଚ ନେଇଥିବା ମାମଲାରେ ହରିହର ଏବେ ଜେଲ୍‌ରେ। ହରିହର କ’ଣ ପାଇଁ ଏତେ ଟଙ୍କା ଲାଞ୍ଚ ନେଇଥିଲେ, ତାହା ଅନୁସନ୍ଧାନ କରିବାରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଫରେଷ୍ଟର ହରିହର ବଙ୍ଗୋମୁଣ୍ଡା ରେଞ୍ଜ ଅଧୀନସ୍ଥ ସିନ୍ଧେକେଲା ସେକ୍ସନରେ ଚାକିରି କରୁଥିଲେ। କାମ୍ପା ଓ ମନ୍‌ରେଗା ଯୋଜନାରେ ବନୀକରଣ ପାଇଁ ଆସିଥିବା ଟଙ୍କା ଶ୍ରମିକମାନଙ୍କ ଆକାଉଣ୍ଟରେ ଜମା କରାଇଥିଲେ। ପ୍ରାୟ ୪୦ରୁ ୫୦ ଜଣ ଶ୍ରମିକଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା। ସେହି ଶ୍ରମିକମାନେ କିନ୍ତୁ କାମ କରିନଥିଲେ। ପ୍ରକୃତରେ ଚାରିପାଞ୍ଚ ଜଣ ଶ୍ରମିକ ଚାରାରୋପଣ କେବଳ କିଛିଟା କରିଥିଲେ। କାମ କରିନଥିବା ଶ୍ରମିକଙ୍କଙ୍କଠାରୁ ଜଣେ ଜଗୁଆଳିକୁ ଲଗାଇ ଟଙ୍କା ଆଦାୟ କରିଥିଲେ। ଭିଜିଲାନ୍ସ ଖବର ପାଇବା ପରେ ଯୋଜନା କରି ଫରେଷ୍ଟରଙ୍କୁ ଧରିଥିଲା। ଏହା ତ ଭାତ ହାଣ୍ଡିରୁ ଗୋଟିଏ ଚିତ୍ର।

ସାରା ଜିଲ୍ଲାର ଚିତ୍ର ଦେଖିଲେ ସବୁଠି ଘୋଟାଲା। କେଉଁଠି ଗଛ ଅଧା ଲଗାଇ ରକ୍ଷଣାବେକ୍ଷଣ ଟଙ୍କା ସଂପୂର୍ଣ୍ଣ ହରିଲୁଟ୍‌ ହେଉଛି ତ ଆଉ କେଉଁଠି କେବଳ ଫଳକ ଜଙ୍ଗଲରେ ଲଗାଇ ଦେଇ ଟଙ୍କା ଆତ୍ମସାତ୍‌ ହେଉଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲାରେ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରାୟ ୨୦ କୋଟିରୁ ଅଧିକ ଟଙ୍କା ବନୀକରଣରେ ଖର୍ଚ୍ଚ ହୋଇଛି। କାମ୍ପା, ମନ୍‌ରେଗା, ଷ୍ଟେଟ୍‌ ପ୍ଲାନ ଆଇଜିସି, ଗ୍ରିନ ଇଣ୍ଡିଆ ମିସନ, ଆମ ଜଙ୍ଗଲ ଯୋଜନାରେ ସବୁ ଖର୍ଚ୍ଚ କରାଯାଇଛି। ନିୟମ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ବନବିଭାଗ ଗଛ ଲଗାଇବାକୁ ସ୍ଥାନ ଚୟନ କରିଥାଏ। ସେଥିରେ ଟଙ୍କା ଖର୍ଚ୍ଚ ହୁଏ। ଦ୍ୱିତୀୟ ପର୍ଯ୍ୟାୟରେ ଗଛ ଲଗାଯାଇ ରକ୍ଷଣାବେକ୍ଷଣ କରାଯାଇଥାଏ। ତା’ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ସହ ଯେଉଁ ଗଛ ସବୁ ମରିଯାଇଥିବ, ତାକୁ ପୁଣି ଲଗାଯାଇ ରକ୍ଷଣାବେକ୍ଷଣ ହୁଏ। ଶେଷବେଳକୁ ରକ୍ଷଣାବେକ୍ଷଣ ଓ ଜଗୁଆଳି ବାବଦକୁ ବି ଟଙ୍କା ଖର୍ଚ୍ଚ ହୁଏ। ଲକ୍ଷ ଲକ୍ଷ ଟଙ୍କା ଗୋଟିଏ ଗୋଟିଏ ପ୍ରକଳ୍ପରେ ଖର୍ଚ୍ଚ ହୋଇଥାଏ। କିନ୍ତୁ ଏସବୁରେ ବ୍ୟାପକ ଦୁର୍ନୀତି ହେଉଛି। ଜାଲ୍‌ ଶ୍ରମିକ ନିଯୁକ୍ତି ଏହାର ଏକ ଜ୍ବଳନ୍ତ ଉଦାହରଣ। ସାରାଜିଲ୍ଲାରେ ବନୀକରଣ କାର୍ଯ୍ୟକ୍ରମ କେମିତି ଚାଲୁଛି ଭିଜିଲାନ୍ସ ଯଦି ଖୋଲତାଡ଼ କରେ, ଏହି ବଡ଼ଧରଣର ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରିବ।

ସମ୍ବନ୍ଧିତ ଖବର