ବଡ଼ଚଣା ବ୍ଲକରେ ଲକ୍ଷଲକ୍ଷ ଟଙ୍କାର କେଳେଙ୍କାରୀ

୨ ପିଇଓ ନିଲମ୍ବନ ପରେ ବ୍ଲକ୍ ଅଧିକାରୀଙ୍କ ପାଳି!

ଯାଜପୁର : ବଡ଼ଚଣା ବ୍ଲକର ଅନେକ ପଞ୍ଚାୟତରେ ସରକାରୀ ଅନୁଦାନର ଲକ୍ଷଲକ୍ଷ ଟଙ୍କା ମହାଦୁର୍ନୀତିର ପେଡ଼ି ଖୋଲିବାରେ ଲାଗିଛି। ଜଳକ୍ଳିଷ୍ଟ ଅଞ୍ଚଳର ଲୋକମାନଙ୍କୁ ଖରାଦିନରେ ପିଇବା ପାଣି ଯୋଗାଣ ନାମରେ ମିଛ ବିଲ୍ କରି ଲକ୍ଷଲକ୍ଷ ଟଙ୍କା ଚଳୁ କରି ୨ପିଇଓ ନିଲମ୍ବିତ ହୋଇଥିବା ବେଳେ ଅନ୍ୟ ପଞ୍ଚାୟତର ପିଇଓମାନେ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି। ସେହିପରି ଗୋପାଳପୁର ପଞ୍ଚାୟତର ବ୍ୟାପକ ଦୁର୍ନୀତି ନେଇ ବିଧାୟକ ଅମର ପ୍ରସାଦ ଶତପଥୀ ଉଦବେଗ୍ ପ୍ରକାଶ କରିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି। ପଞ୍ଚାୟତଗୁଡ଼ିକର କାମକୁ ନିୟନ୍ତ୍ରଣ କରୁଥିବା ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ (ଜିପିଡିଓ)ଏବେ ଚର୍ଚ୍ଚାରେ। ଜିପିଡିଓ ବନ୍ଦାଳୋ ପଞ୍ଚାୟତର ପିଇଓ ଦାୟିତ୍ବରେ ଥିବାବେଳେ ବିଭିନ୍ନ ଯୋଜନାରେ ମଧ୍ୟ ଲକ୍ଷଲକ୍ଷ ଟଙ୍କା ହେରଫେର ହୋଇଥିବାର ଅଭିଯୋଗ ହୋଇଛି।

ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ହରଡ଼ଘଣାରେ
ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାୟକଙ୍କ ସୁପାରିସ

ପ୍ରକାଶ ଥାଉକି ବଡ଼ଚଣା ବ୍ଲକ୍‌ର ମଝିପଡ଼ା ଓ କୋଲଣଗିରି ପଞ୍ଚାୟତର ପିଇଓଙ୍କୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନିଲମ୍ବିତ କରିଛନ୍ତି। ମଝିପଡ଼ା ପିଇଓଙ୍କ ନାମରେ ମଧ୍ୟ ଅପରାଧିକ ମାମଲା ମଧ୍ୟ ରୁଜୁ କରାଯାଇଛି। କାର୍ଯ୍ୟାନୁଷ୍ଠାନ କେବଳ ପିଇଓଙ୍କ ପର୍ଯ୍ୟନ୍ତ ସୀମିତ ରହିଛି। ଏଥିରେ କେତେକ ବ୍ଲକ୍ ପ୍ରଶାସନ ଅଧିକାରୀ ଭାଗୀଦାର ବୋଲି ଏବେ ଚର୍ଚ୍ଚାର କେନ୍ଦ୍ର ହୋଇଛି। ନିଲମ୍ବିତ ହୋଇଥିବା ୨ ଜଣ ପିଇଓ ୬ଟି ପଞ୍ଚାୟତ ଦାୟିତ୍ବରେ ଥିଲ‌େ। ୨ପଞ୍ଚାୟତର ହେରଫେର ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଅବଶିଷ୍ଟ ୪ ଟିର ତଦନ୍ତ ହେଲେ ବହୁ ରହସ୍ୟ ଲୋକଲୋଚନକୁ ଆସିବ ବୋଲି ପଞ୍ଚାୟତବାସୀ ଦାବି କରିଛନ୍ତି। ପଞ୍ଚାୟତଗୁଡ଼ିକ‌ରେ ପାନୀୟଜଳ ଯୋଗାଣରେ ମିଥ୍ୟା ବିଲ୍ ସହିତ ନିର୍ମାଣ କାମରେ ବ୍ୟାପକ ଅନିୟମିତତା ହୋଇଛି। କାଗଜପତ୍ର ଓ ଅଧିକାରୀଙ୍କ ଅନୁମତି ନଥାଇ ଲକ୍ଷଲକ୍ଷ ଟଙ୍କା ଅନୁଦାନ ହଡ଼ପ ହୋଇଛି।

ଏପରିକି ବ୍ଲକର ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ (ଜିପିଡିଓ) ୨୦୨୧-୨୨ ଆର୍ଥିକ ବର୍ଷରେ ବନ୍ଦାଳୋ ପଞ୍ଚାୟତର ପିଇଓ ଦାୟିତ୍ବରେ ଥିଲେ। ବନ୍ଦାଳୋ ପଞ୍ଚାୟତରେ ୨୦୨୧-୨୨ ଆର୍ଥିକ ବର୍ଷରେ ୧୧ ଟି କାର୍ଯ୍ୟ ପାଇଁ ଜିପିଡିଓଙ୍କ ନାମରେ ବିଲ୍ ପଇଠ କରାଯାଇଛି। ପଞ୍ଚମ ରାଜ୍ୟ ଅର୍ଥ କମିସନ ଯୋଜନାରେ ୪ ଟି କାର୍ଯ୍ୟ ପାଇଁ ୩ ଲକ୍ଷ ୭୫ ହଜାର ୬୧୭ ଟଙ୍କା, ଚତୁଦ୍ଦର୍ଶ ଅର୍ଥ କମିସନ ଯୋଜନାରେ ୪ ଟି କାର୍ଯ୍ୟ ପାଇଁ ୫ ଲକ୍ଷ ୮୬ ହଜାର ୩୧ ଟଙ୍କା ଓ ଚତୁର୍ଥ ଅର୍ଥ କମିସନ ଯୋଜନାରେ ୫ ଲକ୍ଷ ୬୫ ହଜାର ୮୦୩ ଟଙ୍କା ଜିପିଡିଓଙ୍କ ନାମରେ ବିଲ୍ ପଇଠ କରାଯାଇଛି। ଏହି ପଞ୍ଚାୟତର ଆସବାସପତ୍ର କିଣିବା ପାଇଁ ଚତୁର୍ଥ ଅର୍ଥ କମିସନ ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୩ ଲକ୍ଷ ୫୨ ହଜାର ୨୬୪ ଟଙ୍କା ଜିପିଡିଓ ନାମରେ ବିଲ୍ ଉଠାଯାଇଛି। କିଣା ଯାଇଥିବା ଆସବାବ ଏବେ ପଞ୍ଚାୟତ କାର୍ଯ୍ୟାଳୟରେ ନାହିଁ ବୋଲି ଅଭିଯୋଗ ହେଉଛି। ପଞ୍ଚାୟତରେ ଆସବାବପତ୍ର ୧ ଲକ୍ଷ ୫୦ ହଜାର ମଧ୍ୟରେ କିଣିବା ପାଇଁ ନିୟମ ଅଛି। ଲକ୍ଷଲକ୍ଷ ଟଙ୍କାର ଆସବାବପତ୍ର କିଣିବା ପାଇଁ ଜିଡିପିଓ ଅନୁମତି ପାଇଲେ କିପରି? ପଞ୍ଚାୟତରେ ପିଇଓ ଓ ଜିଡିପିଓ ଉଭୟ ଦାୟିତ୍ବରେ ରହି ୧୧ ଟି କାର୍ଯ୍ୟ ପାଇଁ ୧୫ ଲକ୍ଷ ୨୭ ହଜାର ୪୫୧ ଟଙ୍କାର ବିଲ୍ କରାଯାଇଛି। ଏଥିରେ ବ୍ୟାପକ ଦୁର୍ନୀତି ନେଇ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର