ଚର୍ଚ୍ଚାରେ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ, ଅଡିଟରଙ୍କ ଅଡିଟକୁ ନେଇ ଉଠିଲା ପ୍ରଶ୍ନ

ବଲାଙ୍ଗୀର: ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କକୁ ବିବାଦ ପିଛା ଛାଡୁନି । କେବେ ଏଠି ଆକାଉଣ୍ଟଧାରୀଙ୍କ ଅଜାଣତରେ ଆକାଉଣ୍ଟରୁ ଟଙ୍କା ଉଠିଯାଏ ତ ଆଉ କେବେ ବ୍ୟାଙ୍କର କର୍ମଚାରୀ, ଅଧିକାରୀଙ୍କ ହେରାଫେରିକୁ ନେଇ ଚର୍ଚ୍ଚା । ଏବେ ସ୍ୱତନ୍ତ୍ର ଅଡିଟ ରିପୋର୍ଟରେ ବ୍ୟାଙ୍କର ପୂର୍ବତନ ସଭାପତି, ୧୫ ଜଣ ନିର୍ଦ୍ଦେଶକ, ଅଧିକାରୀ କର୍ମଚାରୀମାନଙ୍କ ମନମାନୀ ସାମ୍ନାକୁ ଆସିଛି । ପ୍ରାୟ ଦେଢ କୋଟି ଟଙ୍କା ଅସୁଲି କରିବାକୁ ତାଲିକା ପ୍ରସ୍ତୁତ ହୋଇଛି । କିଏ କେତେ ଟଙ୍କା ଭରଣା କରିବେ ସେ ନେଇ ସମସ୍ତଙ୍କୁ ନୋଟିସ କରାଯାଇସାରିଥିବା ବ୍ୟାଙ୍କର ଭାରପ୍ରାପ୍ତ ସଂପାଦକ ସୂଚନା ଦେଇଥିଲେ । ହେଲେ ସ୍ୱତନ୍ତ୍ର ଅଡିଟକୁ ନେଇ ଏବେ ଉଠିଲାଣି ପ୍ରଶ୍ନ ।

କାରଣ ଯିଏ ସ୍ୱତନ୍ତ୍ର ଅଡିଟ କରିଛନ୍ତି, ସେ ପୂର୍ବରୁ ବ୍ୟାଙ୍କର କନକରେଣ୍ଟ ଅଡିଟର ଥିଲେ । ଆଉ  ବର୍ତ୍ତମାନ ଅଡିଟରେ ସେ ହିଁ ଦୁର୍ନୀତି ସବୁ ଲୋକଲୋଚନକୁ ଆଣିଛନ୍ତି । ଯାହାକି ଆଲୋଚନାର ପ୍ରସଙ୍ଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଅଡିଟର ବିରଜାପ୍ରସାଦ ମିଶ୍ର ବଲାଙ୍ଗୀର କେନ୍ଦ୍ରସମବାୟ ବ୍ୟାଙ୍କରେ ଗତ ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷରେ କନକରେଣ୍ଟ ଅଡିଟର ରହିଥିଲେ । ସେ ସମୟରେ ତାଙ୍କ ଗସ୍ତ ଖର୍ଚ୍ଚର ଏକ ଉଚ୍ଚ ଦରର ବିଲ ସେ ଦେଇଥିଲେ । ଉକ୍ତ ବିଲକୁ ତତକାଳିନ ସିଇଓ ଓ ପରିଚାଳନା ବୋର୍ଡ ବୈଠକରେ ଅନୁମୋଦନ କରାନଯାଇ ବାତିଲ କରାଯାଇଥିଲା । କିନ୍ତୁ ୨୦୨୦ ମସିହାରେ ଅଡିଟର ଶ୍ରୀ ମିଶ୍ର ପୁଣିଥରେ ବ୍ୟାଙ୍କର ସ୍ୱତନ୍ତ୍ର ଅଡିଟର ହୋଇ ଆସିବା ସମୟରେ ସୁଯୋଗ ନେଇ ୧ଲକ୍ଷ୩୪ ହଜାର ୩୭୮ ଟଙ୍କାର ବିଲକୁ ପାସ କରାଇଥିଲେ ।

ଏ ନେଇ ରାମ ମେହେର ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କଠାରେ ଗତ ଅଗଷ୍ଟ ମାସରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗର ତଦନ୍ତ କରିବାକୁ ରାଜ୍ୟ ସମବାୟ ନିବନ୍ଧକ ଅତିରିକ୍ତ ଅଡିଟର ଜେନେରାଲଙ୍କୁ ଚିଠି କରିଥିବା ଜଣାଯାଇଛି । ପୂର୍ବର ସିଇଓ ଓ ପରିଚାଳନା ବୋର୍ଡ ବାତିଲ କରିଥିବା ବିଲ ପରେ କେମିତି ପାସ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ୨୦୧୫ରୁ ୨୦୧୭ ଭିତରେ ସେ ଦେଢ କୋଟି ଟଙ୍କାର ଅନିୟମିତତାକୁ ନେଇ ନୀରବ ଥିଲେ କାହିଁକି? କିପରି ସେ ଦୁର୍ନୀତି ଜାଣିପାରିଲେ ନାହିଁ? ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି । ବ୍ୟାଙ୍କରେ ଏକ୍ସପୋଜର ଭିଜିଟରୁ ନେଇ ଗାଡି ମରାମତି ଓ ଅନ୍ୟ କାର୍ଯ୍ୟକ୍ରମରେ ମନଇଚ୍ଛା ଟଙ୍କା ଖର୍ଚ୍ଚ କରାଯାଇଥିବା ଅଡିଟ ଦର୍ଶାଇଛି । ଆଉ ସବୁ ଟଙ୍କା ଫେରସ୍ତ କରିବାକୁ ନୋଟିସ ବି ହେଲାଣି । ଏବେ ସ୍ୱତନ୍ତ୍ର ଅଡିଟ କରିଥିବା ଅଡିଟରଙ୍କ ନାଁରେ ବି ଏଭଳି ଅଭିଯୋଗ । ମୋଟାମୋଟି ଦେଖିବାକୁ ଗଲେ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କରେ ବ୍ୟାପକ ଦୁର୍ନୀତି ହୋଇଛି । ଆଉ ଏସବୁର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି ହେଉଛି ।

ସମ୍ବନ୍ଧିତ ଖବର