ଭୁବନେଶ୍ବର: ବ୍ରହ୍ମପୁର ମ୍ୟୁନିସିପାଲଟିରେ ବର୍ଜ୍ୟବସ୍ତୁ ପରିଚାଳନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିଛି। ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ ଓ ଏହାର ପରିଚାଳନା ପାଇଁ ହୋଇଥିବା ଚୁକ୍ତିନାମାକୁ ଉଲ୍ଲଂଘନ କରି କୋଟି କୋଟି ଟଙ୍କା ବାଟମାରଣା କରାଯାଇଛି। ରାଜ୍ୟରେ ନୂଆ ସରକାର ଆସିବା ପରେ ଅଭିଯୋଗକୁ ଭିତ୍ତିକରି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବ୍ରହ୍ମପୁର ମ୍ୟୁନିସିପାଲଟି ଓ ପୁନେସ୍ଥିତ ମାୟୋ ଭେସେଲ୍‌ସ ଏଣ୍ଡ ମେସିନ୍‌ସ ଲିମିଟେଡ୍‌, ଶ୍ରୀକୃପା ସର୍ଭିସ ଲିମିଟେଡ୍‌ ଓ ଗ୍ରିନ୍ ସର୍କଲ ଏନ୍‌ଭର୍ଣ୍ଣମେଣ୍ଟ ଲିମିଟେଡ୍‌ କମ୍ପାନିକୁ ମିଶାଇ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଏହି ପ୍ରକଳ୍ପ ପାଇଁ ମାୟୋ ଭେସେଲ୍‌ସ ଯନ୍ତ୍ରପାତି, ‌ପରିଚାଳନା କେନ୍ଦ୍ର ଡିଜାଇନ୍‌ କରିବା ସହ ଗ୍ରିନ୍ ସର୍କଲ ଏହାର ପରିଚାଳନା କରିବ। ଶ୍ରୀକୃପା ସର୍ଭିସ କେବଳ ଅର୍ଥ ନିବେଶ କରିବ। ୨୦ବର୍ଷ ଧରି ଚାଲିବାକୁ ଥିବା ଏହି ପ୍ରକଳ୍ପ ପାଇଁ ୧୩୦କୋଟି ଟଙ୍କା ତତ୍କାଳୀନ ସରକାର ବ୍ୟୟବରାଦ କରିଥିଲେ। ବର୍ଷକ ଭିତରେ ଯନ୍ତ୍ରପାତି ସ୍ଥାପନ ହେବା ସହ ୬ମାସ ପାଇଁ ଏହାର ପରୀକ୍ଷଣ ଚାଲିବ। ଏହି ସମୟରେ ଶ୍ରୀକୃପା କମ୍ପାନି ଅଗ୍ରୀମ ୪କୋଟି ଟଙ୍କା ନେଇଥିଲା। ମାତ୍ର ଏହି ଅର୍ଥକୁ ପ୍ରକଳ୍ପରେ ବିନିଯୋଗ କରାଗଲା ନାହିଁ। ଫଳରେ ଚୁକ୍ତିନାମାର ୬ବର୍ଷ ପରେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିନାହିଁ। ପରବର୍ତ୍ତୀ ସମୟରେ ଏହି କମ୍ପାନି ବିଭିନ୍ନ ସମୟରେ କୋଟି କୋଟି ଟଙ୍କା ପ୍ରକଳ୍ପ ନାଁରେ ଉଠାଇଥିବା ଅନ୍ୟ ଦୁଇ କମ୍ପାନି ଅଭିଯୋଗ କରିଛନ୍ତି। 

ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଠିକ୍ ସମୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ନ ହେବା ପଛରେ ଏକାଧିକ କାରଣ ସାମ୍ନାକୁ ଆସିଛି। ଯେଉଁ କମ୍ପାନିକୁ ଯନ୍ତ୍ରପାତି ସ୍ଥାପନ ସହ ଡିଜାଇନ୍‌ ପ୍ରସ୍ତୁତି ଓ ପରିଚାଳନା ଦାୟିତ୍ବ ଦିଆଯାଇଥିଲା ସେମାନଙ୍କୁ ଏହି ପ୍ରକଳ୍ପରେ ସାମିଲ କରାଗଲା ନାହିଁ। କେବଳ ଅର୍ଥ ନିବେଶ କରୁଥିବା କମ୍ପାନି ଏସ୍‌କେଏସ୍‌ ଏକଚାଟିଆ ଭାବେ ସବୁକିଛି ଦାୟିତ୍ବ ନିଜ ହାତକୁ ନେଇ ଯାଇଥିଲା। ମାୟୋ ଭେସେଲ୍‌ସ କମ୍ପାନିର ଦକ୍ଷତା ଓ ଅନୁଭୂତିକୁ ଆଧାର କରି ବ୍ରହ୍ମପୁର ମ୍ୟୁନିସିପାଲଟି ପକ୍ଷରୁ ଚୁକ୍ତିନାମା କରାଯାଇଥିଲା। କମ୍ପାନିର ପରିଚାଳନା ବିଶେଷଜ୍ଞ ଏହି ପ୍ରକଳ୍ପର ମୁଖ୍ୟ ଅଂଶୀଦାର ଥିବା ସତ୍ତ୍ବେ ତାଙ୍କୁ ଏହି ପ୍ରକଳ୍ପରୁ ବାଦ୍ ଦିଆଗଲା। ସେହିପରି ଏହି ପ୍ରକଳ୍ପର ବୈଷୟିକ ପରିଚାଳନା ତଦାରଖ ଓ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଇନ୍‌ଫ୍ରା ଇଣ୍ଡିଆ ନାମକ ଏକ କମ୍ପାନିକୁ ନିଯୁକ୍ତି ଦିଆଯାଇଥିଲା। ମାତ୍ର ପ୍ରକଳ୍ପର କାର୍ଯ୍ୟାନ୍ବୟନ ବିଳମ୍ବ ହେବା ଯୋଗୁଁ ସେ ଏହି ଦାୟିତ୍ବରୁ ଓହରି ଯାଇଥିଲେ। ପ୍ରକଳ୍ପର ପରିଚାଳନା ଦାୟିତ୍ବରେ ଥିବା କମ୍ପାନି ଗ୍ରିନ୍ ସର୍କଲକୁ ମଧ୍ୟ କୌଣସି କାର୍ଯ୍ୟରେ ସାମିଲ କରାଗଲା ନାହିଁ। ଚୁକ୍ତିନାମାର ଉଲ୍ଲଂଘନ ସଂପର୍କରେ ମାୟୋ ଭେସେଲ୍‌ସ ଓ ଗ୍ରିନ୍ ସର୍କଲ କମ୍ପାନି ପକ୍ଷରୁ କର୍ତ୍ତୃପକ୍ଷଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ। 

ପୁନେସ୍ଥିତ ମାୟୋ ଭେସେଲ୍‌ସର ଅଧିକାରୀ ମୋହନଲାଲ ଭଟ୍ଟି କହିଛନ୍ତି, ମାୟୋ ଭେସେଲ୍‌ସ ଏହି ଚୁକ୍ତିନାମାରେ ପ୍ରମୁଖତାରେ ରହିଥିଲା। ହେଲେ ଏସ୍‌କେଏସ୍‌ କମ୍ପାନି ପରବର୍ତ୍ତୀ ସମୟରେ ଚଞ୍ଚକତା କରି ଆମକୁ କୌଣସି କାମ କରିବା ଲାଗି ସୁଯୋଗ ଦେଇ ନ ଥିଲା। ବାରମ୍ବାର ମ୍ୟୁନିସିପାଲଟି କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ। ବାଧ୍ୟହୋଇ ମାୟୋ କମ୍ପାନି ପକ୍ଷରୁ କୋର୍ଟରେ ମାମଲା ଦାୟର କରାଯାଇଛି। ଏହାର ବିଚାର ଜାରି ରହିଥିବାରୁ କୋର୍ଟଙ୍କ ରାୟକୁ ଅପେକ୍ଷା କରାଯାଇଥିବା ସେ କହିଛନ୍ତି। ଅପରପକ୍ଷରେ ଶ୍ରୀକୃପା ସର୍ଭିସର ଅଧିକାରୀ ମହେଶ ଖେଡ଼କରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିନାହିଁ। ଦୁର୍ନୀତିର ତଦନ୍ତ ସଂପର୍କରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ବିନୟ ଦାଶଙ୍କୁ ପଚାରାଯାଇଥିଲେ ହେଁ ସେ ଏହା ସଂପର୍କରେ ଜାଣି ନ ଥିବା କହିଥିଲେ।