ରାସଗୋବିନ୍ଦପୁର/ମାଣିଦା: ସବୁ ଗରିବ ଅସହାୟ ଲୋକଙ୍କ ମୁଣ୍ଡ ଉପରେ ରହିବ ପକ୍କା ଛାତ। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସରକାରଙ୍କ ଲକ୍ଷ୍ୟପଥରେ କଣ୍ଟା ସାଜିଛନ୍ତି ଅସାଧୁ ଠିକାଦାର। ନିଜେ ଘର ତିଆରି କରିବାକୁ ଅକ୍ଷମ ହେଉଥିବା ହିତାଧିକାରୀଙ୍କୁ ଭୁତାଇ ସେମ‌ାନଙ୍କ ଘର କରିଦେବା ଆଳରେ ଟଙ୍କା ଧରି ଛୁ ମାରୁଛନ୍ତି। ରାସଗୋବିନ୍ଦପୁର ବ୍ଲକ୍‌ର ବିଭିନ୍ନ ଅଞ୍ଚଳରୁ ଏମିତି ଏକାଧିକ ଅଭିଯୋଗ ଆସିଛି।

Advertisment

ଏହି ବ୍ଲକ୍‌ର କମାରଡ଼ିଆ ପଞ୍ଚାୟତର ବାଉଁଶତୋଫା ଗ୍ରାମର ନୂଆସାହି, ଡାହିସାହି ଓ ଚୁଆମୁଣ୍ଡାର ଅନେକ ହିତାଧିକାରୀଙ୍କୁ ଚୁନ ମାରିଛନ୍ତି ଠିକାଦାର। ଅଭିଯୋଗ ଅନୁଯାୟୀ; ୨୦୧୩-୧୪ ଓ ୧୪-୧୫ ଆର୍ଥିକ ବର୍ଷରେ ଏହି ପଞ୍ଚାୟତର ମାହ୍ଲ ହେମ୍ବ୍ରମ୍‌, ଶଙ୍କର ମୁର୍ମୁ, ଧାରୀ ମୁର୍ମୁ, ପାଉରା ହେମ୍ବ୍ରମ୍‌, ରାୟ ମାର୍ଣ୍ଡି, ରାଇନା ହେମ୍ବ୍ରମ, ଦୁଃଖିନୀ ମାର୍ଣ୍ଡି, ସୁକୁଲ ସୋରେନ, ରୁପିଚନ୍ଦ ହାଁସଦା, ମନ୍ଦ ସୋରେନଙ୍କୁ ବିଜୁପକ୍କା ଘର ଯୋଜନାରେ ୭୫ ହଜାର ଟଙ୍କାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଥିଲା। ତେବେ ସେମାନେ ଗରିବ ଅସହାୟ ହୋଇଥିବାରୁ ଏତିକି ଟଙ୍କାରେ ଧାର୍ଯ୍ୟ ସମୟରେ କେମିତି ଘର କରିବେ ବୋଲି ବୁଦ୍ଧିବାଟ ପାଉନଥିଲେ। ଏହି ସମୟରେ କମାରଡିହା ଖୁଣ୍ଟା ଗ୍ରାମର ଜଣେ ବ୍ୟକ୍ତି (ଏବେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଛାମୁଆ ନେତା ପାଲଟିଛନ୍ତି) ସେମାନଙ୍କ ପାଖରେ ପହଞ୍ଚି ଠିକ୍‌ ସମୟରେ ଘର କାମ କରିଦେବାର ପ୍ରତିଶ୍ରୁତି ଦେଇ ପ୍ରଥମ କିସ୍ତି ୨୦ ହଜାର ଟଙ୍କା ନେଇ ଯାଇଥିଲେ। ହିତାଧିକାରୀଙ୍କୁ ଭରସା ଦେବାକୁ ଯାଇ ଅଳ୍ପ କିଛି ଦିନ ମଧ୍ୟରେ ଘର କାମ ଆରମ୍ଭ କରି ଦେଇଥିଲେ। ତେବେ ଦ୍ବିତୀୟ କିସ୍ତିରେ ୫୫ ହଜାର ଟଙ୍କା ଉଠାଇ ନେଇ ଆଉ ଘର ତିଆରି କରୁନାହାନ୍ତି କି ୮ ବର୍ଷ ହେଲା ଧରାଛୁଆଁ ଦେଉନାହାନ୍ତି। ତାଙ୍କ ଘରକୁ ଗଲେ ଏଠାରୁ ପଳାଅ, ନହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି କହି ଓଲଟା ଧମକଚମକ ଦେଉଛନ୍ତି।

ଏ ବାବଦରେ ବ୍ଲକ୍‌ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଆନେକ ଥର ଜଣାଇଛନ୍ତି ଗରିବ ହିତାଧିକାରୀ। ହେଲେ କିଛି ସୁଫଳ ମିଳୁନି। ନିକଟରେ ମୟୂରଭଞ୍ଜ ମାଟିର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଥିବାରୁ ସେ କାଳେ ତାଙ୍କ ଦୁଃଖ ଶୁଣିବେ ବୋଲି ଭାବି ତାଙ୍କୁ ବି ସେମାନେ ପତ୍ର ଲେଖିଛନ୍ତି। ତେବେ ପ୍ରଶାସନ ସେମାନଙ୍କୁ ନ୍ୟାୟ ନଦେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିବେ ବୋଲି ଠକାମୀର ଶିକାର ହୋଇଥିବା ହିତାଧିକାରୀମାନେ ଚେତାବନୀ ଦେଇଛନ୍ତି।