ବୋରିଂ ଆଶ୍ରମ ସ୍କୁଲରେ ବ୍ୟାପକ ଅନିୟମିତତା ଅଭିଯୋଗ

ଠାକୁରମୁଣ୍ଡା/କେନ୍ଦୁଜିଆଣୀ: ଠାକୁରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ବୋରିଂ ଆଶ୍ରମ ସ୍କୁଲରେ ରୋଷେୟା ଓ ପରିଚାରିକା (ସିସିଏ) ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଆର୍‌ଟିଆଇ ତଥ୍ୟରୁ ଜଣାପଡ଼ିଛି। ବୋରିଂ ସେବାଶ୍ରମ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବାବେଳେ ୩୪୭ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଆଦିବାସୀ ପିଲାଙ୍କ ନିମନ୍ତେ ହଷ୍ଟେଲ ଥିବାବେଳେ ରୋଷେୟା ମଧ୍ୟ ଆଦିବାସୀ ରହିବା କଥା। ହେଲେ ଏଠାରେ ଜଣେ ଅଣଆଦିବାସୀ ରୋଷେୟା ରସାନନ୍ଦ ମହାନ୍ତଙ୍କୁ ନିଯୁକ୍ତି ଦିଆଯାଇଛି। ଇତିମଧ୍ୟରେ ସେ ୨୫ ବର୍ଷ ଚାକିରି କଲେଣି। ପରବର୍ତ୍ତୀ ପର୍ଯ୍ୟାୟରେ ଅନିରୁଦ୍ଧ ମଢେଇଙ୍କୁ ଏଠାରେ ସିସିଏ ପଦରେ ନିଯୁକ୍ତି ଦିଆଗଲା। ଅଙ୍ଗନବାଡ଼ିର ତଥ୍ୟ ଅନୁଯାୟୀ ଅନିରୁଦ୍ଧଙ୍କ ଜନ୍ମ ୨୮.୨.୧୯୯୬ ହୋଇଥିବାବେଳେ ସ୍କୁଲ ସାର୍ଟିଫିକେଟରେ ୧୨.୨.୧୯୯୩ ଦର୍ଶାଯାଇଛି। ଅଙ୍ଗନବାଡି ତଥ୍ୟ ଯଦି ସତ୍ୟ ହୁଏ, ତେବେ ୨୦୧୨ରେ ନିଯୁକ୍ତି ବେଳକୁ ଅନିରୁଦ୍ଧଙ୍କୁ ୧୬ ବର୍ଷ ହୋଇଥିଲା। ତେଣୁ ୧୬ ବର୍ଷରେ ଅନିରୁଦ୍ଧଙ୍କୁ କେମିତି ନିଯୁକ୍ତି ମିଳିଲା ତାହା ତଦନ୍ତ ସାପେକ୍ଷ।

ବୋରିଂ ଗ୍ରାମର ଦଳୁ ନାଏକ ନାମକ ଜଣେ ବ୍ୟକ୍ତି ସ୍କୁଲକୁ ଜମିଦାନ କରିବାରୁ ତାଙ୍କ ପୁଅ ପ୍ରମୋଦ ନାଏକଙ୍କୁ ସିସିଏ ଭାବରେ ନିଯୁକ୍ତି ଦେବାକୁ ସ୍କୁଲ ପରିଚାଳନା କମିଟି ୧୬.୪.୨୦୧୧ରେ ଏକ ପ୍ରସ୍ତାବ ପାରିତ କରିଥିଲେ। ମାତ୍ର ନିଯୁକ୍ତି ବେଳକୁ ତାଙ୍କ ବଡ଼ଭାଇ ପରମେଶ୍ୱର ନାଏକଙ୍କୁ ନିଯୁକ୍ତି ଦିଆଗଲା। ଅର୍ଥାତ ପ୍ରସ୍ତାବ (ରିଜୋଲ୍ୟୁସନ୍‌) ଜଣକ ନାମରେ ହୋଇଥିବାବେଳେ ଚାକିରି ଆଉ ଜଣକୁ ଦିଆଗଲା। ସେହିପରି ଶରତ ନାଏକ ନାମକ ଜଣେ ବ୍ୟକ୍ତି ଜମି ଦେଇଥିବାରୁ ତାଙ୍କ ପତ୍ନୀ ସୁକୁମାରୀ ନାଏକଙ୍କୁ ସିସିଏ ଭାବେ ନିଯୁକ୍ତି ଦିଆଯାଇଛି। କିନ୍ତୁ ତାଙ୍କ ସାର୍ଟିଫିକେଟ୍‌କୁ ନେଇ ବିବାଦ ଉଠିଛି। ତାଙ୍କ ଘର କରଞ୍ଜିଆ ଅଞ୍ଚଳ କରଡ଼ିଆରେ।

ସେ ୨୦୦୩ ମସିହାରେ କରଞ୍ଜିଆ ବ୍ଲକ୍‌ ଦୁଧିଆଣି ପଞ୍ଚାୟତ ଶ୍ୟାମଚନ୍ଦ୍ରପୁର ଉଚ୍ଚ ପ୍ରାଥମିକ ସ୍କୁଲରୁ ୫ମ ଶ୍ରେଣୀ ସାର୍ଟିଫିକେଟ୍‌ ଆଣିଛନ୍ତି। ଏହାର ସତ୍ୟତା ନେଇ ସମ୍ପୃକ୍ତ ସ୍କୁଲକୁ ବିଇଓ କାର୍ଯ୍ୟାଳୟ ପକ୍ଷରୁ ଚିଠି କରାଯାଇଛି। ସେହିପରି ସ୍କୁଲକୁ କୁଶ ନାଏକ ନାମକ ଜନୈକ ବ୍ୟକ୍ତି ଜମିଦାନ କରିଥିବାରୁ ତାଙ୍କ ପରିବାରରୁ ଜଣକୁ ନିଯୁକ୍ତି ଦେବାକୁ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ନିଯୁକ୍ତି ବେଳକୁ ଅନ୍ୟ ଜଣେ ବ୍ୟକ୍ତି କୁଶ ମଢେଇଙ୍କୁ ନିଯୁକ୍ତି ଦିଆଯାଇଛି। ବିବରଣୀ ଓ ନିଯୁକ୍ତିରେ ସାମଞ୍ଜସ୍ୟ ରହୁଥିବାବେଳେ ଜମି ଦେଲେ ବୋଲି ନିଯୁକ୍ତି ଦିଆଯିବ, ଏଭଳି ନିଷ୍ପତ୍ତିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁ ରିଜୋଲ୍ୟୁସନ୍‌ରେ ଏସବୁ ନିଷ୍ପତ୍ତି ନିଆଯାଇଛି, ସେଥିରେ ପରିଚାଳନା କମିଟିର ସଭାପତି, ପ୍ରଧାନଶିକ୍ଷକ ଓ ଜଣେ ମାତ୍ର ସଭ୍ୟଙ୍କ ଦସ୍ତଖତ ଥିବାର ଦେଖିବାକୁ ମିଳିଛି।

ସ୍କୁଲ ନାମରେ ୨.୨୮ଏକର ଜମି ଥିବାବେଳେ ଦାନ ଦିଆଯାଇଥିବା ଭୂସଂପତ୍ତି ସ୍କୁଲ ନାମକୁ ଆସି ପାରିନାହିଁ। ଆଦିବାସୀଙ୍କ ଜମି ହୋଇଥିବାରୁ ତାହା ହସ୍ତାନ୍ତରଯୋଗ୍ୟ ନୁହେଁ। ପୁରୁଣା ହଷ୍ଟେଲରେ ଛାତ୍ରସଂଖ୍ୟା ୧୦୦ ଥିବାବେଳେ ଛାତ୍ରୀନିବାସରେ ୧୮୬ ଛାତ୍ରୀ ରହୁଛନ୍ତି। ଦାନ ଭୂସଂପତ୍ତି ଉପରେ ୧୦୦ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଲ ୨୦୧୬ ମସିହାରୁ ନିର୍ମାଣ ସରିଥିଲେ ମଧ୍ୟ ସ୍କୁଲକୁ ଏଯାଏ ହସ୍ତାନ୍ତର ହୋଇ ପାରିନାହିଁ। ବର୍ତ୍ତମାନ ସେହି ନିର୍ମିତ ହଷ୍ଟେଲ ଏକପ୍ରକାର ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଲାଣି। ଏଣେ ପର୍ଯ୍ୟାପ୍ତ ସୁବିଧା ନଥିବାରୁ ଛାତ୍ରଛାତ୍ରୀ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ମାନସ ରଂଜନ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ନୂଆ ଆସିଛନ୍ତି, ପୂର୍ବରୁ କ’ଣ ହୋଇଛି ଜାଣିନଥିବା ପ୍ରକାଶ କରିଛନ୍ତି। ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁଶାନ୍ତ କୁମାର ସାହୁ ଘଟଣା ସଂପର୍କରେ ବୁଝି ଜଣାଇବେ ବୋଲି କହିଥିବାବେଳେ ପିଏ ଆଇଟିଡିଏ ଦେବଦତ୍ତ ମହାନ୍ତ ଏ ବିଷୟରେ କିଛି ଜାଣି ନଥିବା କହିଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ଏଭଳି ବିଭ୍ରାଟ ସଂପର୍କରେ ବରିଷ୍ଠ ଅଧିକାରୀମାନେ ଅଜ୍ଞ ରହିଥିବାରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର