ସ୍ମାର୍ଟ ସ୍କୁଲ କମ୍ପ୍ୟୁଟର କିଣାରେ ଅନିୟମିତତା

ଯାଜପୁର: ଗତ ଜୁଲାଇ ଓ ଅଗଷ୍ଟ ମାସରେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର ୨୩ଟି ସ୍ମାର୍ଟ ସ୍କଲ ପାଇଁ କଟକର ଏକ ଫାର୍ମରୁ ୯୨ଟି ଡେସ୍କଟପ୍‌ ଓ ୟୁପିଏସ୍‌ କିଣାଯାଇଥିଲା। ପ୍ରତ୍ୟେକ କମ୍ପ୍ୟୁଟରର ମୂଲ୍ୟ ଥିଲା ୪୯ହଜାର ୯୯୮ଟଙ୍କା।   ସେହିପରି ଅନ୍ୟ ଏକ ଫାର୍ମରୁ ଧର୍ମଶାଳା ବ୍ଲକ୍‌ର ୭ଟି ସ୍ମାର୍ଟସ୍କୁଲ ପାଇଁ ୨୮ଟି ଡେସ୍କଟପ୍ ଓ ୟୁପିଏସ୍ କିଣାଯାଇଥିଲା। ଏଠାରେ ପ୍ରତ୍ୟେକ କମ୍ପ୍ୟୁଟର ମୂଲ୍ୟ ଆଣ୍ଟିଭାଇରସ୍ ସହିତ  ୪୯ହଜାର ୨ଶହ ଟଙ୍କା ରହିଥିଲା।  ଅପରପକ୍ଷରେ ବଡ଼ଚଣା ବ୍ଲକ୍‌ ପାଇଁ ଗୋଟିଏ କମ୍ପ୍ୟୁଟର ପିଛା ୫୭ ହଜାର ଟଙ୍କା ଦରରେ ୩୫ଟି କମ୍ପ୍ୟୁଟର କ୍ରୟ କରାଯାଇଛି। କମ୍ପ୍ୟୁଟର କିଣାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ପରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାପାଳ ଶ୍ରୀ ରାଠୋର  ବ୍ଲକଗୁଡ଼ିକୁ ୩୫ହଜାରରୁ ୪୦ହଜାର ଟଙ୍କା ମୂଲ୍ୟ ମଧ୍ୟରେ କମ୍ପ୍ୟୁଟର କିଣିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଦଶରଥପୁର ଏବଂ କୋରେଇ ବ୍ଲକ୍ କମ୍ପ୍ୟୁଟର କ୍ରୟ କରିଥିଲେ । ଜିଇଏମ୍ ବିଡ଼ିଂ ମାଧ୍ୟମରେ କମ୍ପ୍ୟୁଟର କିଣିବାକୁ ଆବେଦନ ଆହ୍ବାନ କରାଯାଇଥିଲେ ମଧ୍ୟ  ସମସ୍ତ ବିଡରଙ୍କ ଡେସ୍କଟପ୍ ଓ ୟୁପିଏସ୍ ଯୋଗାଣ ମୂଲ୍ୟ ହାରାହାରି ୫୦ହଜାର ଟଙ୍କାରୁ ଅଧିକ ଥିଲା। ବଡ଼ଚଣା ଓ ରସୁଲପୁର ବ୍ଲକ୍ ସର୍ବନିମ୍ନ ମୂଲ୍ୟ ଦର୍ଶାଇଥିବା ଯୋଗ୍ୟ ବିଡ଼ରଙ୍କୁ  ଯୋଗାଣ ଆଦେଶ ନଦେଇ ଜିଇଏମ୍ ବିଡ଼ିଂକୁ ସ୍ଥଗିତ ରଖିଥିଲେ । ତିନି ମାସ ବିତିଲା ପରେ ବଡ଼ଚଣା ଓ ରସୁଲପୁର ବ୍ଲକ୍ ଏବେ ଚଢ଼ା ମୂଲ୍ୟରେ ଡେସ୍କଟପ୍ ଓ ୟୁପିଏସ୍ କ୍ରୟ କରିବାକୁ ସର୍ବନିମ୍ନ ମୂଲ୍ୟ ଦର୍ଶାଇଥିବା ଏଲ୍-୧ ବିଡରଙ୍କୁ ଯୋଗାଣ ଆଦେଶ ଦେଇଛନ୍ତି। କଟକର ଫାର୍ମରୁ ଯେଉଁ କମ୍ପ୍ୟୁଟର ୪୯ହଜାର ୯୯୮ଟଙ୍କାରେ  ବିଂଝାରପୁର ବ୍ଲକ୍ କ୍ରୟ କରିଥିଲା। ସେହି କମ୍ପ୍ୟୁଟରକୁ ବଡ଼ଚଣା ବ୍ଲକ୍ ୫୭ହଜାର ଟଙ୍କା ଦରରେ କିଣିଛନ୍ତି। ୩୫ଟି କମ୍ପ୍ୟୁଟର କ୍ରୟ କରିବା ପାଇଁ ୧୯ଲକ୍ଷ ୯୫ହଜାର ଟଙ୍କାର ଯୋଗାଣ ଆଦେଶ ଦେଇଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଚଣ୍ଡିଖୋଲର ବରିଷ୍ଠ ଆଇନଜୀବୀ ଉଦୟନାଥ ସାହୁ  ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ‌ ଦେଇଥିବା  ଶ୍ରୀ ସାହୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର