ଯାଜପୁର: ରାଜ୍ୟ କାଜୁ ନିଗମର ଯାଜପୁର ଡିଭିଜନରେ ବିଗତ ୫ ବର୍ଷ ମଧ୍ୟରେ କାଜୁ ବଗିଚା ନିଲାମରେ ୬୮ ଜଣ ନିଲାମଧାରୀଙ୍କ ଉପରେ ୧ କୋଟି ୮୭ ଲକ୍ଷ ୭୧ ହଜାର ୮୫୦ ଟଙ୍କା କେଳେଙ୍କାରୀ ଚର୍ଚ୍ଚାକୁ ଆସିଥିବାବେଳେ ଏହି ଡିଭିଜନର ନର୍ସରିଗୁଡିକରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ନେଇ ‘ସମ୍ବାଦ’ ହାତରେ ତଥ୍ୟ ଲାଗିଛି। ଯେଉଁ ବ୍ୟକ୍ତି ଧାର୍ଯ୍ୟ ସମୟରେ ନିଲାମ ଅର୍ଥ ପୈଠ କରିନାହାନ୍ତି, ସେମାନଙ୍କର ଟେଣ୍ତର ବାତିଲ ନକରି କାଜୁ ତୋଳିବାକୁ ସୁଯୋଗ ଦିଆଯାଇଛି। କାଜୁ ତୋଳା ଯିବାପରେ ଥାନାରେ ଏତଲା ଦିଆଯାଇଛି। ଏହି ବ୍ୟକ୍ତିଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ବାକି ରଖିଥିଲେ ମଧ୍ୟ କାଗଜପତ୍ରରେ ଟନ୍ ଟନ୍ ଖତ ସ୍କୁଟର୍ରେ ଯୋଗାଣ ହୋଇଥିବା ବିଲ୍ କରାଯାଇଛି। ଯେଉଁଥିରୁ ଏହି ଡିଭିଜନରେ ହୋଇଥିବା ଦୁର୍ନୀତିରେ ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତି ସ୍ପଷ୍ଟ ବାରି ହୋଇପଡୁଛି।
ହସ୍ତଗତ ତଥ୍ୟ ଅନୁସାରେ, ବୈରୀ ଥାନା ଅନ୍ତର୍ଗତ ଦେହୁରୀଗଡା ଗ୍ରାମର ବଂଶୀଧର ବ୍ରହ୍ମ ଏହି ଡିଭିଜନରେ ରହିଥିବା ରାଇଝର–ଇ କାଜୁ ଉଦ୍ୟାନରେ ଚାରାରୋପଣ ସମୟରେ ବ୍ୟବହୃତ ହୋଇଥିବା ୨୦ ଟନ ଗୋବର ଖତ ୨୦୧୯ ଜୁଲାଇ ୧୯ ତାରିଖରୁ ୨୨ ତାରିଖ ମଧ୍ୟରେ ଯୋଗାଇଛନ୍ତି। ସେ ଗୋବର ଖତ ବୋହିଥିବା ଗାଡି ନମ୍ବର ଓଡି୦୭ଟି- ୨୨୦୩ ବୋଲି ଦର୍ଶାଯାଇଛି। ମାତ୍ର ଏହି ନମ୍ବରଟି ଗଞ୍ଜାମ ଜିଲାରେ ପଞ୍ଜିକୃତ ଏକ ସ୍କୁଟର (ହିରୋ ପ୍ଲେଜର)ର ବୋଲି ଜଣାପଡ଼ିଛି। ବଂଶୀଧର କିପରି ସ୍କୁଟର୍ରେ ୨୦ ଟନ୍ ଖତ ବୋହିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବଂଶୀଧର କେବଳ ଖତ ଯୋଗାଣକାରୀ ନୁହନ୍ତି। ସେ ୨୦୧୭–୧୮ ଠାରୁ ୨୦୧୯–୨୦ ଯାଏ ଏହି ଡିଭିଜନର ରାଇଝର ନୂଆ–ଏବିସି ଏବଂ ୨୦୧୯-୨୦ରେ ରାଇଝର ନୂଆ–ଡି କାଜୁ ବଗିଚାକୁ ନିଲାମ ଆକାରରେ ନେଇଥିଲେ। ରାଇଝର ନୂଆ–ଏବିସି କାଜୁ ବଗିଚାର ୨୦୧୯–୨୦ ଶେଷବର୍ଷରେ ସେ ୮ଲକ୍ଷ ୫୦ ହଜାର ଟଙ୍କା ବାକି ରଖିଥିଲେ। ସେହିପରି ଭାବେ ରାଇଝର ନୂଆ–ଡି କାଜୁ ବଗିଚା ବାବଦକୁ ୨୦୧୯–୨୦ ବର୍ଷର ୯ ଲକ୍ଷ ୩୭ ହଜାର ଟଙ୍କା ବାକି ରଖିଥିଲେ। ଜଣେ ବ୍ୟକ୍ତିଙ୍କ ଉପରେ ୧୭ ଲକ୍ଷ ୮୭ ହଜାର ଟଙ୍କା ବାକି ରହିଥିବା ବେଳେ ବିଭାଗୀୟ ଅଧିକାରୀମାନେ ତାଙ୍କୁ ଅନୁକମ୍ପା ଦେଖାଇଛନ୍ତି। ନିୟମ ଅନୁସାରେ ଟେଣ୍ତର ସମୟର ୭ ଦିନ ମଧ୍ୟରେ ଟଙ୍କା ପୈଠ ନକଲେ ଟେଣ୍ତର ବାତିଲ ହେବା କଥା ମାତ୍ର ବିଭାଗୀୟ ଅଧିକାରୀ ଏହା ନକରି ସେ କାଜୁ ତୋଳିନେବାର ଦୀର୍ଘ ୬ ମାସ ପରେ ତାଙ୍କ ନାମରେ ବୈରୀ ଥାନାରେ ଗତ ୧୦/୬/୨୦୨୦ରେ ଏତଲା ଦେଇଛନ୍ତି।
ସେହିପରି ବୈରୀ ଥାନା ନେଳିଆ ଗ୍ରାମର ସୁରେଶ କୁମାର ବେହେରା ସୋଲର ନର୍ସରି ସୁପରଭାଇଜରଙ୍କଙ୍କୁ ୨୨.୫ ଟନ ଗୋବର ଖତ ଯୋଗାଇଛନ୍ତି। ଯାହା ପାଇଁ ନର୍ସରି ପକ୍ଷରୁ ତାଙ୍କୁ ୩୩ ହଜାର ୭୫୦ ଟଙ୍କା ପ୍ରଦାନ କରାଯାଇଛି। ସେ ନିଜ ଟ୍ରାକ୍ଟର ନମ୍ବର ଓଆର୦୪ବି ୪୮୩୪ରେ ଖତ ଯୋଗାଇଥିବା ଭାଉଚରରେ ଦର୍ଶାଯାଇଛି। ମାତ୍ର ଏହି ଗାଡି ନମ୍ବର ଏଲଏମଏଲ ଭେସ୍ପା ସ୍କୁଟର। ଦୁଇଚକିଆ ମୋଟର ସାଇକେଲକୁ ଟ୍ରାକ୍ଟର ଦର୍ଶାଇ ଅର୍ଥ ହରିଲୁଟ କରାଯାଇଛି। ବିଭାଗୀୟ ଅଧିକାରୀମାନେ ଏଭଳି ଭାବେ ମିଛ ବିଲ୍ ଭାଉଚର ପ୍ରସ୍ତୁତ କରି କେବଳ ସୋଲର ନର୍ସରିରେ ୨୦୧୯–୨୦ ବର୍ଷରେ ଲକ୍ଷ ଲକ୍ଷ ଟଙ୍କା ଖତ, ମାଟି ଯୋଗାଣ ଆଳରେ ଚଳୁ କରିଛନ୍ତି। ଏହି ଡିଭିଜନର କାଜୁ ବଗିଚା ଓ ନର୍ସରି ଗୁଡିକରେ ବ୍ୟାପକ ଜାଲିଆତି କରାଯାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଇଥିବା ସରକାରୀ ଦସ୍ତାବିଜରୁ ସୂଚନା ମିଳିଛି। ଏହି ମହାଦୁର୍ନୀତିର ତଥ୍ୟ ଲୋକଲୋଚନାକୁ ଆସିବା ପରେ ବିଭାଗୀୟ ଅଧିକାରୀ, ଠିକାଦାର ଓ ଲିଜଧାରୀଙ୍କ ମଧ୍ୟରେ ଛନକା ପଶିଛି। ଉଚ୍ଚ ପଦାଧିକାରୀ ଏହାର ତଦନ୍ତ ନକରି ନିରବ କାହିଁକି? ଯାହାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ଘନେଇବାରେ ଲାଗିଛି।