କାଜୁ ବଗିଚା ନିଲାମ ଆଳରେ ଦୁର୍ନୀତି: ୫ ବର୍ଷରେ ୧ କୋଟି ୮୭ ଲକ୍ଷ

ଯାଜପୁର: କାଜୁ ବଗିଚା ନିଲାମ ଆଳରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଇଛି। ବଗିଚା ନିଲାମଧାରୀ ଓ ସଂପୃକ୍ତ ଅଧିକାରୀଙ୍କ ଅସାଧୁମେଣ୍ଟ ସଂପର୍କରେ ‘ସମ୍ବାଦ’ ଅନୁସନ୍ଧାନ ଟିମ୍‌ ହାତରେ ଅନେକ ତଥ୍ୟ ଲାଗିଛି। ରାଜ୍ୟ କାଜୁ ନିଗମର ଯାଜପୁର ଡିଭିଜନ(ଛତିଆ)ରେ ବିଗତ ୫ ବର୍ଷ ମଧ୍ୟରେ ୬୮ନିଲାମଧାରୀଙ୍କ ନାମରେ ୧କୋଟି ୮୭ଲକ୍ଷ ୭୧ହଜାର ୮୫୦ଟଙ୍କା ଚଳୁ କରାଯାଇଛି। ନାମକୁ ମାତ୍ର ଥାନାରେ ଏତଲା କରି ଅଧିକାରୀ ପରୋକ୍ଷରେ ସହଯୋଗ କରିଛନ୍ତି।

ସରକାରୀ ତଥ୍ୟ ମୁତାବକ ରାଜ୍ୟ କାଜୁ ଡିଭିଜନ(ଛତିଆ)ରେ ନିଲାମଧାରୀ ରାଜସ୍ବ ପୈଠ କରୁନଥିବା ଅଭିଯୋଗ କରି ଉଦ୍ୟାନ ପର୍ଯ୍ୟବେକ୍ଷକ ବୈରୀ ଥାନାରେ ୭ଜଣଙ୍କ ନାମରେ, ବାଲିଚନ୍ଦ୍ରପୁର ଥାନାରେ ୨ଜଣ ଓ ଚୌଦ୍ବାର ଥାନାରେ ଜଣକ ନାମରେ ଗତ ୨୦୨୦ ଜୁନ ମାସରେ ଏତଲା ଦେଇଥିଲେ। ଏତଲାରେ ଦର୍ଶାଯାଇଛି ଯେ, ଏହି ନିଲାମଧାରୀମାନେ ଅର୍ଥ ଦାଖଲ ନକରି ଜୋରଜବରଦସ୍ତ କାଜୁବଗିଚା ମଧ୍ୟରେ ଅସ୍ଥାୟୀ ଗୃହ ନିର୍ମାଣ ସହ ସମସ୍ତ କାଜୁ ମଞ୍ଜି ଲୋକ ଲଗାଇ ସଂଗ୍ରହ କରି ନେଇଛନ୍ତି। ଏଥିରେ ଉଦ୍ୟାନ ପର୍ଯ୍ୟବେକ୍ଷକ ନିଜର ଅସହାୟତା ପ୍ରକାଶ କରିବା ସହ ରାଜସ୍ବ ଖିଲାପକାରୀଙ୍କ ଠକେଇ କଥା କହିଛନ୍ତି। ଏହି କାରଣରୁ ନିଗମର ବ୍ୟାପକ ରାଜସ୍ବ କ୍ଷତି ହୋଇଥିବା ଦର୍ଶାଯାଇଛି।

ଏବେ ପ୍ରଶ୍ନ ଉଠୁଛି, ନିଗମକୁ ନିଲାମଧାରୀ ଧାର୍ଯ୍ୟ ସମୟରେ ଟଙ୍କା ପୈଠ କରିନଥିବାରୁ ସେହି ସମୟରେ ତାଙ୍କର ନିଲାମକୁ କାହିଁକି ରଦ୍ଦ କରାଗଲାନି? ନିଲାମ ସମୟରେ କାହିଁକି ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ? କାହିଁକି ସେମାନଙ୍କୁ ଏପ୍ରିଲ୍‌ ଓ ମେ’ ମାସରେ କାଜୁ ସଂଗ୍ରହ ପାଇଁ ସୁଯୋଗ ଦିଆଗଲା? ଜୁନ୍‌ ମାସରେ ଥାନାରେ ଏତଲା ଦିଆଗଲା, କାଜୁ ମଞ୍ଜି ସଂଗ୍ରହ ପୂର୍ବରୁ କାହିଁକି ଏତଲା ଦିଆଗଲା ନାହିଁ? ଫଳରେ, ସରକାରୀ ନିୟମକୁ ଫୁ କରି ନିଲାମ ରଦ୍ଦ ପରିବର୍ତ୍ତେ ୬ ମାସ ପରେ ଥାନାରେ ଏତଲା ଦେଇ ନିଜ ମୁଣ୍ତରୁ ଅଧିକାରୀ ଦୋଷ ଖସାଇ ଦେଇଛନ୍ତି।

ନିୟମ ମୁତାବକ ନିଲାମ ପାଇବାର ୭ ଦିନ ମଧ୍ୟରେ ନିଲାମଧାରୀ ୪୦ ପ୍ରତିଶତ ଅର୍ଥ ଜମା ନକଲେ ନିଲାମ ରଦ୍ଦ ହେବ। ମାତ୍ର ବିଭାଗୀୟ ଅଧିକାରୀମାନେ ନିଲାମ ରଦ୍ଦ ନକରି ଏତଲା ଦେଇ ବସି ଯାଇଛନ୍ତି। ନିଲାମଧାରୀଙ୍କୁ ସୁରକ୍ଷା ଦେବାକୁ ଏଭଳି ନୂଆ କୌଶଳ ଆପଣାଯାଇଥିବା କୁହାଯାଉଛି।
ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ ହେଲେ ଅନେକ ଗୁମର ଖୋଲିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର