ଚାନ୍ଦବାଲି ଏନ୍ଏସିରେ ମହାଦୁର୍ନୀତି! ମୃତବ୍ୟକ୍ତିଙ୍କ ନାଁରେ ଆବାସ ବିଲ୍‌

ଚାନ୍ଦବାଲି: ସରକାର ଗରିବ ଓ ଅସହାୟ ପରିବାରକୁ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେଉଛନ୍ତି। ହେଲେ କିଛି ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ପାଇଁ ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପଟେ ମୃତବ୍ୟକ୍ତିଙ୍କ ନାମରେ ବ୍ୟାଙ୍କ ଖାତାକୁ ଯାଉଛି ଆବାସ ଯୋଜନାରେ ଟଙ୍କା। ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ଏନ୍ଏସି ଅନ୍ତର୍ଗତ ୮ନମ୍ବର ୱାର୍ଡ‌େର।

ଏହି ୱାର୍ଡର ନାରାୟଣ ମିସ୍ତ୍ରିଙ୍କ ୨୦୨୦ ନଭେମ୍ବର ମାସରୁ ମୃତ୍ୟୁ ହୋଇଛି। ହେଲେ ଆବାସ ଯୋଜନାରେ ତାଙ୍କ ଷ୍ଟେଟ୍ ବ୍ୟାଙ୍କ ଖାତା ନମ୍ବର ୩୪୮୫୩୭୧୩୧୦୧ରେ ଦୁଇଟି କିସ୍ତିରେ ମୋଟ ୧ଲକ୍ଷ ୬୦ହଜାର ଟଙ୍କା ଜମା ହୋଇଛି। ତାଙ୍କ ଖାତାକୁ ୨୦୨୧ ମସିହା ଫେବ୍ରୁଆରି ୨୫ ତାରିଖରେ ୧ ଲକ୍ଷ ଟଙ୍କା ଯାଇଥିବା ବେଳେ ସେହି ବର୍ଷ ଏପ୍ରିଲ୍ ମାସ ୪ତାରିଖରେ ବାକି ୬୦ ହଜାର ହଜାର ଟଙ୍କା ଜମା କରାଯାଇଛି। ଏ ନେଇ ଚଳିତ ମାସ ୧୬ତାରିଖରେ ମିଳିତ ଅଭିଯୋଗ ଶୁଣାଣିରେ ବିଜେପିର ସାଧାରଣ ସଂପାଦକ ସରୋଜ କୁମାର ବଳ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସବୁ ପ୍ରମାଣ ଥାଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ୱାର୍ଡରେ କିଛି ଯୋଗ୍ୟ ହିତାଧିକାରୀ ବାରମ୍ୱାର ଆବେଦନ କରି ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ମୃତବ୍ୟକ୍ତିଙ୍କ ନାମରେ ଆବାସ ଯୋଜନା ସରକାରୀ କଳର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନଏସିର ୫ନମ୍ବର ୱାର୍ଡ ବାରେହିଁପୁର ଗ୍ରାମର ସୁଜାତା ଦାସ, ଝୁମା ଦାସ ଓ ପଦ୍ମା ଦାସ ଭଳି ଅନେକ ଗରିବ ପରିବାର ବର୍ଷ ବର୍ଷ ଧରି ଆବେଦନ କରି ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ ହେଉଥିବା ହିତାଧିକାରୀମାନେ ଅଭିଯୋଗ ଉଠାଇଛନ୍ତି। ଏନ୍ଏସିର ବିଭିନ୍ନ ୱାର୍ଡରେ ଆବାସ ଯୋଜନାରେ ହିତାଧିକାରୀ ଚିହ୍ନଟରେ ଅନିୟମିତତା ହେଉଥିବା ଅଭିଯୋଗ ଆଣି ସ୍ଥାନୀୟ ଜନସାଧରଣ ପୂର୍ବରୁ ଉଚ୍ଚ ନ୍ୟାୟାଳୟରେ ଦ୍ବାରସ୍ଥ ହୋଇଥିଲେ। ଏବେ ପୁଣି ମୃତକଙ୍କ ନାମରେ ଆବାସ ଯୋଜନାରେ ବିଲ୍ ପ୍ରଦାନ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏନେଇ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗିରଥୀ ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ଏମିତି ଅଭିଯୋଗ ଆସିଛି। ଆମେ ଘଟଣାର ତଦନ୍ତ କରି ହିତାଧିକାରୀଙ୍କ ଠାରୁ ପଇସା ଫେରାଇବା ପାଇଁ ନୋଟିସ୍ ଦେଇଛୁ। ହେଲେ ମୃତ୍ୟୁର ବର୍ଷେ ପରେ ଦୁଇଟି କିସ୍ତିରେ କେଉଁ ଆଧାରରେ, କାହାର ଫଟୋ ଉଠାଇ ବିଲ୍‌ ପ୍ରଦାନ କରାଗଲା ବୋଲି ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର