ଦେଓଗାଁ ବ୍ଲକ୍‌ ଏଫ୍‌ଡିଆର୍‌ କାମରେ ଦୁର୍ନୀତି-୨: ପୁରୁଣା କାମ, ନୂଆ ବିଲ୍‌, ୨୪ ଘଣ୍ଟା ମଧ୍ୟରେ ଭାଙ୍ଗିଗଲା ସୂଚନାଫଳକ

ଦେଓଗାଁ : ୨୦୧୯ରେ ହୋଇଥିବା ବନ୍ୟା କ୍ଷୟକ୍ଷତିର ମରାମତି ପାଇଁ ଆସିଥିବା ସହାୟତା ରାଶି ଦେଓଗାଁ ବ୍ଲକ୍‌ର ରାଜନେତାଙ୍କୁ ବେଶ୍‌ ସୁହାଉଛି। ଶୁକ୍ରବାର ‘ସମ୍ବାଦ’ରେ ‘ଏଫ୍‌ଡିଆର୍‌ କାମରେ ଦୁର୍ନୀତି, ପୂର୍ବରୁ କରାଯାଇଥିବା ମରାମତି ଉପରେ ପୁଣି ବିଲ୍‌ ଭାଉଚର ଉଦ୍ୟମ’ ବୋଲି ପ୍ରକାଶ ପାଇବା ପରେ ଛନକା ପଶିଛି ରାଜନେତାଙ୍କ ମଧ୍ୟରେ। ଅବଶ୍ୟ ଏଫ୍‌ଡିଆର୍‌ କାମର କାର୍ଯ୍ୟାଦେଶ ସଂପୃକ୍ତ ପଞ୍ଚାୟତର ଇଓମାନଙ୍କ ନାମରେ ରହିଛି। ଅନ୍ୟପକ୍ଷରେ ଏହି ସହାୟତା ରାଶି କାହା ଭାଗରେ କେତେ ବୋଲି ଅଞ୍ଚଳରେ ଚର୍ଚ୍ଚା‌ ଜୋର୍‌ ଧରିଛି। ଏଭଳି ସ୍ଥିତିରେ ପୁରୁଣା କାମ, କିନ୍ତୁ ତାହା ଉପରେ ନୂଆ ବିଲ୍‌ କରାଯାଉଛି ବୋଲି ଅଭିଯୋଗ ‌କରିଛନ୍ତି ଘୁଡ଼ଖାପଲା ପଞ୍ଚାୟତର ଲୋକମାନେ। ତିଆରି ତିଆରି କରାଯାଇଥିବା ଗାର୍ଡ଼ୱାଲକୁ ଦେଖିଲେ ଅଭିଯୋଗ ସତ ବୋଲି ଜଣାପଡ଼ିଛି। ଘୁଡ଼ଖାପଲା ପଞ୍ଚାୟତ କୁନ୍ଦେଇମାଲରୁ ମହଲାଇ ପଞ୍ଚାୟତ ସର୍ଗିପାଲି ରାସ୍ତା ମରାମତି ପାଇଁ ୯୦ ହଜାର ଟଙ୍କା ମଞ୍ଜୁର ହୋଇ ଆସିଛି। ଏହି ରାସ୍ତାରେ ଥିବା ପୁରୁଣା ଗାର୍ଡ଼ୱାଲକୁ ନୂଆ ରଙ୍ଗ ଦେଇଥିବା ଅଭିଯୋଗ ହେଉଛି।

ସୂଚନାଯୋଗ୍ୟ ଯେ ୨୦୧୯ ବନ୍ୟାରେ କ୍ଷତି ହୋଇଥିବା ରାସ୍ତା, ସ୍କୁଲ କୋଠା ଓ ଅଙ୍ଗନବାଡ଼ି କେନ୍ଦ୍ର ମରାମତି କରିବା ପରିବର୍ତ୍ତେ ସେହି ଅନୁଦାନକୁ କିପରି ରାଜନୈତିକ ଦଳର କର୍ମୀମାନଙ୍କ ମଧ୍ୟରେ ଭାଗ କରାଯିବ ତାହା ଉପରେ ନଜର। ଏପରିକି ଜଣେ କର୍ମୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଦଳୀୟ ନେତା କିଂବା ପ୍ରତିନିଧିଙ୍କୁ ୯୦ହଜାର ଟଙ୍କାର କାମ କରିବା ପାଇଁ ୧୫ରୁ ୨୦ହଜାର ଟଙ୍କା ଦେବାକୁ ପଡ଼ୁଛି। ପୁଣି ସେହି କାମ ଅନ୍ୟ ଜଣେ କରୁଛି। ଯଦି ସେଥିରୁ ବ୍ଲକ୍‌ ପ୍ରଶାସନ ପକ୍ଷରୁ ୨୫ପ୍ରତିଶତ ପିସି ଯିବ ତାହା ହେଲେ ୯୦ହଜାର ଟଙ୍କାର କାମ କେତେ ଟଙ୍କାରେ ହେବ ବୋଲି ପ୍ରଶ୍ନ କରିଛନ୍ତି। ଦେଓଗାଁ, ଉଡ଼ାର, ମହଲାଇ, କୁତୁର୍ଲା ପଞ୍ଚାୟତରେ ହେଉଥିବା ଏଫ୍‌ଡିଆର୍‌ କାମକୁ ଅନୁଧ୍ୟାନ କଲେ ଦୁର୍ନୀତି କିଭଳି ଭାବେ କରାଯାଉଛି ତାହା ଷ୍ପଟ ବାରି ହେଉଛି। ବନ୍ୟା କ୍ଷତି ମରାମତି ନାମରେ ଆସିଥିବା ଅନୁଦାନ ଲୋକଙ୍କ ପାଇଁ ନା କର୍ମୀଙ୍କ ପାଇଁ ତାହା ଆଲୋଚନାର ମୁଖ୍ୟ ବିଷୟ ହୋଇଛି।

ଅନ୍ୟପକ୍ଷରେ ସାଂସଦ, ବିଧାୟକ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସମର୍ଥକଙ୍କ ମଧ୍ୟରେ ୩୩ ପ୍ରତିଶତ ଲେଖାଏଁ ଭାଗ ହୋଇଥିବାରୁ କେଉଁ ନେତାଙ୍କ ଭାଗ କେଉଁ ପ୍ରକଳ୍ପ ଓ ତାହା କିଏ କରୁଛି ସର୍ବସାଧାରଣରେ ଜଣାଇବା ଉଚିତ ବୋଲି ମତପ୍ରକାଶ ପାଇଛି। ବ୍ଲକ୍‌କୁ ଆସୁଥିବା ଏଫ୍‌ଡିଆର୍‌ କାମ ରାଜନେତାଙ୍କ କର୍ମୀଙ୍କ ପାଇଁ ନା ଲୋକଙ୍କ ପାଇଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏଭଳିକି ପ୍ରକଳ୍ପ କାମ କରିବାକୁ ଅନୁମୋଦନ ହୋଇ ଆସିଥିବା ସ୍ଥାନରେ ନକରି ଅନ୍ୟସ୍ଥାନରେ ସେହି କାମକୁ କରି ବିଲ୍‌ ଭାଉଚର ପ୍ରସ୍ତୁତ କରିଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର