ଦୁର୍ନୀତିରେ ବୁଡ଼ିଛି ଶିକ୍ଷା ବିଭାଗ, ତଦନ୍ତ ପାଇଁ କୁନ୍ଥକୁନ୍ଥ କାହିଁକି?

ବରଗଡ଼: ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ବି‌େରାଧରେ ପୂର୍ବରୁ ଗୁଡ଼ାଏ ଦୁର୍ନୀତି ଅଭିଯୋଗ ହୋଇଛି। ପୋଷାକ କିଣାରେ କମିସନି କାରବାର, ଖେଳ ସାମଗ୍ରୀ ଖରିଦରେ କେଳେଙ୍କାରୀ, ସରକାରୀ ଅନୁଦାନ ହଡପ୍‌ ଏବଂ ସଦ୍ୟ ଭାବେ ମଧ୍ୟାହ୍ନ ଭୋଜନରେ ହେରଫେର୍‌ ଆଦି ଅଭିଯୋଗ ତାଲିକାରେ ରହିଛି। ଏନେଇ ପୂର୍ବରୁ ‘ସମ୍ବାଦ’ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ବିଭିନ୍ନ ସଂଗଠନ ଏବଂ ସଂସ୍ଥା ମାମଲାର ତଦନ୍ତ କରିବାକୁ ଦାବି କରିଥିଲେ। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଭାଗ ପକ୍ଷରୁ କେବଳ ପ୍ରତିଶ୍ରୁତି ମିଳୁଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ୍‌।

ପ୍ରଥମେ ପିଲାଙ୍କୁ ନିମ୍ନମାନର ଜୋତା ଏବଂ ପୋଷାକ ଦେବା ମାମଲା ସାମନାକୁ ଆସିଥିଲା। ଜିଲ୍ଲାରେ ପ୍ରତିବର୍ଷ ବିଭିନ୍ନ ବର୍ଗର ମୋଟ୍‌ ୧୪୨୬ଟି ସ୍କୁଲକୁ ପାଖାପାଖି ୮କୋଟି ଟଙ୍କାର ଅନୁଦାନ ପୋଷାକ ଏବଂ ଜୋତା କିଣିବା ବାବଦକୁ ଆସୁଛି। ସ୍କୁଲର ପିଲା ସଂଖ୍ୟା ଅନୁସାରେ ଟଙ୍କା ସ୍କୁଲର ଆକାଉଣ୍ଟରେ ପଡ଼ୁଥାଏ। ସ୍କୁଲ କର୍ତୃପକ୍ଷ ସିଧା ବେପାରୀଙ୍କୁ ଯୋଗାଯୋଗ କରୁଛନ୍ତି। ଧାର୍ଯ୍ୟ ମୂଲ୍ୟ ଅନୁସାରେ, ଧଳା ସାର୍ଟ ଓ ହାଫ୍‌ ପ୍ୟାଣ୍ଟ ଗୋଟିଏ ହଳକୁ ୧୯୦.୪୮ ଟଙ୍କା, ଆକାଶୀ ରଂଗର ଫ୍ରକ୍‌  କିମ୍ବା ସଲୱାର୍‌ ସୁଟ୍‌ ପାଇଁ ୧୯୦. ୪୮ ଟଙ୍କା ଏବଂ କଳା ‌େଜାତା ସହ ସକ୍ସ୍‌ ପାଇଁ ୧୯୦.୪୮ ଟଙ୍କା ରହୁଛି। ଏଥିରେ ୫% ଜିଏସ୍‌ଟି (୨୮.୫୬ଟଙ୍କା) ଯୋଡ଼ିବା ପରେ ମୋଟ୍‌ ୬ଶହ ଟଙ୍କା  ଉଲ୍ଲେଖ ରହୁଛି। କୋଟେସନ୍‌ ମାଧ୍ୟମରେ ସାମଗ୍ରୀଗୁଡ଼ିକୁ ସ୍କୁଲ କର୍ତୃପକ୍ଷ ବରାଦ କରୁଛନ୍ତି। ଚେକ୍‌ ଆକାରରେ ବେପାରୀଙ୍କୁ ଟଙ୍କା ପୈଠ କରାଯାଉଛି। କିନ୍ତୁ ପୂର୍ବ ସଲାସୁତୁରା ଅନୁସାରେ ବେପାରୀ ଗୋଟିଏ ହଳ ପୋଷାକ ଓ ଜୋତା ବାବଦକୁ ନିଜେ ପାଇଥିବା ୬ଶହ ଟଙ୍କାରୁ ୨ଶହ ଟଙ୍କା ଯାଏ ସ୍କୁଲ କର୍ତୃପକ୍ଷଙ୍କୁ କମିସନ୍‌ ଆକାରରେ ଦେଉଛି।

ଏନେଇ ‘ସମ୍ବାଦ’ରେ ତଥ୍ୟ ସମେତ ଖବର ପ୍ରକାଶ ପାଇଥିଲା। ସେହିପରି କରୋନାର ଉଭୟ ପ୍ରଥମ ଏବଂ ଦ୍ବିତୀୟ ଲହର ବେଳେ ସ୍କୁଲଗୁଡ଼ିକ ବନ୍ଦ ରହିଥିଲା। କିନ୍ତୁ ଲକ୍‌ଡାଉନ୍‌ ସମୟରେ ପ୍ରାଥମିକ ସ୍କୁଲକୁ ୨୫ହଜାର ଟଙ୍କା ଲେଖାଏଁ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲ୍‌କୁ ୫୦ ହଜାର ଟଙ୍କା ଲେଖାଏଁ ଉନ୍ନୟନ କାମ ବାବଦକୁ ସରକାରୀ ଅନୁଦାନ ଆସିଥିଲା। ଏପରିକି ଇକୋ କ୍ଲବ୍‌ ପାଇଁ ପ୍ରାଥମିକ ସ୍କୁଲକୁ ୫ହଜାର ଟଙ୍କା ଲେଖାଏଁ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲକୁ ୧୦ହଜାର ଟଙ୍କା ଲେଖାଏଁ  ଅନୁଦାନ ପହଂଚିଥିଲା। ଏହାବାଦ୍‌ ସମଗ୍ର ଶିକ୍ଷା ଯୋଜନାରେ ଜିଲ୍ଲାର ପ୍ରତି ସ୍କୁଲକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଟଙ୍କା ଆସିଥିଲା। ଗୋଟିଏ ଲେଖାଏଁ ପ୍ରାଥମିକ ସ୍କୁଲକୁ ୫ହଜାର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୦ହଜାର ଟଙ୍କା ଲେଖାଏଁ ସରକାରୀ ସହାୟତା ରାଶି ମିଳିଥିଲା। କିନ୍ତୁ ସ୍କୁଲ ବନ୍ଦ ଥିବାବେଳେ ଏସବୁ ଟଙ୍କା ଲାଗିଲା କେଉଁଠି? ଏନେଇ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କିଛି ଖୋଳତାଡ଼ ହୋଇନାହିଁ। ତେଣୁ ବିଭାଗରେ ଦୁର୍ନୀତିର ସୀମା ଟପିବାକୁ ଲାଗିଛି।

ସମ୍ବନ୍ଧିତ ଖବର