ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ୫ଟି ସ୍କୁଲ ରୂପାନ୍ତରୀକରଣରେ ବଡ଼ଧରଣର ଦୁର୍ନୀତି ହୋଇଛି। ପାଖପାଖି ୬ କୋଟି ଟଙ୍କା ବ୍ୟୟରେ ୧୨ଟି ହାଇସ୍କୁଲର ରୂପାନ୍ତରୀକରଣ ହୋଇଥିବା ବେଳେ ନିମ୍ନମାନର କାମ ଯୋଗୁଁ ଏବେ ତୃତୀୟ ପକ୍ଷ ତଦନ୍ତ ନିମନ୍ତେ ପୂର୍ତ୍ତ ବିଭାଗକୁ ଚିଠି ହୋଇଛି। ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ପକ୍ଷରୁ ଏଥି ପାଇଁ ଚିଠି କରାଯାଇଛି। ତଦନ୍ତ ଦାୟିତ୍ବ ଯାହାକୁ ଦିଆଯାଇଛି, ସେ ଚିଠି ପାଇଥିବା ସ୍ବୀକାର କରୁଥିବା ବେଳେ ଚିଠି ପଠାଇଥିବା ଅଧିକାରୀ ଏହାକୁ ମାନୁନାହାନ୍ତି।

Advertisment

ସୂଚନା ଅନୁସାରେ, ଗୋଟିଏ ଗୋଟିଏ ହାଇସ୍କୁଲ ପାଇଁ ଅନ୍ୟୂନ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କାମ ହେଲେ ଅନ୍‌ଲାଇନ୍ ଟେଣ୍ଡର ଆହ୍ବାନ କରାଯିବାର ନିୟମ ରହିଥିଲେ ବି ବିଧିବଦ୍ଧ ଟେଣ୍ଡର ଡକାନଯାଇ ଗଳାବାଟ ଜରିଆରେ ଏତେ ବଡ଼ ବଡ଼ କାମ ହୋଇଛି। ଏସବୁ କାମ ପଛରେ ପ୍ରତ୍ୟକ୍ଷ/ପରୋକ୍ଷ ଭାବରେ ଶାସକ ବିଜେଡିର ନେତା କିମ୍ବା ସେମାନଙ୍କ ସଂସ୍ଥାର ସଂପୃକ୍ତି ରହିଛି। ‌ତେବେ, ଜିଲ୍ଲାର ୧୨ରୁ ଅଧିକ ହାଇସ୍କୁଲରେ ନିମ୍ନମାନର କାମ ହୋଇଛି।

ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଛି। ଷ୍ଟିଲ୍‌, ପ୍ଲାଇଉଡ୍‌ ଠାରୁ ଆରମ୍ଭ କରି ଯେଉଁସବୁ ସାମଗ୍ରୀ/ଉପକରଣ ବ୍ୟବହୃତ ହୋଇଛି, ତାହା ନିର୍ଦ୍ଦିଷ୍ଟ ବ୍ରାଣ୍ଡର ହେବା କଥା। କିନ୍ତୁ, ଏଥିରେ ଶସ୍ତା ଦାମରେ ସ୍ଥାନୀୟ ସାମଗ୍ରୀ ବ୍ୟବହାର କରାଯାଇ କାଗଜପତ୍ରରେ କିନ୍ତୁ ନିର୍ଦ୍ଧାରିତ ବ୍ରାଣ୍ଡର ବୋଲି ଉଲ୍ଲେଖ କରାଯାଇଛି। ନିମ୍ନମାନର କାମ ହୋଇଥିବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଠିକାଦାରମାନଙ୍କୁ ବିଲ୍‌ ଏପର୍ଯ୍ୟନ୍ତ ଦିଆଯାଇ ନାହିଁ। ବ୍ଲକ୍ ଅଫିସ୍‌ ଜରିଆରେ ଏସବୁ କାମ ହୋଇଛି। ପୂର୍ତ୍ତ ବିଭାଗକୁ ପତ୍ର ମିଳିବା ପରେ ବି ଶୀଘ୍ର ତଦନ୍ତ ଆରମ୍ଭ ନକରି ଚୁପ୍ ବସିଛି।

ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଶୋକ ଲେଙ୍କା କହିଛନ୍ତି, ‘ତଦନ୍ତ କାମ ଆରମ୍ଭ ହୋଇନାହିଁ, ଶୀଘ୍ର ତଦନ୍ତ ଆରମ୍ଭ କରାଯିବ; ୧୨/୧୩ଟି ସ୍କୁଲ ରହିଛି, ତେଣୁ ଟିକିଏ ସମୟ ଲାଗିବ। ଅପରପକ୍ଷରେ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ କହିଛନ୍ତି ଯେ ବର୍ତ୍ତମାନ ଏଥିପାଇଁ ପାଖରେ ଟଙ୍କା ନଥିବାରୁ ଠିକାଦାରମାନଙ୍କୁ ବିଲ୍‌ ଦିଆଯାଇପାରୁ ନାହିଁ। ଗୋଟିଏ ଗୋଟିଏ ସ୍କୁଲରେ ୪୫ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ନିମ୍ନମାନର କାମ ତଦନ୍ତ ପାଇଁ ସେ କାହାରିକୁ ଚିଠି କରିନାହାନ୍ତି ବୋଲି ସଫେଇ ଦେଇଛନ୍ତି। ତ‌େବେ, ନିମ୍ନମାନର ତଦନ୍ତ ପାଇଁ ସେ କାହାରିକୁ ଚିଠି କରିନାହାନ୍ତି ବୋଲି ସଫେଇ ଦେଇଛନ୍ତି। ଏହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।