ବ୍ୟାସନଗର: ବିଭିନ୍ନ ଡାକ୍ତରଖାନାରେ ରହୁଥିବା ଅନ୍ତେବାସୀ ରୋଗୀଙ୍କ ଖାଦ୍ୟଦର ସରକାର ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ୫୫ ଟଙ୍କା ଥିବା ବେଳେ ଏବେ ୮୫ ଟଙ୍କା କରାଯାଇଛି। ହେଲେ ଖାଦ୍ୟର ମାନ ବଦଳୁ ନଥିବା ଅଭିଯୋଗ ହୋଇଛି। ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ତେବାସୀ ରୋଗୀମାନେ ଏପରି ଅଭିଯୋଗ କରିଛନ୍ତି। କେତେକ ରୋଗୀ ସମ୍ପର୍କୀୟ
ନିମ୍ନମାନର ଖାଦ୍ୟ ସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ସନ୍ତୋଷ କୁମାର ପୃଷ୍ଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା କହିଛନ୍ତି। ଅଭିଯୋଗ ଅନୁଯାୟୀ, ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୋଟ ୩୦ ଶଯ୍ୟା ଠାରୁ ଅଧିକ ୭ ଟି ଶଯ୍ୟା ପଡ଼ିଛି। ସାଧାରଣ ଓ ଡାଇରିଆ ୱାର୍ଡରେ ୨୩, ପ୍ରସୂତି ୱାର୍ଡରେ ୬ଟି, ମହିଳା ୱାର୍ଡରେ ୮ଟି, ଲେବର ରୁମ୍ରେ ୨ଟି, ୯ ନମ୍ବର ୱାର୍ଡରେ ୨ଟି ଏପରି ମୋଟ୍ ୩୭ ଶଯ୍ୟାରେ ରହୁଥିବା ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି।
ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଖାଦ୍ୟ ପାଇଁ ରାଜ୍ୟ ସରକାର ମୁଣ୍ଡପିଛା ୮୫ ଟଙ୍କା ପ୍ରଦାନ କରୁଛନ୍ତି। ହେଲେ ଖାଦ୍ୟ ଯୋଗାଇବା ପାଇଁ ଠିକା ନେଇଥିବା ଭେଣ୍ଡର ସମୟ ଅନୁସାରେ ଖାଦ୍ୟ ଦେଉନଥିବା ବେଳେ ନିମ୍ନମାନର ଖାଦ୍ୟ ଦେଉଛନ୍ତି। ଏହାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରୋଗୀ ସମ୍ପର୍କୀୟଙ୍କ କହିବାନୁସାରେ, ବାରମ୍ବାର ଡାକ୍ତରଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଏଥିରେ ପରିବର୍ତ୍ତନ ହେଉନାହିଁ। ପୂର୍ବରୁ ରୋଗୀଙ୍କ ପିଛା ୫୫ ଟଙ୍କା ଦିଆଯାଉଥିବା ବେଳେ ଏବେ ୮୫ ଟଙ୍କା ଦିଆଯାଉଛି। ଡାଇରିଆ ରୋଗୀମାନଙ୍କୁ ଚୁଡ଼ା, କଦଳୀ। ସାଧାରଣ, ପ୍ରସୂତି ଓ ମହିଳା ୱାର୍ଡରେ ସକାଳେ ସନ୍ଧ୍ୟାରେ ପାଉଁରୁଟି, କ୍ଷୀର, ଅଣ୍ଡା ଦେବାକୁ ଚୁକ୍ତି ହୋଇଛି। ହେଲେ ସମ୍ପୃକ୍ତ ଭେଣ୍ଡର ନିଜ ଇଚ୍ଛାରେ ଖାଦ୍ୟ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି।
କେବେ ୧୦ ଟଙ୍କିଆ ରୁଟି ତ କେତେବେଳେ ବିସ୍କୁଟ, କଦଳୀ ଦିଆଯାଉଛି। ଏପରିକି ଅଧିକାଂଶ ସମୟରେ ବହୁ ସ୍ଵେଚ୍ଛାସେବୀ ସଂଗଠନ ଓ ସମାଜସେବୀ ସେମାନଙ୍କ ଜନ୍ମଦିନରେ ଅନ୍ତେବାସୀ ରୋଗୀମାନଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି। ଏହି ଦିନଗୁଡ଼ିକରେ ଭେଣ୍ଡର ଆଉ କୌଣସି ଖାଦ୍ୟ ଦେଉନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ପ୍ରତିବର୍ଷ ମାର୍ଚ୍ଚ ମାସରେ ଭେଣ୍ଡର ନିଯୁକ୍ତି ପାଇଁ ଟେଣ୍ଡର ପ୍ରକ୍ରିୟାର ନିୟମ ରହିଛି। ହେଲେ ୪ ବର୍ଷ ହେଲା ଟେଣ୍ଡର ନକରି ଜନୈକ ଭେଣ୍ଡରଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅନୁମତି ଦିଆଯାଉଛି। ଖାଦ୍ୟ ଯୋଗାଣରେ ଅନିୟମିତତା ହେଉଥିଲେ ମଧ୍ୟ ଅଧିକାରୀମାନଙ୍କ ଠାରୁ ଆରମ୍ଭ କରି ରୋଗୀ କଲ୍ୟାଣ ସମିତି ପର୍ଯ୍ୟନ୍ତ ମୁହଁ ଖୋଲୁ ନାହାନ୍ତି। ପ୍ରକାଶ ଯେ, ଗତ ୨୦୨୨ ମସିହା ସେପ୍ଟେମ୍ବର ମାସ ୧୪ ତାରିଖରେ ରୋଗୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ବେଳେ ବ୍ୟାସନଗର ପୌରପରିଷଦର କାଉନସିଲର ଭରତ ଓଝା ଏହାର ଦୃଢ଼ ବିରୋଧ କରିଥିଲେ। ସମ୍ପୃକ୍ତ ଭେଣ୍ଡରଙ୍କ ଲାଇସେନ୍ସ ବାତିଲ କରିବାକୁ ଦାବି କରିଥିଲେ। ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ମଧ୍ୟ ଭେଣ୍ଡର ଦେଉଥିବା ନିମ୍ନମାନର ଖାଦ୍ୟକୁ ବିରୋଧ କରାଯାଇଛି। ଏସମ୍ପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ. ପୃଷ୍ଟିଙ୍କୁ ପଚାରିବାରୁ ବିଳମ୍ବରେ ଖାଦ୍ୟ ଦିଆଯାଉଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି। ନିମ୍ନମାନର ଖାଦ୍ୟ ଅଭିଯୋଗ ହେବା ପରେ ସମ୍ପୃକ୍ତ ଭେଣ୍ଡରକୁ ତାଗିଦ୍ କରାଯାଇଥିଲା ବୋଲି ଶ୍ରୀ ପୃଷ୍ଟି କହିଛନ୍ତି। ସେହିପରି ଦିନରେ ୱାର୍ଡରେ ରହି ଅପରାହ୍ଣରେ ଘରକୁ ଫେରିଥିବା ରୋଗୀମାନଙ୍କ ନାଁରେ ମଧ୍ୟ ରାତିଦିନର ଖାଦ୍ୟ ଦିଆଯାଇଛି ବୋଲି ତଞ୍ଚକତା କରାଯାଉଛି ବୋଲି ରୋଗୀମାନେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/11-7.jpg)