ଅଙ୍ଗନବାଡ଼ି କେନ୍ଦ୍ର ଗ୍ୟାସ୍‌ ସଂଯୋଗରେ ଦୁର୍ନୀତିର ଗନ୍ଧ

କର୍ମୀ କିଣୁଛନ୍ତି ଟାଙ୍କି, ବିଭାଗ କିଣୁଛି ଚୁଲା

କଳାବାଡ଼ିଆ: ଏବେ ଜିଲ୍ଲାର ୪,୪୦୦ରୁ ଅଧିକ ଅଙ୍ଗନବାଡ଼ି କେନ୍ଦ୍ରକୁ ନୂତନ ଗ୍ୟାସ୍‌ ସଂଯୋଗ ପାଇଁ ଚାଲିଛି ପ୍ରକ୍ରିୟା। ଏହି କ୍ରମରେ ବାଙ୍ଗିରିପୋଷି ବ୍ଲକ୍‌ର ମୋଟ ୨୨୩ଟି ଅଙ୍ଗନବାଡ଼ି କେନ୍ଦ୍ରମଧ୍ୟରୁ ୧୫୨ଟି କେନ୍ଦ୍ରକୁ ନୂତନ ଗ୍ୟାସ୍‌ ସଂଯୋଗ ଦେବାକୁ ନିର୍ଦ୍ଦେଶ ରହିଛି। ତେବେ ଏହି ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ବିଭିନ୍ନ ମହଲରୁ ଅଭିଯୋଗ ହେଲାଣି। ଗ୍ୟାସ୍‌ ସଂଯୋଗ ପାଇଁ ପ୍ରତି ଅଙ୍ଗନବାଡ଼ିକୁ ୨୭୫୦ ଲେଖାଏ ଟଙ୍କା ଦିଆଯାଇଛି। ଏଥିରେ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ଗୋଟିଏ ଗ୍ୟାସ୍‌ଭର୍ତ୍ତି ସିଲିଣ୍ଡର, ରେଗୁଲେଟର ଓ କାଗଜପତ୍ର ଆଣିବେ ବୋଲି କୁହାଯାଇଛି। ତେବେ ସାଧାରଣ ଭାବେ ଜଣେ ନୂତନ ଉପଭୋକ୍ତାଙ୍କୁ ଏକ ଫାଙ୍କା ଗ୍ୟା‌ସ୍‌ ସିଲିଣ୍ଡର ବାବଦକୁ ୨୨୦୦ ଟଙ୍କା, ରେଗୁଲେଟର ବାବଦରେ ୨୫୦ ଟଙ୍କା, କାଗଜପତ୍ର ବାବଦକୁ ୧୧୮ଟଙ୍କା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୬୦ ଟଙ୍କା ପଡ଼ୁଛି।

ବାକି ଗ୍ୟାସ୍‌ ଟାଙ୍କି ଭର୍ତ୍ତି ପାଇଁ ୧୦୯୫ ଟଙ୍କା ପଡ଼ୁଛି। ଫଳରେ ଟାଙ୍କି, ରେଗୁଲେଟର ଓ କାଗଜପତ୍ର ପାଇଁ ମୋଟ ୩୮୧୧ ଟଙ୍କା ଖର୍ଚ୍ଚ ହେବ। କିନ୍ତୁ କର୍ମୀଙ୍କୁ ମାତ୍ର ୨୭୫୦ ଟଙ୍କା ମିଳୁଥିବାରୁ ସେ ବାକି ୧୦୬୧ ଟଙ୍କା କେଉଁଠୁ ଆଣିବେ ବୋଲି ପ୍ରଶ୍ନ ହେଉଛି। ଓମ୍ବାଡ୍‌ସି ପକ୍ଷରୁ ପ୍ରତି ଗ୍ୟାସ୍‌ ସଂଯୋଗ ପାଇଁ ୫୦୦୦ ହଜାର ଟଙ୍କା ଆସୁଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ (ଡିଏସଡବ୍ଲୁଓ) କାହିଁକି ୨୭୫୦ ଟଙ୍କା ଦେଉଛି ତାହା ତଦନ୍ତ ସାପେକ୍ଷ। ସେହିପରି ଅଙ୍ଗନବାଡ଼ି କର୍ମୀଙ୍କୁ ଗ୍ୟାସ୍‌ଟାଙ୍କି କିଣିବାକୁ ନିର୍ଦ୍ଦେଶ ଦେଇ ବାକି ୨୨୫୦ ଟଙ୍କାରେ ବିଭାଗ ପକ୍ଷରୁ ଗ୍ୟାସ୍‌ଚୁଲା ଓ ପାଇପ୍‌ କିଣାଯାଉଛି। ଏମିତି କରି ଟଙ୍କା ହଡପ୍‌ ପାଇଁ ଯୋଜନା ହେଉଥିବା ଚର୍ଚ୍ଚା ହେଉଛି।

ଏ ସମ୍ପର୍କରେ ଓମ୍ବାଡ୍‌ସିର ବିଭାଗୀୟ ମ୍ୟାନେଜର ହରିଶ ଚନ୍ଦ୍ର ଧଳଙ୍କ କହିବାକଥା; ଆମେ ନୂଆ ଗ୍ୟାସ୍‌ ସଂଯୋଗ ପାଇଁ ୫୦୦୦ ହଜାର ଟଙ୍କା ଦେଉଛୁ। ତେବେ ସମାଜ ମଙ୍ଗଳ ବିଭାଗ ପକ୍ଷରୁ ୨୭୫୦ ଟଙ୍କା କର୍ମୀଙ୍କୁ ଦେଇ ବଳକା ଟଙ୍କାରେ କଣପାଇଁ ଚୁଲି ଓ ପାଇପ୍‌ କିଣାଯାଉଛି ଆମେ ଜାଣିନୁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସିଡିପିଓ ମୀନତି ଦାଶଙ୍କୁ ପଚାରିବାରୁ ୨୭୫୦ ଟଙ୍କା ପ୍ରଦାନ ପରେ ଆବଶ୍ୟକ ପଡ଼ିଲେ ଆଉ ୧୦୬୧ ଟଙ୍କା ଅଙ୍ଗନବାଡ଼ି ଖାତାରୁ କର୍ମୀ ଉଠାଇ ପାରିବେ ବୋଲି ସେ କହିଛନ୍ତି। ୫୦୦୦ ହଜାର ଟଙ୍କାରେ କର୍ମୀ କିମ୍ବା ବିଭାଗ ସବୁ ଜିନିଷ ଏକତ୍ର କାହିଁକି କିଣୁନାହାନ୍ତି ବୋଲି ପ୍ରଶ୍ନ ହେବାରୁ ସେ କୌଣସି ଉତ୍ତର ରଖିନଥିଲେ। ସୂଚନାଯୋଗ୍ୟ, ଏହି ପ୍ରସଙ୍ଗକୁ ନେଇ ନିକଟରେ କପ୍ତିପଦାର ସୂଚନା ଅଧିକାର କର୍ମୀ ଭବାନୀ ଶଙ୍କର ପତି କେଉଁ ସରକାରୀ ନିୟମ ବଳରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ବୋଲି ତଥ୍ୟ ମାଗିଛନ୍ତି।

ସମ୍ବନ୍ଧିତ ଖବର