ବରୀ: ବରୀ ପଞ୍ଚାୟତରେ ୨୦୧୯ ରୁ ମୃତ୍ୟୁ ହୋଇଥିବା ଅନେକ ଲୋକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଇ ନାହିଁ। ଆଜି କେତେକ ହିତାଧିକାରୀ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ହରିଶ୍ଚନ୍ଦ୍ର ଯୋଜନାର ସହାୟତା ଅର୍ଥକୁ ପୂର୍ବତନ ସରପଞ୍ଚ ରମାକାନ୍ତ ମଳିକ ସଂପୃକ୍ତ ପରିବାରକୁ ଦେଇନଥିବା ସେମାନେ ଦର୍ଶାଇଛନ୍ତି। ହିତାଧିକାରୀ ତାଲିକାରେ ମୃତ୍ୟୁ ଘଟିଥିବା ଲୋକଙ୍କ ନାମ ଥିଲାବେଳେ ନିର୍ଦ୍ଦିଷ୍ଟ ତାରିଖରେ ୨ହଜାର ଟଙ୍କା ଗ୍ରହଣ କରିଥିବା ମଧ୍ୟ ଉଲ୍ଲେଖ ରହିଛି। ତାଲିକାରେ କୌଣସି ସରକାରୀ ଅଧିକାରୀଙ୍କ ଦସ୍ତଖତ କିମ୍ବା ମୋହର ନଥିବା ଜଣାପଡ଼ିଛି। ଆଜି ବରୀ ପଞ୍ଚାୟତର ସେକ୍ ଜାବିର, ଗୋବିନ୍ଦ ମଳିକ, ସୁଧାଂଶୁ ଦାସ, ସାବିତ୍ରୀ ଖୁଣ୍ଟିଆ, ମରୁଆ ଜେନା, ନାଲୁ ଜେନା, ଚିତ୍ତରଂଜନ ବେହେରା ଲିଖିତ ଭାବେ ବରୀ ବ୍ଲକରେ ଅଭିଯୋଗ କରିଛନ୍ତି।
ଏସଂପର୍କରେ ପୂର୍ବତନ ସରପଞ୍ଚ ଶ୍ରୀ ମଳିକଙ୍କୁ ପଚାରିବାରୁ କହନ୍ତି ଯେ ମୋ ସମୟରେ ଯେତିକି ଟଙ୍କା ଉଠାଯାଇଥିଲା ତାହା ଲୋକମାନଙ୍କୁ ବାଣ୍ଟି ଦିଆଯାଇଛି। ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ପଚାରିବାରୁ କହନ୍ତି ଯେ ପଞ୍ଚାୟତର ମୋଟ ୭୩ ଜଣ ହିତାଧିକାରୀ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପାଇବାକୁ ଅଛନ୍ତି। ପୂର୍ବତନ ସରପଞ୍ଚ ଦୁଇଥରରେ ୬୯ ହଜାର ଟଙ୍କା ଉଠାଇଛନ୍ତି। ବର୍ତ୍ତମାନର ସରପଞ୍ଚ ୩୦ ହଜାର ଟଙ୍କା ଉଠାଇ ବାଣ୍ଟିଛନ୍ତି। ତାଲିକାରେ ଥିବା ନାମ ମଧ୍ୟରୁ ଆଉ ୨୩ ଜଣ ଟଙ୍କା ପାଇ ନାହାନ୍ତି। ଖାତା ଦେଖିଲେ ସେ ଏ ବିଷୟରେ ସଂପୂର୍ଣ୍ଣ ତଥ୍ୟ ଦେଇପାରିବେ ବୋଲି କହିଥିଲେ। ସେପଟେ ବ୍ଲକ ଜିପିଇଓ କହିଛନ୍ତି ଲୋକମାନଙ୍କ ଅଭିଯୋଗକୁ ନେଇ ତଦନ୍ତ କରାଯିବ ଏବଂ ପଞ୍ଚାୟତର କ୍ୟାସବୁକ୍ ଯାଞ୍ଚ କରାଯିବ। ୭୩ ଜଣ ହିତାଧିକାରୀଙ୍କ ମଧ୍ୟରୁ ଅଦ୍ୟାବଧି ୫୦ ଜଣଙ୍କୁ ସହାୟତା ପ୍ରଦାନ କରାଯାଇଥିବା ତଥ୍ୟ ସତ୍ୟ। ଅଭିଯୋଗ କରିଥିବା ସଂପୃକ୍ତ ହିତାଧିକାରୀଙ୍କ ନାମ ଅର୍ଥ ପାଇଥିବା ୫୦ ଜଣଙ୍କ ତାଲିକାରେ ଅଛି କି ପାଇନଥିବା ୨୩ ଜଣଙ୍କ ତାଲିକାରେ ଅଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/21-18.jpg)