ଜୟପୁର: ଜଗନ୍ନାଥସାଗର ପୁନଃରୁଦ୍ଧାର ଓଉନ୍ନୟନ କାମର ଟେଣ୍ଡର, ଡିପିଆରରେ ଅନିମିୟତତା, ଉନ୍ନୟନ କାମ ଅତ୍ୟନ୍ତ ନିମ୍ନମାନର କାମ କରି ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହରିଲୁଟ ଅଭିଯୋଗ କରିଛି ବିଜେପି। ଗତ କାଲି ଠାରୁ ସାଗର କୁଳ ପାର୍କ ନିର୍ମାଣ ସ୍ଥାନରେ ହିଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦୁର୍ନିତୀର ତଦନ୍ତ କରାଯିବା ଦାବି କରି ଅନିର୍ଦ୍ଧିଷ୍ଟ କାଳ ଧାରଣାରେ ବସିଛନ୍ତି ବିଜେପିର ରାଜ୍ୟ ସ୍ଥାୟୀ ପରିଷଦ ସଭ୍ୟ ଗୌତମ ସାମନ୍ତରାୟ, ନଗର ସଭାପତି ରାଧେ ଶ୍ୟାମ ପରିଡ଼ା, ମୋହନ ମାଝୀ, ମଧୁ ହିଆଲ୍, କନକା ରାଓ, ସୁରଭି ପାଣି ପ୍ରମୁଖ।
ଏମାନେ ଗତ କାଲି ଦିନ ତମାମ ଓ ଆଜି ରିପୋର୍ଟ ଲେଖା ହେବା ଯାଏଁ ଜଗନ୍ନାଥସାଗର କୁଳରେ ହିଁ ଧାରଣା ଦେଇ ବସିଛନ୍ତି। ଡିପିଆର ପ୍ରସ୍ତୁତ କରିଥିବା ସମସ୍ତ ବୈଷୟିକ ଟିମ୍ ଆସି ତାଙ୍କୁ କିଭଳି ପ୍ରଥମ ଡିପିଆର ଏବଂ ଦ୍ବିତୀୟ ଡିପିଆର କରାଯାଇଥିଲା, ଟେଣ୍ଡରରେ ହାଲ ଦେଉଥିବା ସମସ୍ତ ଅନୁଦାନର ଖର୍ଚ୍ଚ ବିବରଣୀ ନ ଦେବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି ଶ୍ରୀ ସାମନ୍ତରାୟ। ସହରବାସୀଙ୍କ ସ୍ବାଭିମାନ ଜଗନ୍ନାଥ ସାଗରର ପୁନଃରୁଦ୍ଧାର କରାଯାଉ, ତେବେ ପୁନଃରୁଦ୍ଧାର ନାଁରେ ସରକାରୀ ଅର୍ଥକୁ ହରିଲୁଟ କରିବା ନିମ୍ନମାନର କାମ କରିବା , ଜଳାଶୟକୁ ସଂକୁଚିତ କରିବାକୁ ପ୍ରୟାସ କରିବାକୁ ଦିଆଯିବ ନାହିଁ। ଏହାକୁ ବିଜେପି ବିରୋଧ କରିବ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି। ସାଗର ମଧ୍ୟରେ ମାଟି ପକାଇବାକୁ ବିନା ପରିବେଶ ମଂଜୁରୀରେ କିଏ ଅନୁମତି ଦେଇଛନ୍ତି ବୋଲି ଶ୍ରୀ ସାମନ୍ତରାୟ ପ୍ରଶ୍ନ କରିବା ସହ ଏସବୁର ଉତ୍ତର ପ୍ରଶାସନ ନ ଦେବା ଯାଏଁ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରୀ ରହିବ ବୋଲି କହିଛନ୍ତି।