ପୋଲସରା : ପୋଖରୀ ଯୋଜନାରେ ପୋଖରୀ ଗାଏବ୍। ଚିହ୍ନିତ ଜମିରେ ଧାନ ଫଳୁଛି। ଏ ବର୍ଷ ମଧ୍ୟ ଖରିଫ୍ ଧାନ ପାଚିବା ପରେ ସଦ୍ୟ ଧାନକଟା ସରିଛି। ହେଲେ, ଚାଷ ହୋଇଥିବା କ୍ଷେତରେ ପୋଖରୀ ଖୋଳା ହୋଇଥିବା ବ୍ଲକ୍ ରେକର୍ଡରେ ଦର୍ଶାଯାଇଛି। ମନରେଗାରେ ମଜୁରି ବାବଦରେ ଲକ୍ଷାଧିକ ଟଙ୍କା ହରିଲୁଟ୍ ହୋଇଛି। ଖୋଦ୍ ଶ୍ରମମନ୍ତ୍ରୀଙ୍କ ବ୍ଲକ୍ ଗଞ୍ଜାମ ଜିଲ୍ଲା ପୋଲସରାରେ ଏହିଭଳି ଏକ ଦୁର୍ନୀତି ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ପୋଲସରା ବ୍ଲକ୍ କଣଛାଇ ପଞ୍ଚାୟତ ଅନ୍ତର୍ଗତ ହାତୀପାଦପଲ୍ଲୀ ଗାମର ସଚଳାଙ୍କ ସ୍ବାମୀ ମଙ୍ଗୁଳୁ ଗୌଡ଼ଙ୍କ ନାମରେ ଖାତା ନଂ ୫୩୯/୧୬୫, ପ୍ଲଟ୍ ନଂ ୨୬୮୭, ଏରିଆ ଏ୦.୩୭ ଡେସିମିଲ୍ ଚାଷ ଜମି ଅଛି। ଚାଷ ପାଇଁ ଅଧିକ ଜଳର ଆବଶ୍ୟକତା ଦୃଷ୍ଟିରୁ ଏହି ଜମିରେ କ୍ଷେତପୋଖରୀ ଖୋଳିବା ପାଇଁ ସେ ଦୁଇବର୍ଷ ତଳେ ତତ୍କାଳୀନ ବିଡିଓ ସୁରଞ୍ଜନ କୁମାର ସାହୁଙ୍କ ନିକଟରେ ଦରଖାସ୍ତ ଦାଖଲ କରିଥିଲେ। ଦରଖାସ୍ତ ଗ୍ରହଣ ପରେ ବ୍ଲକ୍ କାର୍ଯ୍ୟାଳୟ ପକ୍ଷରୁ ମୃତ୍ତିକା ସଂରକ୍ଷଣ ବିଭାଗକୁ କ୍ଷେତପୋଖରୀ ଖୋଳିବା ପାଇଁ ମଞ୍ଜୁରି ନିର୍ଦ୍ଦେଶ ପଠାଯାଇଥିଲା। କାର୍ଯ୍ୟାଦେଶ ମିଳିବାରେ ବିଳମ୍ବ ହୋଇଥିଲା। ଇତିମଧ୍ୟରେ ଗତବର୍ଷ ଅକ୍ଟୋବର ୨୭ ତାରିଖରେ ସଚଳାଙ୍କର ମୃତ୍ୟୁ ହୋଇଯାଇଥିଲା।
ତେବେ, ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଚଳିତ ବର୍ଷ ୪/୪/୨୦୨୨ କାର୍ଯ୍ୟାଦେଶ ନଂ ୨୪୧୨୦୧୭/ ଆଇ, ଏଫ୍/୧୦୭୪୪୪୬୧ ପ୍ରକାରେ ମୃତକ ସଚଳାଙ୍କ ନାଁରେ ୨ ଲକ୍ଷ ୩୦ ହଜାର ଟଙ୍କା ଅଟକଳ ହୋଇ କାର୍ଯ୍ୟାଦେଶ ମଞ୍ଜୁର ହୋଇଥିଲା, ଏ କଥା ଦୁଇ ପୁଅ ରଜେନ୍ଦ୍ର ଓ ପବିତ୍ର ଜାଣି ନଥିଲେ। ପରେ, ବ୍ଲକ୍ ପ୍ରଶାସନ ସହ ଯୋଗାଯୋଗ କରିବାରୁ ସରକାରୀ ନଥିରେ ପୋଖରୀ ଖୋଳା ସରିରିବା ଓ ବିଲ୍ ପାସ୍ ପରେ ଅର୍ଥ ମଞ୍ଜୁର ହୋଇ ପୈଠ ମଧ୍ୟ ହୋଇସାରିଥିବା ଜାଣିବାକୁ ପାଇଥିଲେ। ତାଙ୍କ ମା’ଙ୍କ ମୃତ୍ୟୁର ୬ ମାସ ପରେ କାର୍ଯ୍ୟାଦେଶ ମିଳିଥିବା ବେଳେ କିଭଳି ଯାଞ୍ଚ୍ ନକରି କାର୍ଯ୍ୟାଦେଶ ପ୍ରଦାନ କରାଗଲା, ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏହି ଘଟଣାର ବଡ଼ ଚଞ୍ଚକତା ହେଉଛି, ଚିହ୍ନିତ ଜମିରେ ଆଦୌ ପୋଖରୀ ଖୋଳା ଯାଇ ନଥିବା ବେଳେ ପୋଖରୀ ଖୋଳା ବାବଦରେ ମନରେଗାରେ ୧ ଲକ୍ଷ, ୪୯ ହଜାର ୮୫୦ ଟଙ୍କା ଶ୍ରମିକଙ୍କୁ ପୈଠ ହୋଇଥିବା ସରକାରୀ ନଥିରେ ଦର୍ଶାଯାଇଛି।
ଉଭୟ ରାଜେନ୍ଦ୍ର ଗୌଡ଼ ଓ ପବିତ୍ର ଗୌଡ଼ ଆଜି ବର୍ତ୍ତମାନ ପୋଲସରା ବିଡିଓ ଥିବା କୈଳାସ ଚନ୍ଦ୍ର ମୁର୍ମୁଙ୍କୁ ଭେଟି ୧୫ ଦିନ ମଧ୍ୟରେ ନିରପେକ୍ଷ ତଦନ୍ତ କରି ସତ୍ୟାସତ୍ୟ ଜଣାଇବାକୁ ଲିଖିତ ଅଭିଯୋଗପତ୍ର ଦେଇ ଅନୁରୋଧ କରିଛନ୍ତି। ଅଭିଯୋଗର ଏକକିତା ନକଲ ମୁଖ୍ୟମନ୍ତ୍ରୀ, ଗଞ୍ଜାମ ଜିଲ୍ଲାପାଳ, ୫-ଟି ସଚିବ, ପଞ୍ଚାୟତିରାଜ ମନ୍ତ୍ରୀ, ପ୍ରକଳ୍ପ ନିର୍ଦ୍ଦେଶକ ଓ ସ୍ଥାନୀୟ ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀଙ୍କୁ ପଠାଇଛନ୍ତି।