ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନଧାରା ଲୋୟର୍ ସୁକତେଲ୍ ପ୍ରକଳ୍ପ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହୁଛି। ନିର୍ବାଚନ ପୂର୍ବରୁ ଏହା ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଥିଲା। ପ୍ରକଳ୍ପ ଲୋକାର୍ପିତ ହୋଇଥିଲେ ହେଁ ଚାଷୀ ଜଳସେଚନ ପାଇଁ ପାଣି ପାଉନାହାନ୍ତି। ୨୦୨୪ ଖରିଫ୍ ବେଳକୁ ଜଳଭଣ୍ଡାରରୁ ପାଖାପାଖି ୫୦ ହଜାର ଏକର ଜମିକୁ ପାଣି ମାଡ଼ିବ ବୋଲି ତତ୍କାଳୀନ ବିଜେଡି ସରକାର ଘୋଷଣା କରିଥିଲେ। କିନ୍ତୁ ବାସ୍ତବ କାର୍ଯ୍ୟାନ୍ବୟନକୁ ଦେଖିଲେ ୨୦୨୬ ବେଳକୁ ହିଁ ଜଳଭଣ୍ଡାରରୁ ଜଳସେଚନ ସୁବିଧା ମିଳିବ। ଯାହା ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ତର୍କବିତର୍କ ବେଳେ ସାମନାକୁ ଆସିଛି। ତେବେ ଏହି ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ଲୋକମାନେ ଅସନ୍ତୋଷ ଜାହିର କରିଛନ୍ତି। କୁଶମେଲ୍ସ୍ଥିତ ବିସ୍ଥାପିତ କଲୋନିରେ ରହୁଛନ୍ତି ଭଗବତୀ ପଟ୍ନିଆ। ବୟସ ୮୫ ଉପରେ। ନା’ ତାଙ୍କୁ କ୍ଷତିପୂରଣ ରାଶି ମିଳିଛି, ନା’ ଜମି। ଭଗବତୀଙ୍କ ଭଳି ବହୁ ବିସ୍ଥାପିତ ସମସ୍ୟା ଭିତରେ ଘାଣ୍ଟି ହେଉଛନ୍ତି।
ସରକାରୀ ରିପୋର୍ଟ ମୁତାବକ, ଲୋୟର ସୁକତେଲ୍ ଜଳସେଚନ ପ୍ରକଳ୍ପରେ ବଲାଙ୍ଗୀର ସଦର ବ୍ଲକ୍ର ୧୭ଟି ଗ୍ରାମରୁ ୩୫୩୫ ଜଣ ଓ ଲୋଇସିଂହା ବ୍ଲକ୍ର ୧୧ଟି ଗ୍ରାମରୁ ୩୧୮୪ ଜଣ ବିସ୍ଥାପିତ ହୋଇଛନ୍ତି। ସର୍ବମୋଟ ୨୯ ଖଣ୍ଡ ଗ୍ରାମରୁ ମୋଟ ୫୩୩୯ ରୟତି ଖାତାଦାରଙ୍କ ୯୮୫୦.୫୬ ଏକର ଜମି ଅଧିଗ୍ରହଣ ହୋଇଥିବା ବେଳେ ୬୭୧୯ ବିସ୍ଥାପିତ ପରିବାରଙ୍କୁ ଥଇଥାନ କରାଯାଇଛି। ମୃତ୍ୟୁ ଓ ଅନ୍ୟାନ୍ୟ କାରଣ ହେତୁ ୨୫୩ ଜଣଙ୍କ ସହାୟତାକୁ ନାମଞ୍ଜୁର କରାଯାଇଛି। ୨୪୦ ବିସ୍ଥାପିତ ପରିବାରକୁ ବାରମ୍ବାର ନୋଟିସ୍ ପରେ ମଧ୍ୟ ସେମାନେ ଥଇଥାନ ସହାୟତା ରାଶି ଗ୍ରହଣ କରୁନାହାନ୍ତି। ଅନ୍ୟପକ୍ଷରେ ୨୫୫ ଭୂମିହୀନ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି। ବାରମ୍ବାର ନୋଟିସ ସତ୍ତ୍ୱେ ୧୩ ଭୂମିହୀନ ପରିବାର ସହାୟତା ରାଶି ଗ୍ରହଣ କରିନାହାନ୍ତି। ସେହିପରି ଭୂମିହରା ପ୍ରଜାଙ୍କ ମଧ୍ୟରୁ ୧୧୨୪ ଖାତାଦାର ତାଙ୍କ କ୍ଷତିପୂରଣ ରାଶି ଗ୍ରହଣ କରିନାହାନ୍ତି। ଖାତାଦାର ପ୍ରଜାଙ୍କ ଅଂଶୀଦାରମାନଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇ ପାରୁନଥିବାରୁ ତଥା ଅଦାଲତରେ ମାମଲା ଚାଲୁଥିବାରୁ ସହାୟତା ରାଶି ପ୍ରଦାନ କରାଯାଇପାରୁନାହିଁ ବୋଲି ବିଧାନସଭାରୁ ଉତ୍ତର ମିଳିଛି। କ୍ଷତିପୂରଣ ଗ୍ରହଣ କରୁନଥିବା ବିସ୍ଥାପିତଙ୍କ ଅଭିଯୋଗ ହେଲା, ସେମାନଙ୍କ ଜମିର ଅନୁପାତ ଏବଂ ମାନ ଅନୁସାରେ କ୍ଷତିପୂରଣ ରାଶି ଧାର୍ଯ୍ୟ କରାଯାଇନାହିଁ। ଅସନ୍ତୁଷ୍ଟଙ୍କ ଯୁକ୍ତି ହେଲା, ଜମିର କିସମ ଅନୁସାରେ କ୍ଷତିପୂରଣ ରାଶି ସ୍ଥିର ହେବା କଥା। ଏଭଳି ଗଣ୍ଡଗୋଳିଆ ପରିସ୍ଥିତି ମଧ୍ୟରେ ଏହି ପ୍ରକଳ୍ପର ମୁଖ୍ୟ ନିର୍ମାଣଯନ୍ତ୍ରୀ ବହୁ କୋଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ଫଳରେ ଲୋୟର୍ ସୁକ୍ତେଲ୍ର କ୍ଷତିପୂରଣ ରାଶି ଧାର୍ଯ୍ୟ ଏବଂ ନିର୍ମାଣ କାର୍ଯ୍ୟରେ ବଡ଼ଧରଣର କେଳେଙ୍କାରୀ ହୋଇଥିବା ଏକପ୍ରକାର ସ୍ପଷ୍ଟ ବାରି ହେଉଛି।