ମନରେଗାରେ ଦୁର୍ନୀତି, ଭିଜିଲାନ୍ସ୍ ତଦନ୍ତ ଦାବି

ରାସ୍ତା ଉନ୍ନତୀକରଣ ନାଁରେ ୯.୫ ଲକ୍ଷ ଚଳୁ

 

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ରେ ମନରେଗାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଫିରିଙ୍ଗିଆ ବ୍ଲକ୍‌ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କାଟ୍ରାମାଲାକୁ ଯାଇଥିବା ପାହାଡ଼ିଆ ରାସ୍ତା‌ର ଉନ୍ନତୀକରଣ ନାଁରେ ମିଥ୍ୟା ବିଲ୍‌ କରାଯାଇ ସାଢେ ୯.୫ ଲକ୍ଷ ଟଙ୍କା ଚଳୁ କରାଯାଇଛି। ଫିରିଙ୍ଗିଆ ବ୍ଲକ୍‌ର ସଲାଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାସାହି ଠାରୁ କାଟ୍ରାମାଲା ପର୍ଯ୍ୟଟନସ୍ଥଳୀ ପର୍ଯ୍ୟନ୍ତ ୩ କିଲୋମିଟର ରାସ୍ତାର ଉନ୍ନତୀକରଣ ପାଇଁ ମନରେଗା ଯୋଜନାରେ ସାଢ଼େ ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ତେବେ ଏହି ରାସ୍ତାରେ କିଛି ମାଟି ବିଛାଇ ଦେଇ ସମ୍ପୃକ୍ତ ଠିକାଦାର ଓ ଅଧିକାରୀମାନେ ସବୁତକ ଟଙ୍କା ଚଳୁ କରି ଦେଇଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ଭିଜିଲାନ୍ସ୍ ତଦନ୍ତ ଦାବି ହୋଇଛି।
କାଟ୍ରାମାଲା ପର୍ଯ୍ୟଟନ ସ୍ଥଳୀକୁ ୧୯୯୭ ମସିହାରେ ଏକ ରାସ୍ତା ନିର୍ମାଣ କରାଯାଇଥିଲା। ଏହି ପୁରୁଣା ରାସ୍ତାଟି ଯାତାୟାତ ନିମନ୍ତେ ଅନୁକୂଳ ନ ହେବାରୁ ଏହାର ଉନ୍ନତୀକରଣ ପାଇଁ ମନରେଗା ଯୋଜନାରେ ସାଢ଼େ ୯.୫ ଲକ୍ଷ ଟଙ୍କା ବ୍ୟୟବରାଦ କରା ଯାଇଥିଲା। ମାତ୍ର ଦୁର୍ଭାଗ୍ୟର ବିଷୟ, ରାସ୍ତାଟି ପୂର୍ବରୁ ଯେମିତି ଥିଲା ଏବେ ବି ସେମିତି ଅଛି। ଆଜି ବି ଏହି ରାସ୍ତା ଦେଇ ଦୁଇଚକିଆ ଯାନରେ ଯିବା ଅସମ୍ଭବ ହୋଇ ପଡୁଛି। ଏହି ରାସ୍ତା ଦେଇ ଚାରି ଚକିଆ ଯାନ ଚଳାଚଳ କଥା ଚିନ୍ତା କରିବା ଅସମ୍ଭବ। ସମ୍ପୃକ୍ତ ଠିକାଦାର ଏବଂ ଅଧିକାରୀଙ୍କ ସଲାସୁତୁରାରେ ରାସ୍ତାରେ ମାଟି ନ ପକାଇ ସବୁତକ ଟଙ୍କା ଚଳୁ କରାଯାଇଛି। ଏହାର ଭିଜିଲାନ୍ସ୍ ତଦନ୍ତ ପାଇଁ ମୁଣ୍ଡାସାହି ଗ୍ରାମବାସୀ ରଞ୍ଜିତ କହଁର, ସୁଶାନ୍ତ କୁମାର ବାଘ, ସୁଶୀଲ କହଁର, ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଜିଲ୍ଲାପାଳ ଡ. ବୃନ୍ଦା ଡି.ଙ୍କ ସହ ଯୋଗାଯୋଗ କରାଯାଇଥିଲା। ତେବେ ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅପରପକ୍ଷେ, କାଟ୍ରାମାଲା ପର୍ଯ୍ୟଟନସ୍ଥଳୀକୁ ଭଲ ରାସ୍ତାଟିଏ ଜରୁରୀ ଥିଲାବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ସମ୍ବନ୍ଧିତ ଖବର