ଯାଜପୁର : ଉଦ୍ୟାନ ବିଭାଗ‌ ଆଳୁ ବିହନ ବଜାରରେ ବିକ୍ରି କରିବାରୁ ଆଳୁ ମିସନ ବିଫଳ ହୋଇଥିଲା। ସେହିପରି ୨୦୨୨-୨୩ ରେ ଆଧୁନିକ ପ୍ରଣାଳୀରେ ମୁଗଚାଷ ପାଇଁ ବିହନ ଓ ଅନୁଦାନକୁ ଭାଗବାଣ୍ଟି ନେବାକୁ ଯୋଜନା ହୋଇଛି। ଯାଜପୁର ଜିଲ୍ଲାରେ ୭ହଜାର ୩୩୭ଏକର(୨୯୩୫ ହେକ୍ଟର)ରେ ଆଧୁନିକ ପ୍ରଣାଳୀରେ ମୁଗଚାଷ ପାଇଁ ଆସିଥିବା ୫୮ହଜାର ୭୦୦ କେଜି ମୁଗ ବିହନ ପ୍ରକୃତ ଚାଷୀଙ୍କୁ ବଣ୍ଟନ ନକରି ପ୍ରଭାବଶାଳୀଙ୍କୁ ବାଣ୍ଟିଛନ୍ତି। ପ୍ରତି ହେକ୍ଟର ପ୍ରତି ୯ହଜାର ଟଙ୍କା ସହାୟତା ରାଶି ସରକାର ଯୋଗାଇ ଦେବାପୂର୍ବରୁ ବିହନ ଗ୍ରହିତାଙ୍କଠାରୁ ୩ଶହ ଟଙ୍କା ଆଦାୟ କରୁଛନ୍ତି। ଫଳରେ, ଯାଜପୁର ଜିଲ୍ଲାରେ ଅାଧୁନିକ ପ୍ରଣାଳୀ ମୁଗଚାଷ କ୍ଷେତ୍ର ପ୍ରଦର୍ଶନ ଓ କ୍ଷୁଦ୍ର ବିହନ ପଡ଼ିଆ ପ୍ରଦର୍ଶନ କାର୍ଯ୍ୟକ୍ରମ ପ୍ରହସନରେ ପରିଣତ ହୋଇଛି।

Advertisment

ଆଳୁ ମିସନ୍ ପରି ମୁଗଚାଷ ମିସନ୍ ବିଫଳ ହେବ
ବିହନ ଗ୍ରହିତାଙ୍କ ଠାରୁ ୩ ଶହ ଟଙ୍କା ଲେଖାଏଁ ଆଦାୟ
କାଗଜପତ୍ରରେ ୭୩୩୭ଏକର ମୁଗଚାଷ

ସରକାର ଚଳିତ ରବି ଫସଲ ପାଇଁ ୨୦୨୨ -୨୩ ଆର୍ଥିକ ବର୍ଷରେ ୩ଟି ଯୋଜନାରେ କେତେକ ଆଗୁଆ ଚାଷୀଙ୍କୁ ମୁଗ ବିହନ ମାଗଣାରେ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଧାନ ପରବର୍ତ୍ତୀ ପଡ଼ିଆ ଜମି ପରିଚାଳନା ପାଇଁ ଯାଜପୁର ଜିଲ୍ଲାକୁ ମୋଟ ୫୧୭ କୁଇଣ୍ଟାଲ ମୁଗ ବିହନ ମିଳିଛି। ସେଥିମଧ୍ୟରୁ ବଡ଼ଚଣା, ଧର୍ମଶାଳା, ଦାନଗଦି, ଦଶରଥପୁର ଓ କୋରେଇ ବ୍ଲକରେ ୫୦ କୁଇଣ୍ଟାଲ ଲେଖାଏଁ ମୁଗ ବିହନ ବଣ୍ଟନ କରାଯାଇଛି। ବିଂଝାରପୁର ଓ ବରୀ ବ୍ଲକ୍‌ରେ ୬୦ କୁଇଣ୍ଟାଲ ଲେଖାଏଁ, ସୁକିନ୍ଦା ବ୍ଲକ୍‌ରେ ୫୭ କୁଇଣ୍ଟାଲ, ରସୁଲପୁର ଓ ଯାଜପୁର ବ୍ଲକ୍‌ରେ ୪୫ କୁଇଣ୍ଟାଲ ଲେଖାଏଁ ମୁଗ ବିହନ ବଣ୍ଟନ କରାଯାଇଛି। ସେହିପରି କେନ୍ଦ୍ର ସରକାରଙ୍କ ଧାଡ଼ିରୁଆ ଧାନଚାଷ ପରେ ଖାଦ୍ୟ ନିରାପତ୍ତା ମିସନରେ ୪୦ କୁଇଣ୍ଟାଲ ମୁଗ ବିହନ ମଧ୍ୟ ଯାଜପୁର ଜିଲ୍ଲାକୁ ମିଳିଛି। ବଡ଼ଚଣା ଓ ଦଶରଥପୁର ପ୍ରତ୍ୟେକ ବ୍ଲକ୍‌ରେ ଏହି ଯୋଜନାରୁ ୨୦ କୁଇଣ୍ଟାଲ ଲେଖାଏଁ ମୁଗ ବିହନ ବଣ୍ଟନ କରାଯାଇଛି। ଅନୁରୂପ ଭାବେ ବିଶ୍ୱବ୍ୟାଙ୍କ ଅନୁଦାନରେ ଜଳବାୟୁ ସ୍ଥିର କୃଷି ପାଇଁ ଓଡ଼ିଶା ସମନ୍ୱୟ ଜଳସେଚନ ପ୍ରକଳ୍ପ ଯୋଜନାରୁ ମଧ୍ୟ ୩୦ କୁଇଣ୍ଟାଲ ମୁଗ ବିହନ ଯାଜପୁର ଜିଲ୍ଲାକୁ ଆସିଛି। ଏହି ଯୋଜନାର ମୁଗ ବିହନ ଦାନଗଦୀ, ଯାଜପୁର ଓ ଦଶରଥପୁର ବ୍ଲକରେ ୧୦ କୁଇଣ୍ଟାଲ ଲେଖାଏଁ ବଣ୍ଟନ କରାଯାଇଛି। ତିନୋଟି ଯୋଜନାରୁ ମୋଟ ୫୮୭କୁଇଣ୍ଟାଲ ମୁଗବିହନ ଯାଜପୁର ଜିଲ୍ଲାକୁ ଆସିଛି।

କୃଷି ବିଭାଗ ଏହି ଚାଷକୁ କ୍ଷେତ୍ର ପ୍ରଦର୍ଶନ ଭାବେ ନେଇ ଏହାକୁ ପରୀକ୍ଷଣ କରିବାର ଯୋଜନା ରହିଛି। ସରକାରଙ୍କ ପ୍ରଦତ୍ତ ନିୟମ ଅନୁଯାୟୀ ସାମଗ୍ରୀ କିଣି ଚାଷଜମିରେ ଉପଯୋଗ କରାଯିବ। ବିଭାଗୀୟ ଅଧିକାରୀମାନେ ଏହି ଚାଷ ସମ୍ପର୍କରେ ପରୀକ୍ଷଣ କରି ରୋଗପୋକ ନିୟନ୍ତ୍ରଣ, ଅମଳ ଓ ଅନ୍ୟାନ୍ୟ ସମ୍ବନ୍ଧରେ ସଠିକ୍‌ ତଥ୍ୟ ପାଇପାରିବେ। କ୍ଷେତ୍ର ପ୍ରଦର୍ଶନ ଓ କ୍ଷୁଦ୍ର ବିହନ ପଡ଼ିଆ ପ୍ରଦର୍ଶନ ଚାଷ ପାଇଁ ୧ ହେକ୍ଟର ପ୍ରତି ୯ ହଜାର ଟଙ୍କା ସରକାର ସହାୟତା ରାଶି ପ୍ରଦାନ କରୁଛନ୍ତି। ମୁଗ ବିହନ ବାବଦକୁ ୨୩୮୮ ଟଙ୍କା, ଚାଷୀ କିଣିଥିବା ସାମଗ୍ରୀ ପାଇଁ ୫୮୧୨ ଟଙ୍କା ଓ କ୍ଷେତ୍ର ପରିଦର୍ଶନ ପାଇଁ ଅଧିକାରୀଙ୍କ ଗସ୍ତ ବାବଦ ୮୦୦ ଟଙ୍କା ଖର୍ଚ୍ଚ ବ୍ୟବସ୍ଥା ଅଛି। ସରକାରୀ ନିୟମ ଅନୁଯାୟୀ ଚାଷ ହେଉନାହିଁ କିନ୍ତୁ ୫୮୧୨ ଟଙ୍କା ରିହାତି ଅର୍ଥ ଚାଷୀଙ୍କୁ ଦିଆଯିବାର ଯୋଜନା ଚାଲିଛି। କେବଳ କାଗଜପତ୍ରରେ କାମ ହେଉଛି। ଏହି ମୁଗ ବିହନ ବଣ୍ଟନରେ ୪ କିଗ୍ରା ଥିବା ଏକ ପ୍ୟାକେଟ୍ ପ୍ରତି ୩୦୦ ଟଙ୍କା ଆଦାୟ ହେଉଛି।

ଏ ସମ୍ପର୍କରେ ବଡ଼ଚଣା ବ୍ଲକ କୃଷି ଅଧିକାରୀ ଲୋକନାଥ ମିଶ୍ର କହନ୍ତି, ସରକାରୀ ନୀତି ଅନୁଯାୟୀ ନୂତନ ପଦ୍ଧତିରେ ମୁଗଚାଷ ହୋଇଛି। ଏଥିରେ ବ୍ୟବହୃତ ସାମଗ୍ରୀ କିଣାଯାଇଛି ବୋଲି ଭାଟ ବିଲ୍‌ର ଆବଶ୍ୟକତା ଅଛି। ଭାଟ୍ ବିଲ୍ ପାଇଁ ୩୦୦ ଟଙ୍କା ଆଦାୟ ହେଉଛି।

କେବଳ ବଡ଼ଚଣାରେ ନୁହେଁ, ସମଗ୍ର ଜିଲ୍ଲାରେ ଏହି କେଳେଙ୍କାରୀ ଜାରି ରହିଛି। କାଗଜପତ୍ରରେ ୨୯୩୫ହେକ୍ଟର ଆଧୁନିକ ମୁଗଚାଷ ବାବଦରେ ସରକାରଙ୍କ ତହବିଲରୁ ୨କୋଟି ୬୪ଲକ୍ଷ ୫୧ହଜାର ଟଙ୍କା ଲୁଟ କରିବାକୁ ଅସାଧୁମେଣ୍ଟ ଲାଗିପଡିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ କୃଷି ବିଭାଗରେ ଚାଲିଥିବା ମୁଗ ମିସନ କେଳେଙ୍କାରୀର ପର୍ଦ୍ଦାଫାସ ହୋଇପାରିବ ବୋଲି ଚାଷୀମାନେ ଦାବି କରିଛନ୍ତି।