ନଗଡ଼ା ବିକାଶ ଦୁର୍ନୀତି, ୨୫କୁ ଘୁଞ୍ଚିଲା ଲୋକାୟୁକ୍ତଙ୍କ ପରିଦର୍ଶନ

ଭୁବନେଶ୍ବର: ନଗଡ଼ାରେ ସରକାରୀ କାର୍ଯ୍ୟରେ ହୋଇଥିବା ବ୍ୟାପକ ଦୁର୍ନୀତିର ଯାଞ୍ଚ କରିବା ନେଇ ଚଳିତ ମାସ ୨୧ ତାରିଖରେ ଲୋକାୟୁକ୍ତ ନଗଡ଼ା ପରିଦର୍ଶନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ଏହାକୁ ୨୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଲୋକାୟୁକ୍ତ ଅଧ୍ୟକ୍ଷ ଏହି ତାରିଖରେ ଉପଲବ୍ଧ ହେଉ ନ ଥିବାରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ୨୦୧୬ ମସିହାରେ ଯାଜପୁର ଜିଲ୍ଲାର ନଗଡ଼ା ଗ୍ରାମରେ ୨୩ଜଣ ଜୁଆଙ୍ଗ ଆଦିବାସୀ ଶିଶୁ ପୁଷ୍ଟିହୀନତାର ଶିକାର ହୋଇ ପ୍ରାଣ ହରାଇବା ଘଟଣା ରାଜ୍ୟବ୍ୟାପୀ ଚର୍ଚାର ବିଷୟ ପାଲଟିଥିଲା। ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ରାଜ୍ୟ ସରକାର ନଗଡ଼ାର ସାମଗ୍ରିକ ବିକାଶ ସହ ଜୁଆଙ୍ଗ ଆଦିବାସୀଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଇବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥି‌ଲେ। ତେବେ ଏସବୁ କାର୍ଯ୍ୟକ୍ରମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଏ ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିବା ପରେ ଜିଲ୍ଲାର ୭ ଅଧିକାରୀଙ୍କୁ ଏଥିପାଇଁ ନୋଟିସ୍ ଜାରି କରାଯାଇଥିଲା। ତେବେ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ଓ ନିରପେକ୍ଷ ତଦନ୍ତ ଦୃଷ୍ଟିରୁ ଲୋକାୟୁକ୍ତ ନିଜେ ନଗଡ଼ା ଯାଇ ଏହାର ଯାଞ୍ଚ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର