କଟକ କଲେଜରେ କୋଟିଏ ଟଙ୍କାର ଦୁର୍ନୀତି

ଅଧ୍ୟକ୍ଷ, ୧୩ ଅଧ୍ୟାପକ, କର୍ମଚାରୀଙ୍କ ନାଁରେ ଗଡୁଛି ଲକ୍ଷାଧିକ ଟଙ୍କା ଆଡଭାନ୍ସ

ବିନା ଅନୁମୋଦନରେ ଘରୋଇ ସଂସ୍ଥାକୁ କାମ, ୮୫ ଲକ୍ଷ ଟଙ୍କା ଆଡଭାନ୍ସ
୩ ବର୍ଷ ପୂର୍ବର କୋଟିଏରୁ ଅଧିକ ଟଙ୍କା ଆଦାୟ ପାଇଁ ଅଡିଟ ରିପୋର୍ଟ

କଟକ : ନୂଆବଜାରସ୍ଥିତ କଟକ କଲେଜରେ ଅଧ୍ୟାପକ, କର୍ମଚାରୀମାନେ କରୁଛନ୍ତି ଠିକାକାମ। ଏଥିପାଇଁ ସେମାନଙ୍କ ନାମରେ ଉଠା ଯାଇଛି ଲକ୍ଷାଧିକ ଟଙ୍କାର ଆଡଭାନ୍ସ। ପୁଣି ଲକ୍ଷାଧିକ ଟଙ୍କାର ଠିକାକାମ କଲେଜ ପରିଚାଳନା କମିଟିର ବିନା ଅନୁ ମୋଦନରେ ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି। ସଂପୃକ୍ତ ଘରୋଇ ସଂସ୍ଥାକୁ ବି ୮୬ ଲକ୍ଷ ଟଙ୍କା ଆଡଭାନ୍ସ ଆକାରରେ ଦିଆଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ହୋଇଥିବା ୧ କୋଟି ୫ ଲକ୍ଷ ୮୧ ହଜାର ୨୦୦ ଟଙ୍କାର ଏଭଳି ଆର୍ଥିକ ଅନିୟମିତତାକୁ ନେଇ ଏବେ ଅଡିଟ ପ୍ରଶ୍ନ ଉଠାଇବା ସହିତ ଏହାକୁ ଆଦାୟ କରିବାକୁ ରିପୋର୍ଟ ଦେଇଛି। ସରକାରୀ ଅନୁଦାନପ୍ରାପ୍ତ କଲେଜରେ ଏଭଳି କେଳେଙ୍କାରୀ ଏବେ ଅନେକଙ୍କୁ ଚକିତ କରିଛି।

ଅଡିଟ ରିପୋର୍ଟ ଅନୁଯାୟୀ କଲେଜର ଅଧ୍ୟକ୍ଷଙ୍କ ସମେତ ୧୪ ଜଣ ଅଧ୍ୟାପକ ଓ କର୍ମଚାରୀଙ୍କ ନାମରେ ଆଡଭାନ୍ସ ଆକାରରେ ଟଙ୍କା ଉଠା ଯାଇଛି। ୨ ହଜାର ଟଙ୍କାରୁ ଆରମ୍ଭ କରି ଦେଢ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ୧୩ ଜଣ ଅଧ୍ୟାପକ ଓ କର୍ମଚାରୀଙ୍କ ନାମରେ ଆଡଭାନ୍ସ ଆକାରରେ ଗଡୁଥିବା ବେଳେ କଲେଜର ପ୍ରିନ୍ସିପାଲଙ୍କ ନାମରେ ୯୫ ଲକ୍ଷ ୯୦ ହଜାର ୬୦୦ ଟଙ୍କା ଆଡଭାନ୍ସ ଆକାରରେ ଥିବା ରିପୋର୍ଟରେ ଦର୍ଶାଯାଇଛି। ଇଂଜିନିୟରସ ଇଣ୍ଡିଆ କନଷ୍ଟ୍ରକସନ୍ ନାମକ ଏକ ସଂସ୍ଥାକୁ ୮୫ ଲକ୍ଷ ଟଙ୍କା ଆଡଭାନ୍ସ ଦିଆଯାଇଥିବା ଅଡିଟ ରିପୋର୍ଟରୁ ସୂଚନା ମିଳିଛି। କିନ୍ତୁ ନିୟମ ଅନୁଯାୟୀ ବିନା ଅନୁମୋଦନରେ ସଂପୃକ୍ତ ସଂସ୍ଥାକୁ କାର୍ଯ୍ୟ ଦାୟିତ୍ବ ଓ ଟଙ୍କା ଦିଆଯାଇଥିବା ମଧ୍ୟ ଅଡିଟ ରିପୋର୍ଟରେ ଦର୍ଶା ଯାଇଛି। ଅର୍ଥ ବିଭାଗର ଚିଠି ନଂ ୨୨୨୧/ଏଫ୍‌/୮/୩/୦୨, ଚିଠି ନମ୍ବର ୧୫୧୭୯/ ୨୮/୯/୨୦୧୩ ଆଧାରରେ ଅଡିଟ ବିଭାଗ ପକ୍ଷରୁ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କିନ୍ତୁ ଏତେ ଗୁଡାଏ ଟଙ୍କା କାହିଁକି ଓ କିପରି ଅଧ୍ୟାପକ, କର୍ମଚାରୀଙ୍କୁ ଅଗ୍ରୀମ ଆକାରରେ ଦିଆଗଲା, କେଉଁ ପରିସ୍ଥିତିରେ ଅଧ୍ୟାପକ, କର୍ମଚାରୀଙ୍କ ନାମରେ ଆଡଭାନ୍ସ ଉଠାଇ କଲେଜର ଉନ୍ନୟନ କାର୍ଯ୍ୟ କରିବାର ଆବଶ୍ୟକତା ପଡିଲା ଏବଂ କାର୍ଯ୍ୟ ନ ହୋଇ ବର୍ଷ ବର୍ଷ ଧରି ଆଡଭାନ୍ସ ଟଙ୍କା ପଡି ରହିଲା, ତାହା ଏବେ ସଂପୂର୍ଣ୍ଣ ଘଟଣାକୁ ରହସ୍ୟମୟ କରିଛି। କେଉଁ ନିୟମ ଆଉ ଅଧିକାର ବଳରେ ଗୋଟିଏ ଘରୋଇ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଗଲା, ତାହା ବି ଏବେ ସନ୍ଦେହର କାରଣ ହୋଇଛି। କିନ୍ତୁ ଏ ସଂପର୍କରେ କଲେଜର ଅଧ୍ୟକ୍ଷ ଓ ପରିଚାଳନା କମିଟି ସଭାପତିଙ୍କ ମତ ବି ଘଟଣାକୁ ‌ଅଧିକ ବିବାଦୀୟ କରିଛି। କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ପଟ୍ଟନାୟକ କହିଛନ୍ତି ଯେ ଯେତିକି ଟଙ୍କାର ଏଷ୍ଟିମେଟ ହୋଇଥିଲା ତାଠାରୁ ଅଧିକ ଟଙ୍କାର ବିଲ୍‌, ଭାଉଚର ଉକ୍ତ ଠିକା କାମ ନେଇଥିବା ସଂସ୍ଥା ପଇଠ କରିଥିବାରୁ ଅଡିଟ୍‌ ତାହାକୁ ନେଇ ପ୍ରଶ୍ନ ଉଠାଇଛି। ଏହାର ତୁରନ୍ତ ସମାଧାନ କରିବା ପାଇଁ କୁହାଯାଇଛି। କିନ୍ତୁ ଏଥିରେ ସେଭଳି କିଛି ଅନିୟମିତତା ହୋଇନି। ସେହିଭଳି ଉନ୍ନୟନ କାର୍ଯ୍ୟ ପାଇଁ ଅଧ୍ୟାପକ, କର୍ମଚାରୀଙ୍କ ନାମରେ ଟଙ୍କା ଉଠାଯାଇଛି, ଏଥିରେ କୌଣସି ଅସ୍ବାଭାବିକତା ନାହିଁ ବୋଲି ଅଧ୍ୟକ୍ଷ କହିଛନ୍ତି। ଅନ୍ୟପଟେ ଅଡିଟ ବିଭାଗ ଏଭଳି ଅନିୟମିତତା ସଂପର୍କରେ ଅର୍ଥ ବିଭାଗର ଚିଠିକୁ ଆଧାର କରି ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ କଲେଜ ପରିଚାଳନା କମିଟିର ସଭାପତି ଥିବା ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ଏ ସଂପର୍କରେ ଏଯାଏ କିଛି ଜାଣି ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର