ମଣ୍ଡିରେ ମହାଦୁର୍ନୀତି : ଭୂମିହୀନଙ୍କୁ ଦର୍ଶାଯାଇଛି ଭାଗଚାଷୀ, ଅନ୍ୟ ଜମି ଦେଖାଇ ଟୋକନ ହାତେଇଛନ୍ତି ଦଲାଲ

ପ୍ରକୃତ ଚାଷୀ ହଟହଟା

ବଲାଙ୍ଗୀର : ଦଲିଲ ଦସ୍ତାବେଜ ଏପଟସେପଟ କରି ଚାଷୀ ବଦଳରେ ଦଲାଲଙ୍କ ନାଁରେ ଆସୁଛି ଟୋକନ। ଚାଷୀଙ୍କଠାରୁ କମ ଦରରେ ଧାନ କିଣି ଦଲାଲ ହେଉଛନ୍ତି ମାଲାମାଲ। ହେଲେ ପ୍ରକୃତ ଚାଷୀ କାଙ୍ଗାଳ। ଅମଳ ଧାନ ବିକି ନପାରି ମଣ୍ଡିରେ ଡେରା ପକାଇଛି ଚାଷୀ। ଏବେ ବି ଜିଲ୍ଲାର ଅନେକ ମଣ୍ଡିରେ ଧାନ ପଡ଼ିରହିଛି। ବଲାଙ୍ଗୀର ଜିଲ୍ଲା ଗଡ଼ଶଙ୍କର ଡୁଙ୍ଗୁରିପାଲି ମଣ୍ଡିରେ ଦଲାଲ ଚଞ୍ଚକତା କରି ଜାଲ କାଗଜପତ୍ରରେ ଟୋକନ ହାତେଇ ମାଲାମାଲ ହୋଇଛନ୍ତି। ଏଭଳି ଜଣେ ଦଲାଲଙ୍କ ୪୨୦ କାରନାମା ଏବେ ସାମ୍ନାକୁ ଆସିଛି।

ନିୟମିତ ଭାବରେ ଗଡ଼ଶଙ୍କର ଡୁଙ୍ଗୁରିପାଲି ମଣ୍ଡି ଖୋଲୁଛି। ମଣ୍ଡିରେ ଧାନ ବିକ୍ରି ବି ହେଉଛି। କିନ୍ତୁ ପେକ୍ସ ଅଧିକାରୀ, କର୍ମଚାରୀଙ୍କୁ ହାତ କରି ଦଲାଲ ଏଠି ଡେରା ପକାଇଛନ୍ତି। ଅନନ୍ତ ବିଶି ନାମକ ଜଣେ ବ୍ୟକ୍ତି ଜାଲିଆତି କରି ଟୋକନ ହାତେଇ ଧାନ ବିକିଛନ୍ତି। ଅନ୍ୟ ଲୋକଙ୍କ ଜମିରେ ନିଜ ନାମ ରେଜିଷ୍ଟ୍ରେସନ କରି ଟୋକନ ଜେନେରେଟ କରିଛନ୍ତି। ଶହ ଶହ କୁଇଣ୍ଟାଲ ଧାନ ସେ ବିକିସାରିଥିବା ଜଣାପଡ଼ିଛି। ବିଭାଗୀୟ ପୋର୍ଟାଲରୁ ତଥ୍ୟ ନେବାରୁ ଜଣାଯାଇଛି ଯେ, ଅନନ୍ତ ବିଶି ବର୍ତ୍ତମାନ ସୁଦ୍ଧା ୪୦୦ କୁଇଣ୍ଟାଲ ଧାନ ବିକିସାରିଲେଣି। କିନ୍ତୁ ସେ ଦେଇଥିବା ଡକ୍ୟୁମେଣ୍ଟ ମାଗୁରବେଢ଼ା ଗାଁର ଦେବରାଜ ବିଶି ଓ ତାଙ୍କ ପରିବାରର। ହେଲେ ସେମାନେ ଜାଣି ନାହାନ୍ତି। ତାଙ୍କ ନାଁର ଜମିର କାଗଜପତ୍ର ଦେଇ ନିଜ ନାଁ ରେଜିଷ୍ଟ୍ରେସନ କରିଦେଇଛି ଅନନ୍ତ। ଏଭଳି ଜଣେ ନୁହଁ, ଗାଁର ବହୁ ଲୋକଙ୍କ ଜମିର କାଗଜପତ୍ରକୁ ଚଞ୍ଚକତା କରି ଅନେକ ଟୋକନ ହାତେଇଛି। ଚାଷୀ ତାଲିକାରେ ନିଜ ନାଁ ରେଜିଷ୍ଟ୍ରେସନ କରି ଖୋଲାଖୋଲି ମଣ୍ଡିରେ ଧାନ ବିକ୍ରି କରିଛି। ପୂରା କାରବାରର ମାଷ୍ଟରମାଇଣ୍ଡ ପେକ୍ସ ସଂପାଦକ ଶୋଭାବନ ପଧାନ ବୋଲି ଚାଷୀମାନେ କହିଛନ୍ତି।

ମଣ୍ଡିରେ ଜାଲିଆତିର ସୀମା ଟପିଯାଇଛି। ଜଣେ ଭୂମିହୀନ ବ୍ୟକ୍ତି ପ୍ରକାଶ ପୋଢ଼ ଦିନମଜୁରିଆ ଭାବେ କାମ କରନ୍ତି। ଚାଷ ନାହିଁ କି ବାସ ବି ନାହିଁ। କିନ୍ତୁ ପ୍ରକାଶଙ୍କ ନାଁରେ ତିଆରି ହୋଇଛି ଚାଷୀ ପରିଚୟପତ୍ର। ବ୍ରାହ୍ମଣୀଡୁଙ୍ଗୁରୀ ଗାଁର ଜଣେ ଚାଷୀଙ୍କ ଜମିରେ ପ୍ରକାଶଙ୍କୁ ଭାଗଚାଷୀ କରି ନାଁ ରେଜିଷ୍ଟ୍ରେସନ କରାଯାଇଛି। ଜଣେ କି ଦୁଇ ଜଣ ନୁହଁ, ଅନେକ ଚାଷୀଙ୍କ ଦଲିଲ ଦସ୍ତାବେଜରେ ତିଆରି ହୋଇଛି ନକଲି ଚାଷୀଙ୍କ ଅସଲି ପରିଚୟ। ଆଉ ଚାଷୀଙ୍କଠାରୁ କମ ମୂଲ୍ୟରେ ଧାନ କିଣି ମଣ୍ଡିରେ ଏମଏସପି ଦରରେ ଧାନ ବିକୁଛନ୍ତି ଦଲାଲ। ତେଣୁ ଜିଲ୍ଲାକୁ ଟୋକନ ଆସୁଛି ଓ ମଣ୍ଡିରେ ଧାନ କିଣା ବି ହେଉଛି। କିନ୍ତୁ ଏଠି ତଥାପି ମଣ୍ଡିରେ ପଡ଼ିରହୁଛି ଚାଷୀଙ୍କ ଧାନ। କାରଣ ପେକ୍ସଗୁଡ଼ିକରେ ଚାଲିଛି ଏଭଳି ଷ୍ଟାଇଲରେ କଳା କାରନାମା। ମହାଦୁର୍ନୀତି ଚାଲିଥିଲେ ବି ବିଭାଗୀୟ ବାବୁ ନିରବ। ଡିଆରସିଏସ ପ୍ରସନ୍ନ ମହାନ୍ତି ସବୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର