ରାଉରକେଲା : ପ୍ରତ୍ୟେକ କାମରେ ଦୁର୍ନୀତିକୁ ନେଇ ସର୍ବଦା ଚର୍ଚ୍ଚା ଓ ବିବାଦରେ ରହିଛି ପାନପୋଷ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)। ଏହି ସଂସ୍ଥା ଦ୍ବାରା ହେଉଥିବା ଆଦିବାସୀ ଆବାସିକ ବିଦ୍ୟାଳୟ, ଛାତ୍ରଛାତ୍ରୀ ନିବାସ, ସେବାଶ୍ରମ ସ୍କୁଲର ମରାମତି କାମ ହେଉ, ଅବା ନୂଆ କୋଠା ନିର୍ମାଣ, ସବୁଥିରେ ଦୁର୍ନୀତିର ଗନ୍ଧ ବାହାରୁଛି। ପିଡବ୍ଲ୍ୟୁଡି କୋଡ୍‌ ଅନୁଯାୟୀ ୫ ଲକ୍ଷରୁ ଅଧିକ ପ୍ରତ୍ୟେକ କାମ ପାଇଁ ଟେଣ୍ଡର ବାଧ୍ୟତାମୂଳକ। ହେଲେ ମଧ୍ୟ ବର୍ଷ ବର୍ଷ ଧରି ଗୋଟିଏ ହେଲେ କାମର ଖୋଲା ଇ-ଟେଣ୍ଡର କରାଯାଇ ନାହିଁ। ଟେଣ୍ଡର ଏଡାଇବାକୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଭିତିରିଆ ଡିଲ୍‌ ହେଉଥିବା ଅଭିଯୋଗ ହେଉଛି। ଜାଣିଶୁଣି କୋଟି କୋଟିର କାମକୁ ଡିପାର୍ଟମେଣ୍ଟାଲ୍ କାମ ନାଁରେ ଭାଗ ଭାଗ କରି ଠିକାଦାରମାନଙ୍କୁ ବାଣ୍ଟି ଦିଆଯାଉଛି। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଛତ୍ରଛାୟା ରହିଥିବା ଦୁଇ ଯନ୍ତ୍ରୀଙ୍କ ନାଁରେ ସବୁ କିଛି କାମ କରାଯାଉଛି ବୋଲି କୁହାଯାଉଛି। ସେପଟେ ବର୍ଷ ବର୍ଷ ଧରି ସୁନ୍ଦରଗଡ ଓ ପାନପୋଷ ଦୁଇଟି ଆଇଟିଡିଏ ଦାୟିତ୍ବରେ ଜଣେ ଅଧିକାରୀ ଅଛନ୍ତି। ଆଶ୍ଚର୍ଯ୍ୟ କଥା, ଉକ୍ତ ଅଧିକାରୀ ଜଣଙ୍କର ଅନ୍ୟତ୍ର ବଦଳି ସତ୍ବେ ସେ ସୁନ୍ଦରଗଡ ଜିଲ୍ଲା ଛାଡୁ ନାହାନ୍ତି। କେବଳ ସେ ନୁହନ୍ତି, ଦୁର୍ନୀତି ଅଭିଯୋଗରେ ଥିବା ଅନ୍ୟଜଣେ ଅସ୍ଥାୟୀ ଯନ୍ତ୍ରୀ ମଧ୍ୟ ବଦଳି ପରେ ମଧ୍ୟ ଜିଲ୍ଲା ଛାଡୁ ନାହାନ୍ତି।

Advertisment

‘ମୋ ସ୍କୁଲ ଅଭିଯାନ’ରେ ରାଉରକେଲାର ୧୦ଟି ସ୍କୁଲ ଭିତ୍ତିଭୂମିର ବିକାଶ ପାଇଁ ୩ କୋଟି ୭୧ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ସ୍କୁଲ ପିଛା ୩୦ଲକ୍ଷରୁ ଆରମ୍ଭ କରି ୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଉଛି। ସରକାରୀ ସ୍କୁଲ ଭିତ୍ତିଭୂମିର ବିକାଶ ହେବା ସରକାରଙ୍କର ସ୍ବାଗତଯୋଗ୍ୟ ପଦକ୍ଷେପ, ଏହାକୁ ଅସ୍ବୀକାର କରିହେବ ନାହିଁ। କିନ୍ତୁ ନିୟମ ଅନୁଯାୟୀ ଗୋଟିଏ ହେଲେ କାମର ଖୋଲା ଇ-ଟେଣ୍ଡର କରା ଯାଇନାହିଁ। ଡିପାର୍ଟମେଣ୍ଟାଲ ନାଁରେ ପ୍ରତ୍ୟେକ ସ୍କୁଲକୁ ୪ ଜଣ କରି ୧୦ଟି ସ୍କୁଲକୁ ପ୍ରାୟ ୪୦ ଠିକାଦାରଙ୍କୁ ବାଣ୍ଟି ଦିଆ ଯାଇଛି। କେବଳ ଏହି ଗୋଟିଏ ଉଦାହରଣ ନୁହେଁ, ୨୦୨୦ରୁ ୨୦୨୧ ଜୁନ୍‌ ମାସ ପର୍ଯ୍ୟନ୍ତ କୁଆରମୁଣ୍ଡା, ଲାଠିକଟା, ନୂଆଗାଁ ଓ ବିଶ୍ରା ବ୍ଲକରେ ମରାମତି ଓ ଅନ୍ୟାନ୍ୟ ବାବଦରେ ଖର୍ଚ୍ଚ ମାମଲାରେ ମିଳିଥିବା ତଥ୍ୟରୁ ବି ସେହି ସମାନ ସ୍ଥିତି ଦେଖିବାକୁ ମିଳୁଛି। ୨୦୨୦-୨୧ରେ ବିଭାଗକୁ ବିଭିନ୍ନ କାମ ବାବଦରେ ଖର୍ଚ୍ଚ ପାଇଁ ମୋଟ୍‌ ୫ କୋଟି ୧୮ ଲକ୍ଷ ୪ ହଜାର ୫୦୦ ଟଙ୍କା ଆସିଛି। ଏଥି ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ନନ୍‌ପ୍ଲାନ୍‌ ପାଣ୍ଠିରୁ ୫୦ ଲକ୍ଷ, ଦ୍ବିତୀୟ ପର୍ଯ୍ୟାୟରେ ୩ କୋଟି ୯୮ ଲକ୍ଷ ୫ ହଜାର ୫୦୦ ଟଙ୍କା ଓ ସାଂସଦ ପାଣ୍ଠିରୁ ପ୍ରାୟ ୭୦ ଲକ୍ଷ ରହିଛି।

୨୦୨୧ ଜୁନ୍‌ ସୁଦ୍ଧା ୪ କୋଟି ୧୦ ଲକ୍ଷ ୭ ହଜାର ଟଙ୍କା ଖର୍ଚ୍ଚ ହୋଇ ସାରିଛି। ପ୍ରଥମ ପର୍ଯ୍ୟାୟରେ କୁଆରମୁଣ୍ଡା, ବିଶ୍ରା, ନୂଆଗାଁ ଓ ଲାଠିକଟାରେ ୫୧ଟି କାମ ପାଇଁ ମୋଟ୍‌ ୨ କୋଟି ୫୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଟେଣ୍ଡର ଏଡାଇବାକୁ ପ୍ରତ୍ୟେକ କାମକୁ ୨ ଲକ୍ଷରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା କରି ଠିକାଦାରମାନଙ୍କୁ ବାଣ୍ଟି ଦିଆଯାଉଛି। ଏଥି ମଧ୍ୟରୁ କିଛି କାମ ଶେଷ ହୋଇଥିଲାବେଳେ ଅନ୍ୟ କିଛି କାମ ଜାରି ରହିଛି ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ସତ ହେଉଛି, ଅଧିକାଂଶ ଜାଗାରେ ଏଯାଏଁ କାମ ଆରମ୍ଭ ମଧ୍ୟ ହୋଇ ନାହିଁ। ବିଶ୍ରା ଓ ଲାଠିକଟା ବ୍ଲକର ଆଦବାସୀ ସ୍କୁଲର ୧୮ଟି ନଳକୂପ ଖନନ ବାବଦରେ ଖର୍ଚ୍ଚ ହେଉଛି ୯୦ ଲକ୍ଷ। ଅର୍ଥାତ୍‌ ପ୍ରତ୍ୟେକ ନଳକୂପ ବାବଦରେ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଯେଉଁଠି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଗୋଟିଏ ନଳକୂପ ବସାଇବା ବାବଦରେ ଅଢ଼େଇ ଲକ୍ଷରୁ ସାଢ଼େ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି, ତାହାକୁ ଆଇଟିଡିଏ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପଛରେ କି ଉଦ୍ଦେଶ୍ୟ ରହିଛି, ତାହା ବି ତଦନ୍ତ ସାପେକ୍ଷ।

ନୂଆଗାଁ, କୁଆରମୁଣ୍ଡା, ବିଶ୍ରା ଓ ଲାଠିକଟାର ସ୍କୁଲର ୨୯ଟି ଶୌଚାଳୟ ମରାମତି ବାବଦରେ ୧ କୋଟି ୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଏଠି ମଧ୍ୟ ବିଭାଗ ସମାନପନ୍ଥା ଆପଣେଇଛି। ଡିପାର୍ଟମେଣ୍ଟାଲ କାମ ନାଁରେ ପ୍ରତ୍ୟେକ କାମକୁ ୧ ଲକ୍ଷରୁ ଆରମ୍ଭ କରି ୫ ଲକ୍ଷ କରି ଠିକାଦାରମାନଙ୍କୁ ବାଣ୍ଟି ଦିଆଯାଇଛି। ଏହା ପୂର୍ବରୁ ଅନେକ ବ୍ଲକରେ କମ୍ୟୁନିଟି ସେଣ୍ଟର ନିର୍ମାଣ ଓ ଚାଷୀଙ୍କୁ ସିଞ୍ଛନ ସେମିନ୍‌ ବଣ୍ଟନ କାମକୁ ମଧ୍ୟ ଠିକାଦାରମାନଙ୍କୁ କାମ ବାଣ୍ଟି ଦିଆ ଯାଇଛି। ଡିପାର୍ଟମେଣ୍ଟାଲ କାମ ନାଁରେ ଚାଲିଥିବା ଠିକାଦାରପୋଷା ନୀତିକୁ ଅତୀତରେ ବିରୋଧୀ ଦଳମାନେ ମଧ୍ୟ କଡା ବିରୋଧ କରିଛନ୍ତି। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଉଚ୍ଚ ଅଧିକାରୀଙ୍କ ଛତ୍ରଛାୟାରେ ରହିଥିବା ଆଇଟିଡିଏର କରିତ୍‌କର୍ମା ଅଧିକାରୀ ଓ ଯନ୍ତ୍ରୀମାନେ ଗୋଟିଏ ପରେ‌ ଗୋଟିଏ ନିୟମ ଭଙ୍ଗ କରି ଚାଲିଛନ୍ତି।