ଜଗନ୍ନାଥପ୍ରସାଦ ପଶ୍ଚିମପାର୍ଶ୍ବ ପୋଖରୀ ଖୋଳାରେ ଦୁର୍ନୀତି: ଶ୍ରମିକଙ୍କ ଜାଲ୍‌ ଦସ୍ତଖତରେ ମନରେଗା ଟଙ୍କା ହଡ଼ପ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ସୋରଡ଼ା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ପଶ୍ଚିମ ପାର୍ଶ୍ବ ପୋଖରୀ ଖୋଳାରେ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ପୋଖରୀ ଖୋଳା କାର୍ଯ୍ୟ ମେସିନ ଯୋଗେ ହୋଇଥିବା ବେଳେ ଶ୍ରମିକଙ୍କ ଜାଲ୍‌ ଦସ୍ତଖତରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଦେଖିବାକୁ ମିଳିଛି। ତେବେ ମଷ୍ଟରୋଲରେ ହୋଇଥିବା ଦସ୍ତଖତ ହିତାଧିକାରୀମାନେ କରିନଥିବା ବେଳେ ଦଲାଲ୍‌ମାନେ ନିଜେ ନିଜେ ଭୁଲ୍‌ ଦସ୍ତଖତ କରି ମନରେଗା ଟଙ୍କା ହଡ଼ପ କରିଥିବା ଦେଖିବାକୁ ମିଳିଛି।

ତେବେ ଶ୍ରମିକମାନେ ଏହି ପୋଖରୀ ଖୋଳା କାର୍ଯ୍ୟରେ ନିୟୋଜିତ ଥିବା ନେଇ ମଷ୍ଟରୋଲରେ ଶ୍ରମିକମାନଙ୍କର ଦସ୍ତଖତ ହୋଇଥିବା ଏବଂ ଦୁଇ କିମ୍ବା ତିନି ଜଣ ଦଲାଲ ମିଳିମିଶି ଜାଲ୍‌ ଦସ୍ତଖତ କରି ଟଙ୍କା ହଡ଼ପ କରିଛନ୍ତି। ଯେଉଁ ଶ୍ରମିକମାନେ କାର୍ଯ୍ୟକୁ ଆସିନାହାନ୍ତି ସେମାନଙ୍କର ମଧ୍ୟ ଭିନ୍ନ ଭିନ୍ନ ଦସ୍ତଖତ ହୋଇଥିବା ଜଣାପଡିଛି। ଯଦି ଜଣେ ଶ୍ରମିକ କାର୍ଯ୍ୟକୁ ଆସିନାହିଁ, ତାହା ହେଲେ ସେ କିଭଳି ଦସ୍ତଖତ କରିଛନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି କାର୍ଯ୍ୟ ପାଇଁ ୪ ଲକ୍ଷ ୨୫ ହଜାର ଟଙ୍କା ଅନୁଦାନ ମିଳିଥିବା ବେଳେ ବର୍ତ୍ତମାନ ୨ ଲକ୍ଷ ୮୫ ହଜାର ଟଙ୍କା ବିଲ‌୍ ହୋଇସାରିଲାଣି। ତେବେ ମଷ୍ଟରୋଲରେ ଶ୍ରମିକଙ୍କ ଦସ୍ତଖତ ଗାଁ ସାଥୀ ଅକ୍ଷୟ ସାହୁ କରିଥିବା କଥା ସୋରଡା ପଞ୍ଚାୟତ ଜିଆର୍‌ଏସ୍‌ ମୀନା ମଣ୍ତଳ କହୁଥିବା ବେଳେ ଗାଁ ସାଥୀ ଅକ୍ଷୟ ସାହୁ ଏ କାର୍ଯ୍ୟ ବିଷୟରେ କିଛି ଜାଣିନଥିବା କହୁଛନ୍ତି।

ତେବେ ଜଣେ ଶ୍ରମିକଙ୍କ ଦସ୍ତଖତ ଜାଗାରେ ଆଉ ଜଣେ ଦସ୍ତଖତ କରିବା ଏବଂ ବିଭିନ୍ନ ମଷ୍ଟରୋଲରେ ଶ୍ରମିକଙ୍କ ଭିନ୍ନ ଭିନ୍ନ ଦସ୍ତଖତ ହୋଇଥିବା ଘଟଣାରେ କିଏ କାହା ଉପରେ ଦୋଷ ଲଦିବେ ସେଥିନେଇ ଉଭୟ ଚିନ୍ତାରେ ପଡିଯାଇଛନ୍ତି। ତେବେ ଶ୍ରମିକମାନଙ୍କର ଉପସ୍ଥାନ ଜିଆର୍‌ଏସ୍‌ ପକାଇଥିବା ମଷ୍ଟରୋଲରେ ଉଲ୍ଲେଖ ଥିବା ବେଳେ ସେ କିନ୍ତୁ ଶ୍ରମିକମାନଙ୍କର ଉପସ୍ଥାନ ପକାଇନଥିବା କଥା କହୁଛନ୍ତି। ଶ୍ରମିକମାନଙ୍କର ଦସ୍ତଖତର କୌଣସି ଯାଞ୍ଚ ନକରି ଅଧିକାରୀମାନେ କିଭଳି ବିଲ୍‌ କରିପାରିଲେ ତାହା ଚିନ୍ତାର ବିଷୟ ପାଲଟିଛି। ତେବେ ପୋଖରୀ ଖୋଳା କାର୍ଯ୍ୟରେ ଶ୍ରମିକମାନଙ୍କର ଜାଲ୍‌ ଦସ୍ତଖତର ଖୋଳତାଡ଼ କରିବା ସହ ଦୁର୍ନୀତି କରିଥିବା ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ସମ୍ବନ୍ଧିତ ଖବର