ରାସନ ବଣ୍ଟନରେ ହେରାଫେରି, ଦୁଇଗୋଷ୍ଠୀ ମୁହାଁମୁହିଁ

କୋରେଇ: କୋରେଇ ବ୍ଲକ୍‌ରେ ରାସନସାମଗ୍ରୀ ବଣ୍ଟନରେ ହେରାଫେରି ହେଉଥିବା ଅଭିଯୋଗ ହୋଇଛି। ହିତାଧିକାରୀଙ୍କ ରାସନ ଚାଉଳକୁ କିଛି ଡିଲର କମ ଦରରେ କିଣିନେଇ ବାହାରେ କଳାବଜାରୀ କରୁଛନ୍ତି। ଏଭଳି ଅଭିଯୋଗକୁ ନେଇ ସାଦକପୁର ଓ ହଳଦିଗଡ଼ିଆ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟମାନେ ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀ ଏନେଇ କୋରେଇ ବିଡିଓ, ଯାଜପୁର ଉପଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, କୋରେଇ ବ୍ଲକ୍‌ ସଦର ମହକୁମା ସାଦକପୁର ପଞ୍ଚାୟତରେ ୧୫ ଶହରୁ ଊର୍ଦ୍ଧ୍ବ ରାସନ କାର୍ଡଧାରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୭୪୦ ଜଣ ହିତାଧିକାରୀ କୋରେଇ ପ୍ରାଥମିକ କୃଷି ସମବାୟ ସମିତିର ଡିଲରଙ୍କ ଠାରୁ ରାସନସାମଗ୍ରୀ ନେଉଥିବା ବେଳେ ଅବଶିଷ୍ଟ ୮ ଶହରୁ ଅଧିକ ହିତାଧିକାରୀ ସାଦକପୁର ପଞ୍ଚାୟତ କାର୍ଯ୍ୟାଳୟ ଡିଲରଙ୍କ ଠାରୁ ରାସନ ନେଉଛନ୍ତି। ସାଦକପୁର ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର ବେହେରାଙ୍କ ଅଭିଯୋଗ ଅନୁଯାୟୀ, କୋରେଇ ପ୍ରାଥମିକ କୃଷି ସମବାୟ ସମିତି କଞ୍ଜୁମର ଷ୍ଟୋର୍‌ରେ ହିତାଧିକାରୀଙ୍କ ପାଇଁ ଆସୁଥିବା ଚାଉଳକୁ ସମ୍ପୂର୍ଣ୍ଣ ବଣ୍ଟନ କରାଯାଉନାହିଁ। ଅଧିକାଂଶ ହିତାଧିକାରୀଙ୍କ ଟଙ୍କିକିଆ ଚାଉଳକୁ ଦାୟିତ୍ବରେ ଥିବା କର୍ମଚାରୀ ୧୫ ଟଙ୍କାରେ କିଣି ବାହାରେ ୩୦ ଟଙ୍କାରେ ବିକ୍ରି କରୁଛନ୍ତି।

ସବ୍-ହୋଲସେଲର ଓ ଏଲ୍-୨ ଠିକାଦାରଙ୍କ ଠାରୁ ଅଧା ସାମଗ୍ରୀ ବଣ୍ଟନ ପାଇଁ ଉଠାଯାଇ ବାକି ଅଧାକ ବାହାର ବଜାରରେ ବିକ୍ରି କରାଯାଉଛି। ସରପଞ୍ଚ ଶ୍ରୀ ବେହେରା ଏସମ୍ପର୍କରେ ଉପଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସାଦକପୁର ପଞ୍ଚାୟତର ସମିତିସଭ୍ୟ ମାନସ ମହାନ୍ତି, ହଳଦିଗଡ଼ିଆ ପଞ୍ଚାୟତର ସରପଞ୍ଚ ଅନିଲ କୁମାର ମହାପାତ୍ର ଓ ସମିତିସଭ୍ୟ ଉଦୟ କୁମାର ନାୟକ ପାଲଟା ଅଭିଯୋଗ କରି ସାଦକପୁର ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଥିବା ଡିଲର ପଏଣ୍ଟରେ ରାସନ ସାମଗ୍ରୀ ବଣ୍ଟନରେ ହେରାଫେରି ହେଉଛି ବୋଲି ଅଭିଯୋଗ କରିଛନ୍ତି।

ସାଦକପୁର ପଞ୍ଚାୟତ କାର୍ଯ୍ୟାଳୟ ଡିଲର ପଏଣ୍ଟରୁ ରାସନ ସାମଗ୍ରୀ ନେଉଥିବା ବହୁ ହିତାଧିକାରୀ ନିକଟସ୍ଥ ହଳଦିଗଡ଼ିଆ ପଞ୍ଚାୟତର। ସେମାନଙ୍କ ଅଭିଯୋଗ ଅନୁଯାୟୀ, ସାଦକପୁର ପଞ୍ଚାୟତ କାର୍ଯ୍ୟାଳୟ ଡିଲର ପଏଣ୍ଟରେ ହିତାଧିକାରୀଙ୍କୁ ଚାଉଳ ବଦଳରେ ପଇସା ନେବା ପାଇଁ ବାଧ୍ୟ କରାଯାଉଛି। ସରପଞ୍ଚ ଶ୍ରୀ ବେହେରାଙ୍କ ପ୍ରରୋଚନାରେ ଦାୟିତ୍ବରେ ଥିବା କର୍ମଚାରୀ ରାସନସାମଗ୍ରୀ ବଣ୍ଟନରେ ହେରଫେର କରୁଛନ୍ତି ବୋଲି ହଳଦିଗଡ଼ିଆ ସରପଞ୍ଚ ଶ୍ରୀ ମହାପାତ୍ର, ସମିତିସଭ୍ୟ ଶ୍ରୀ ନାୟକ ଓ ସାଦକପୁର ସମିତିସଭ୍ୟ ଶ୍ରୀ ମହାନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଓ ଉପଜିଲ୍ଲାପାଳଙ୍କ ନିକଟରେ ପାଲଟା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଗତ ସମବାୟ ନିର୍ବାଚନରେ ସାଦକପୁର ସରପଞ୍ଚ ଶ୍ରୀ ବେହେରାଙ୍କ ମାଆ ପ୍ରାର୍ଥୀ ହୋଇ ହାରିଯାଇଥିବାରୁ ସେ ଆକ୍ରୋଶମୂଳକ ଭାବେ ସମବାୟ ସମିତି ନାମରେ ମିଥ୍ୟା ଅଭିଯୋଗ କରିଥିବା ହଳଦିଗଡ଼ିଆ ସରପଞ୍ଚ ଓ ଦୁଇ ସମିତିସଭ୍ୟ ସେମାନଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଲୋକଙ୍କ ପାଇଁ ଆସୁଥିବା ରାସନସାମଗ୍ରୀ ଅଳ୍ପକିଛି ଟଙ୍କାରେ କିଣିନେଇ ଏହାକୁ ବାହାରେ ଚଢ଼ା ଦରରେ ବିକ୍ରି କରାଯାଉଥିବା ଅଭି‌ଯୋଗର ତଦନ୍ତ ହେଉନାହିଁ। ଜିଲ୍ଲା ଓ ବ୍ଲକ୍ ଯୋଗାଣ ବିଭାଗ ଏସମ୍ପର୍କରେ ନିରବଦ୍ରଷ୍ଟା ସାଜିଛି। ଏସମ୍ପର୍କରେ ବ୍ଲକ୍ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ନାୟକଙ୍କୁ ପଚାରିବାରୁ ଅଭିଯୋଗକୁ ଖଣ୍ତନ କରିଛନ୍ତି। ଉଭୟ ପକ୍ଷ କେବଳ ରାଜନୈତିକ ଆକ୍ରୋଶରୁ ପରସ୍ପର ବିରୋଧରେ ଅଭିଯୋଗ କରିଥିବା କହିଛନ୍ତି। ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ଏଭଳି ଜାଲିଆତି ଚାଲିଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର