ଧାନ କିଣାରେ ମହାଦୁର୍ନୀତି: ମଣ୍ଡିରେ କାଗଜପତ୍ର, ମିଲ୍‌କୁ ଯାଇଛି ଧାନ!

୧୮ଦିନରେ ୧୭ ଲକ୍ଷ କୁଇଣ୍ଟାଲ କେମିତି କିଣିଲେ?
ସବୁଠି ମାଳ ମାଳ ନକଲି ଚାଷୀ!
ପେକ୍ସ ସଂପାଦକଙ୍କ ସଂପୃକ୍ତିରେ ଚାଲିଛି କାରନାମା

ବଲାଙ୍ଗୀର : ଡିଏଲ୍‌ପିସି ବୈଠକରେ ନିର୍ଦ୍ଧାରିତ ତାରିଖରେ ଆରମ୍ଭ ହୋଇପାରିନଥିଲା ଧାନକିଣା। ଆସ୍ତେ ଆସ୍ତେ ଗୋଟିଗୋଟି କରି ମଣ୍ଡି ଖୋଲିଥିଲା। ଡିସେମ୍ବର ୨୦ରୁ ସବୁଠି ପ୍ରାୟତଃ ଆରମ୍ଭ ହୋଇଥିଲା ଧାନକିଣା। ଆଉ ୧୮ରୁ ୨୦ ଦିନ ଭିତରେ କ’ଣ ହେଲା କେଜାଣି, ଚାଷୀ ଝକାଝକ ଧାନ ବିକି ସାରିଲେଣି ବୋଲି ତଥ୍ୟ କହୁଛି। ଏଯାଏ ବଲାଙ୍ଗୀର ଜିଲ୍ଲାରେ ୧୭ଲକ୍ଷରୁ ଅଧିକ କୁଇଣ୍ଟାଲ ଧାନ କିଣା ସରିଲାଣି। ଏଣୁ ଏହା କେମିତି କିଣାଗଲା ଓ ଚାଷୀ ମଣ୍ଡିରେ ଧାନ ଦେଇଛନ୍ତି ନା ମିଲରେ, ତାକୁ ନେଇ ଉଠିଛି ପ୍ରଶ୍ନ।

ପୁଇଁତଲା ବ୍ଲକ୍‌ ଗ୍ରାଉଣ୍ଡ ଜିରୋରେ କେମିତି ମିଲର୍ସ ଓ ପେକ୍ସ ସଂପାଦକଙ୍କ ସଲାସୁତୁରାରେ ଚାଷୀ ପେଷି ହେଉଛି ତାହାର ନଗ୍ନ ଚିତ୍ର ‘ସମ୍ବାଦ’ ସାମ୍ନାକୁ ଆଣିଥିଲା। ଆଉ ଏବେ ଜିଲ୍ଲାରେ ୧୫୮ପେକ୍ସରେ ଚାଲିଥିବା ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଉଠିଲାଣି। କାରଣ ଗତ ନଭେମ୍ବର ୨୯ରୁ ଧାନ କିଣା ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଥିଲେ ବି ଡିସେମ୍ବର ମାସ ଅଧା ଦିନ ଗଲା ପରେ ସବୁ ପେକ୍ସରେ ଧାନ କିଣା ସ୍ୱାଭାବିକ ହୋଇଥିଲା। ଆଉ ଏବେ ମାତ୍ର ୨୦ରୁ ୨୫ ଦିନ ଭିତରେ ପେକ୍ସଗୁଡ଼ିକରେ ଅଧାରୁ ଅଧିକ ଚାଷୀ ଧାନ ବିକି ସାରିଲେଣି। ଏହା କିଭଳି ସମ୍ଭବପର ହେଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଜଣେ ଚାଷୀ କହିଛନ୍ତି ଯେ, ମଣ୍ଡିରେ ଏତେ ପରିମାଣର ଧାନ ଗଚ୍ଛିତ ରଖିବାକୁ ଭିତ୍ତିଭୂମି ନାହିଁ। ତଥାପି, ଏତେ କମ୍‌ ସମୟରେ ଧାନ କିଣାଯାଇଛି। ଅର୍ଥାତ୍‌ ଚାଷୀଙ୍କ ଧାନ ସିଧାସଳଖ ମିଲ୍‌କୁ ଯାଇଛି।

ଏ ସମ୍ପର୍କରେ ଚାଷୀଙ୍କ ପ୍ରଶ୍ନ ହେଉଛି, ଗତ ଡିସେମ୍ବର ୨୫ ତାରିଖ ସୁଦ୍ଧା ମାତ୍ର ୮ ଲକ୍ଷ କୁଇଣ୍ଟାଲ ଧାନ କିଣାଯାଇଥିଲା। ଡିସେମ୍ବର ୨୦ରୁ ଜାନୁଆରି ୮ଭିତରେ ଏତେ ଧାନ ଅର୍ଥାତ୍‌ ୧୭ ଲକ୍ଷ କ୍ବିଣ୍ଟାଲ ଧାନ କେମିତି କିଣାଯାଇ ପାରିଲା? ଏହାରି ଭିତରେ ରବିବାର ଛୁଟି ଦିନ ବି ଅଛି। ପେକ୍ସଗୁଡ଼ିକ ବି ସପ୍ତାହରେ କେଉଁ କେଉଁ ପେକ୍ସ ତିନି ଦିନ ଖୋଲାଯାଉଛି। ଏଣୁ ନିହାତି ଭାବରେ ଅନେକ ପେକ୍ସରେ ନକଲି ଚାଷୀ ନାଁରେ ଦଲାଲ ଧାନ ବିକା ଯାଇଥିବା ସେମରାନ ଅଭିଯୋଗ କରିଛନ୍ତି।

ପୁଇଁତଲା ବ୍ଲକ୍‌ ବୁବେଲ ପେକ୍ସରେ ଶହ ଶହ ନକଲି ଚାଷୀ ପଂଜୀକରଣ ହେବା ଏହାର ଏକ ଜ୍ବଳନ୍ତ ଉଦାହାରଣ। ମଲମୁଣ୍ଡା ଓ ପୁଇଁତଲା ପେକ୍ସରେ ବି ନକଲି ଚାଷୀଙ୍କ ସଂଖ୍ୟା କମ୍‌ ନୁହଁ। ସାଉନ୍ତପୁର ଓ ଅନ୍ୟାନ୍ୟ ପେକ୍ସରେ ବି ଚାଲିଛି ମନମାନି। ଜଣେ ପେକ୍ସ ସଂପାଦକ ଏକାଧିକ ପେକ୍ସ ଦାୟିତ୍ୱରେ ରହି ଧାନକିଣାରେ ମହାଦୁର୍ନୀତି କରୁଛନ୍ତି। ପେକ୍ସ ସଂପାଦକଙ୍କ ସହ ସବୁ ମିଲର୍ସ ସଲାସୁତୁରା କରୁଛନ୍ତି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ବଇରାସର ପେକ୍ସ। ବଇରାସର ପେକ୍ସର ଧାନ ସିଧାସଳଖ ସବୁ ମିଲ୍‌ଗୁଡ଼ିକୁ ଯାଉଛି। ସେଠିକାର ପେକ୍ସ ସଂପାଦକ ଖୋଲାଖୋଲି ଚାଷୀଙ୍କୁ ମିଲ୍‌କୁ ଧାନ ନେବାକୁ ନିର୍ଦ୍ଦେଶ ଦେଉଛନ୍ତି। ଏପରିକି ମିନର୍ଭା ରାଇସ୍‌ମିଲ୍‌ ଏନ୍‌ଏଚ୍‌ କଡ଼ରେ ଥିଲେ ବି ଲମ୍ବା ଲାଇନରେ ଚାଷୀଙ୍କ ଗାଡ଼ି ଅଟକି ରହୁଛି। ଚାଷୀ ନିଜ ଗାଡ଼ିରେ ଧାନ ନେଇ ମିଲ୍‌ରେ ଦେଉଛି। ସେଠି ମିଲର୍ସ ଓଜନ କରୁଛନ୍ତି ଓ ମନମାନି କଟନି କରାଯାଉଛି। କେହି ପାଟି ଫିଟାଇଲେ ଧାନ ବି କିଣାଯାଉନି। ମୋଟାମୋଟି ଜିଲ୍ଲାରେ ସବୁ ପେକ୍ସରେ ମିଲର୍ସ ମର୍ଜିରେ ଚାଲିଛି ଧାନକିଣା। ଜିଲ୍ଲାର ଅନେକ ପେକ୍ସରେ କମ୍‌ ସମୟରେ କେମିତି ଏତେ ଶୀଘ୍ର ହଜାର ହଜାର କୁଇଣ୍ଟାଲ ଧାନ କିଣାଯାଇ ପାରିଲା, ଏହାକୁ ନେଇ ଚାଷୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର