ସମବାୟ ମନ୍ତ୍ରୀଙ୍କ ଅଞ୍ଚଳ ସମବାୟ ସମିତିରେ ମହାଦୁର୍ନୀତି : କୃଷି ଋଣ ଆଳରେ ଚାଷୀଙ୍କୁ ଶୋଷଣ

୧୦ ହଜାର ଟଙ୍କା ନେଇଥିବା ଚାଷୀଙ୍କ ମୁଣ୍ଡରେ ୩ ଲକ୍ଷର ଋଣ ବୋଝ

କଟକ : ମାତ୍ର ୧୦ ହଜାର ଟଙ୍କା ଋଣ ନେଇଥିବା ଚାଷୀଙ୍କ ମୁଣ୍ଡରେ ଏବେ ୩ ଲକ୍ଷ ଟଙ୍କାର ବୋଝ। ଆଦୌ ଋଣ ନେଇଥିବା ବ୍ୟକ୍ତିଙ୍କ ଖାତାରେ ବି ବଢ଼ି ଚାଲିଛି ଋଣ ବୋଝ। ଏକଥା ଜାଣିଲା ବେଳକୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଅନେକ ଚାଷୀଙ୍କ ଅବସ୍ଥା ଏମିତି ଯେ, ସେମାନେ ଘର, ଜମିବାଡ଼ି ସବୁ ବିକି ଦେଲେ ବି ମୁଣ୍ଡ ଉପରେ ଗଡୁଥିବା ଋଣ ଶୁଝିବା କଷ୍ଟ। ଏ ସଂପର୍କରେ ଚାଷୀ ୬ ମାସ ହେଲା ବାରମ୍ବାର ଅଭିଯୋଗ କରିଆସୁଥିଲେ ବି ଶୁଣିବାକୁ କେହି ନାହାନ୍ତି। ପୁଣି ଏଭଳି କେଳେଙ୍କାରୀ ‌ହୋଇଛି ଖୋଦ୍ ସମବାୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଆଠଗଡ଼ ବ୍ଲକର ଗୁରୁଡୁଝାଟିଆ ସମବାୟ ସମିତିରେ।

ଏଭଳି ବଡ଼ ଧରଣର ଋଣ ଜାଲିଆତି ସମ୍ପର୍କରେ ଜଣାପଡିବା ପରେ ସ୍ୱତନ୍ତ୍ର ଅଡିଟ କରାଯାଇଥିଲା। ସେହି ଅଡିଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଗୁରୁଡୁଝାଟିଆ ସେବା ସମବାୟ ସମିତିରେ ୧ କୋଟି ୫୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି। ଅଡିଟ ରିପୋର୍ଟ ପରେ ପିଅନ, ସମ୍ପାଦକଙ୍କ ସମେତ ୬ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରିଦେଇ ଚୁପ ବସିଛି ବିଭାଗ। ଅଧିକ ଖୋଳତାଡ଼ ହେଉନି କି ଚାଷୀଙ୍କ ନାମରେ ଗଡୁଥିବା ଋଣ ଟଙ୍କା ବି କଟୁନି। ଅନ୍ୟପଟେ ଚାଷୀମାନଙ୍କ ଦସ୍ତଖତକୁ ଜାଲିଆତି କରି ବ୍ଳାଙ୍କ ଚେକ ଜରିଆରେ ଟଙ୍କା ହଡ଼ପ ହୋଇଥିବା ପ୍ରାଥମିକ ତଦନ୍ତ ଓ ଅଡିଟ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ସୂଚନା ଅନୁଯାୟୀ କୁଳଥପଙ୍ଗି ଗ୍ରାମର ଚାଷୀ ଭଗବାନ ସାମଲ ୨୦୧୮ ମସିହାରେ ଗୁରୁଡୁଝାଟିଆ ସେବା ସମବାୟ ସମିତିରୁ ୧୦ ହଜାର ଟଙ୍କା ଋଣ ନେଇଥିଲେ। କିନ୍ତୁ ଏବେ ତାଙ୍କ ଉପରେ ୩ଲକ୍ଷ ଟଙ୍କାର ଋଣ ଥିବା ଦର୍ଶାଯାଇଛି। ଯାହାକୁ ନେଇ ଭଗବାନ ଏବେ ଗୁରୁତର ମାନସିକ ଦୁଶ୍ଚିନ୍ତାରେ ପଡିଛନ୍ତି। ଖମାରନୂଆଗାଁର ଚାଷୀ ପ୍ରତିମା ରାଉତ ୧୦ ହଜାର ଟଙ୍କା ଋଣ ନେଇଥିବା ବେଳେ ଏବେ ତାଙ୍କ ଉପରେ ୧ ଲକ୍ଷ ୧୯ ହଜାର ୩୯୨ ଟଙ୍କାର ଋଣ ବୋଝ। ଚିନ୍ତାମଣି ପ୍ରଧାନ, ପ୍ରଦୀପ ନାୟକଙ୍କ ଅବସ୍ଥା ବି ସମାନ। ହେଲେ ସବୁଠୁ ଚକିତ କଲା ଭଳି ଘଟଣା ହେଲା ଯେ ରଜନୀ ନାଏକ ଆଦୌ ଋଣ ନେଇ ନଥିଲେ ବି ତାଙ୍କ ଜମା ଖାତାରେ ୨ ଲକ୍ଷ ୫୫ ହଜାର ୫୪୦ ଟଙ୍କାର ଋଣ ଥିବା ଦର୍ଶାଯାଇଛି।
ଏହି ଘଟଣାରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଚାଷୀ। ଅନ୍ୟପଟେ ଯୁବ ସଂଗଠକ ଅଭୟ ବାରିକଙ୍କ ନେତୃତ୍ୱରେ ଚାଷୀମାନେ ଆନ୍ଦୋଳନ କରିବା ସହିତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଥିଲେ ବି ପ୍ରଶାସନ ଜାଣିଶୁଣି ଋଣ ଜାଲିଆତିକୁ ଚାପି ଚାଲିଛି। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଗୁରୁଡୁଝାଟିଆ ସେବା ସମବାୟ ସମିତି ଯାଉଥିବା ବେଳେ ପୂର୍ବରୁ ମନ୍ତ୍ରୀଙ୍କ ଭାଇ ବୀରେନ୍ଦ୍ର ପ୍ରତାପ ସ୍ବାଇଁ ଏହାର ସଭାପତି ରହିଥିଲେ। ଉଭୟଙ୍କ ଜାଣତରେ ଏଭଳି ବଡ଼ ଧରଣର କେଳେଙ୍କାରୀ ହୋଇଛି ବୋଲି ଅଭୟ ବାରିକ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଆଠଗଡ଼ ଏଆରସିଏସ୍ ବିରଜା ନନ୍ଦ ଦାଶ ଚାଷୀଙ୍କୁ  ଖୁବ ଶୀଘ୍ର ନ୍ୟାୟ ପ୍ରଦାନ କରାଯିବ ଓ ଚାଷୀଙ୍କ ଋଣ ପରିମାଣ ସମ୍ପର୍କରେ ଖୁବଶୀଘ୍ର ତାଲିକା ପ୍ରକାଶ କରାଯିବ ବୋଲି ସୂଚନା ଦେଇଛନ୍ତି। ଆଠଗଡ଼ର ୨୬ଟି ସେବା ସମବାୟ ସମିତିରେ ଏଭଳି ବ୍ୟାପକ ଋଣ ଜାଲିଆତି ସଂପର୍କରେ ଅଭିଯୋଗ ହେଉଥିବାରୁ ଘଟଣାରେ ନିରପେକ୍ଷ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର