ସ୍କୁଲ ପାଠାଗାର ବହି କିଣାରେ ଦୁର୍ନୀତିର ଗନ୍ଧ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି ତାହା ସମସ୍ତଙ୍କୁ ଜଣା । ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଏଥି ପାଇଁ ଦାୟୀ ବୋଲି କୁହାଯାଉଛି । ଦୁର୍ଗମ ଅଞ୍ଚଳରେ ସ୍କୁଲଗୁଡ଼ିକର ଅବସ୍ଥା ନକହିବା ଭଲ । ସ୍କୁଲଗୁଡ଼ିକୁ ଶିକ୍ଷକ ନିୟମିତ ଯାଉନଥିବା ବେଳେ ପିଲାମାନେ ସେମାନଙ୍କର ଶ୍ରେଣୀ ସମ୍ପର୍କରେ ଠିକ ଭାବେ କହିପାରନ୍ତି ନାହିଁ । ଏଠାରେ ଗୁଣାତ୍ମକ ଶିକ୍ଷା କହିଲେ କେହି କିଛି ବୁଝନ୍ତି ନାହିଁ । ଜିଲ୍ଲାରେ ଅଶୀ ପ୍ରତିଶତ ଆଦିବାସୀ ଛାତ୍ରଛାତ୍ରୀ ଏସବୁ ସ୍କୁଲରେ ପାଠ ପଢୁଥିବା ବେଳେ ସେମାନଙ୍କର ଉନ୍ନତି ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇ ପାରୁନାହିଁ । କାଁ ଭାଁ ଆଦିବାସୀ ପିଲା ହିଁ ନିଜସ୍ବ ଉଦ୍ୟମରେ ପାଠ ପଢ଼ି ସଫଳ ହେଉଛନ୍ତି । ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନେଇ ଶିକ୍ଷକମାନଙ୍କୁ ନିୟମିତ ତାଲିମ ପ୍ରଦାନ କରାଯାଉଛି ସତ ହେଲେ ଏହାର ରୂପାୟନ ଦେଖିବାକୁ ମିଳୁନି ।

ଜିଲ୍ଲାରେ ସରକାରୀ ସ୍କୁଲଗୁଡ଼ିକର ଅବସ୍ଥା ଏବେ ଶୋଚନୀୟ । ଏଭଳି ପରିସ୍ଥିତିରେ ସ୍କୁଲଗୁଡ଼ିକୁ ଆସୁଥିବା ଅନୁଦାନ କିପରି ବାଟମାରଣା ହେଉଛି ତାହା ସାମ୍ନାକୁ ଆସୁଛି । ସ୍କୁଲର ପାଠାଗାର ପାଇଁ ଆସିଥିବା ଟଙ୍କାରେ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି । ଜିଲ୍ଲାର ଖଇରପୁଟ ଏବଂ ମାଥିଲି ବ୍ଲକରେ ଏବେ ଭୁବନେଶ୍ବରର ଏକ ହୋଲସେଲର ସ୍କୁଲଗୁଡିକକୁ ପାଠାଗାର ବହି ଯୋଗାଣ କରୁଛି । କାହା ନିର୍ଦ୍ଦେଶରେ ମାଲକାନଗିରି ଜିଲ୍ଲାକୁ ଆସି ଏହି ସଂସ୍ଥା ବହି ବଣ୍ଟନ କରୁଛି ତାହା ତଦନ୍ତ ସାପେକ୍ଷ । ଏଠାରେ ସୂଚନାଯୋଗ୍ୟ ଯେ ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ନିର୍ଦେଶକଙ୍କ ଚିଠି ନମ୍ବର ୧୬୮୯/୨୦ ଅନୁଯାୟୀ ସମସ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ବିଆରସିସି ତଥା ସିଆରସିସିଙ୍କୁ ଅବଗତ କରାଯାଇଛି ଯେ ପ୍ରାଥମିକ ସ୍କୁଲ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକୁ ପାଠାଗାରର ବହି କିଣା ବାବଦକୁ ଟଙ୍କା ପ୍ରଦାନ କରାଯାଇଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ୨୯୮୦ ଟଙ୍କା, ଷଷ୍ଠ ଓ ସପ୍ତମ ଶ୍ରେଣୀର ପାଠାଗାର ବହି ପାଇଁ ୪୯୮୦ ଟଙ୍କା ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଠାଗାର ବହି ପାଇଁ ୬୯୮୦ ଟଙ୍କା ପ୍ରଦାନ କରାଯାଇଛି ।

ଜିଲ୍ଲା ଲେଭେଲ କମିଟି ନିଷ୍ପତ୍ତି ନେଇଛି ଯେ କେବଳ ଏନବିଟି ଏବଂ ଏନସିଇଆରଟି ଦ୍ବାରା ପ୍ରେରିତ ବହି କିଣାଯିବ । ଏହାଛଡ଼ା ଅନ୍ୟ ବହି କିଣିଲେ ତାକୁ ଗ୍ରହଣ କରାଯିବ ନାହିଁ । ତୁରନ୍ତ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଉଛି ଯେ ସେମାନେ ଏନବିଟି ଏବଂ ଏନସିଇଆରଟି ଦ୍ବାରା ପ୍ରେରିତ ବହି କିଣିବା ସହ ୟୁସିକୁ ୭ଦିନ ମଧ୍ୟରେ ଦାଖଲ କରିବେ। ଏଥିରେ ବ୍ୟତିକ୍ରମ ହେଲେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ନିର୍ଦେଶ ରହିଛି। ଏହି ଦୁଇ ବ୍ଲକର ସମସ୍ତ ସିଆରସିସି ସ୍କୁଲ ପ୍ରଧାନ ଶିକ୍ଷକମାନଙ୍କୁ ଖବର ଦେଇ ତୁରନ୍ତ ବହି କିଣିବା ପାଇଁ ତାଗିଦ କରିଥିଲେ। ଭୁବନେଶ୍ବରରୁ ଗତକାଲି ଏକ ଗାଡି ପହଞ୍ଚି ଉଭୟ ବ୍ଲକରେ ଥିବା ସ୍କୁଲଗୁଡ଼ିକୁ ବହି ଯୋଗାଣ କରି ଟଙ୍କା ନେଇଥିବା ଜଣାପଡ଼ିଛି । ଏ ବାବଦରେ ସମ୍ପୃକ୍ତ ସଂସ୍ଥା ରସିଦ ମଧ୍ୟ ଦେଇଛି । ହେଲେ ସଂସ୍ଥା କୌଣସି ରିହାତି ନଦେଇ ବହିଗୁଡିକର ଅଙ୍କିତ ମୂଲ୍ୟ ନେଇଥିବା କିଛି ପ୍ରଧାନ ଶିକ୍ଷକ ଅଭିଯୋଗ କରିଥିଲେ। କେବଳ ଏହି ଗୋଟିଏ ବହି ହୋଲସେଲ ଦୋକାନୀ କାହିଁକି ବହୁ ଯୋଗାଣ କରୁଛି ଏବଂ ତାଙ୍କ ଠାରୁ ବହି କିଣିବା ପାଇଁ ପ୍ରଧାନ ଶିକ୍ଷକମାନଙ୍କୁ ତାଗିଦ କରାଯାଉଛି ତାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ଲୋକେ । ଏଥିରେ କାହାର ସ୍ବାର୍ଥ ରହିଛି ତାର ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ଅଞ୍ଚଳର ବୁଦ୍ଧିଜୀବୀ । ସେହିପରି ମାଲକାନଗିରି ବ୍ଲକରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ବହି ଦୋକାନରୁ ବହି କିଣିବା ପାଇଁ କୁହାଯାଉଛି । କେବଳ ପାଠାଗାର ବହି କିଣାରେ ଦୁର୍ନୀତିର ଗନ୍ଧ ନୁହେଁ କ୍ରୀଡ଼ା ସାମଗ୍ରୀ ,ପୋଷାକ ଏବଂ ଅଗ୍ନି ନିର୍ବାପକ ମେସିନ କିଣାରେ ମଧ୍ୟ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ଘଟଣାର ଉପଯୁକ୍ତ ତଦନ୍ତ ହେଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଲୋକେ କହିଛନ୍ତି ।

ସମ୍ବନ୍ଧିତ ଖବର