ମୃତ୍ତିକା ସଂରକ୍ଷଣ ବିଭାଗରେ ଦୁର୍ନୀତି: କୋଟି କୋଟି ଟଙ୍କାର ପ୍ରକଳ୍ପ ଗାଏବ

ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସର ଖୋଳତାଡ଼ ଆରମ୍ଭ

ପୁରୀ : ପୁରୀ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗରେ ବଡ଼ଧରଣର ଦୁର୍ନୀତି ସାମ୍‌ନାକୁ ଆସିଛି। କୋଟି କୋଟି ଟଙ୍କାର ପ୍ରକଳ୍ପ ଗାଏବ ହୋଇଯାଇଛି। ଏ ସମ୍ପର୍କରେ ଅଭିଯୋଗ ହେବାପରେ ଲୋକାୟୁକ୍ତ ଖୋଳତାଡ଼ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତିବର୍ଷ ବୃକ୍ଷରୋପଣ, ପୋଖରୀ ଖନନ, ଗାଈଗୋରୁ ପାଳନ ପାଳନ ଆଦି ପାଇଁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ପୁରୀ ଜିଲ୍ଲା ମୁତ୍ତିକା ସଂରକ୍ଷଣ ବିଭାଗକୁ କୋଟି କୋଟି ଟଙ୍କାର ଅନୁଦାନ ପ୍ରଦାନ କରୁଛନ୍ତି। ବିଗତ କିଛିବର୍ଷର ରିପୋର୍ଟ ଉପରେ ନଜର ପକାଇଲେ ଏହି ଅର୍ଥ କିପରି ହରିଲୁଟ୍‌ ହୋଇଥିବା ସ୍ପଷ୍ଟ ହୋଇଛି। ଯେମିତିକି, ଡେଲାଙ୍ଗ ବ୍ଲକ୍‌ ଅଭୟମୁଖୀ ପଞ୍ଚାୟତରେ ଚାରାରୋପଣ ଘଟଣା। ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ମନରେଗା ଯୋଜନାରେ ଏହି ପଞ୍ଚାୟତରେ ୩୦ଟି ଚାରାରୋପଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା। ସେଥିମଧ୍ୟରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୯ଟି ପ୍ରକଳ୍ପ ଜରିଆରେ ନଡ଼ିଆ ଚାରାରୋପଣ କରାଯାଇଥିଲା। ଏ ବାବଦକୁ ୩୫ ଲକ୍ଷ ୪ହଜାର ୮୫୧ ଟଙ୍କା ଖର୍ଚ୍ଚ କରାଯାଇଥିବା କାଗଜପତ୍ରରେ ଦର୍ଶାଇଥିଲା। କିନ୍ତୁ, ଏହି ପ୍ରକଳ୍ପ ଜରିଆରେ ଗୋଟିଏ ବି ନଡ଼ିଆ ଗଛ ଲଗାଯାଇନଥିଲା। ସେହି ସମୟରେ ଏହା ଫନିରେ ନଷ୍ଟ ହୋଇଯାଇଥିବା ବିଭାଗ ଦର୍ଶାଇ ପ୍ରସଙ୍ଗକୁ ଚପାଇ ଦେଇଥିଲା।

ପରେ ପୁନର୍ବାର ସମାନ ସ୍ଥାନରେ ଆହୁରି ୧୨ଟି ପ୍ରକଳ୍ପ ଜରିଆରେ ଆମ୍ବ ଓ ନଡ଼ିଆ ଗଛ ଲଗାଯାଇଥିବା ଦର୍ଶାଯାଇ ୭୦ ଲକ୍ଷ ଟଙ୍କା ଚଳୁ କରାଯାଇଛି। ଅଭୟମୁଖୀ ପଞ୍ଚାୟତର ଗାଁ ରାସ୍ତା ଓ ସରକାରୀ ଜମିରେ ଚାରାରୋପଣ ପାଇଁ ମୋଟ୍‌ ଏକ କୋଟି ୨୬ ଲକ୍ଷ ୬୭ ହଜାର ଟଙ୍କାର ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ମିଳିଥିବା ବେଳେ ଚାରା ନ ଲଗାଇ ଏ ବାବଦରେ ୭୦ଲକ୍ଷ ଟଙ୍କା ବିଲ୍‌ କରି ଏ ବାବଦ ଅର୍ଥ ଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବି ଓଡ଼ିଶା ଲୋକାୟୁକ୍ତ(କେସ୍‌ ନଂ-୧୩୬/୨୦୨୧)ଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଘଟଣା ସତ ବୋଲି ଜଣାପଡ଼ିବା ପରେ ମୃତ୍ତିକା ସଂରକ୍ଷଣ ବିଭାଗର ତତ୍କାଳୀନ ସହକାରୀ ନିର୍ଦ୍ଦେଶକ ଉଚ୍ଛବ ଚରଣ ସ୍ବାଇଁ ଓ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଅଙ୍କିତା ମିଶ୍ରଙ୍କ ବିରୋଧରେ ଲୋକାୟୁକ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଦୁଇ ଅଧିକାରୀଙ୍କଠାରୁ ଚଳୁ ଟଙ୍କା ଆଦାୟ ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି, ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକବର୍ଷରେ ଅସ୍ତରଙ୍ଗ ବ୍ଲକ୍‌ର ନୂଆଗଡ଼, ଝାଡ଼ଲିଙ୍ଗି, ନଗର, ନଈଗୁଆଁ, ତାଳଦା ପଞ୍ଚାୟତରେ ବି ମୃତ୍ତିକା ସଂରକ୍ଷଣ ବିଭାଗ ବୃକ୍ଷରୋପଣରେ ବ୍ୟାପକ ହେରଫେର କରିଛି। ପ୍ରାୟ ୧୦ କୋଟି ଟଙ୍କାର ପ୍ରକଳ୍ପରୁ ସାଢ଼େ ୮ କୋଟି ଟଙ୍କାର ପ୍ରକଳ୍ପ କାମ ହୋଇଥିବା ଦର୍ଶାଇ ଠିକାଦାର ଓ ଅଧିକାରୀମାନେ ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ଏ ସମ୍ପର୍କରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ପରେ ହରିଲୁଟ୍‌ ଧରାପଡ଼ିଛି। ବିଭିନ୍ନ ଜାଗାରେ ଆମ୍ବ, କାଜୁ ଗଛ ଲଗାଇଥିବା ଦର୍ଶାଇ ୪୬ ଲକ୍ଷ ଟଙ୍କା ଠିକାଦାର-ଅଧିକାରୀ ଲୁଟି ନେଇଥିବା ଲୋକାୟୁକ୍ତ ଜାଣିବାପରେ ଭିଜିଲାନ୍ସକୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ, ଉପରୋକ୍ତ ଅନୁଦାନରୁ ୩ କୋଟି ୮୪ ଳକ୍ଷ ୩୭ହଜାର ଟଙ୍କାର ସରକାରୀ ଅର୍ଥ ଅପବ୍ୟୟ କରାଯାଇଥିବା ଲୋକାୟୁକ୍ତ ଦର୍ଶାଇବା ସହ ତିନିମାସରେ ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ଦେବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି।

ସମାନ ଅଭିଯୋଗ ଆସିଛି, ଗୋପ ବ୍ଲକ୍‌ର ଅଣ୍ଡରା ଇଚ୍ଛାପୁର, ବିରତୁଙ୍ଗ, ଏରବଙ୍ଗ, ଗଣେଶ୍ବରପୁର, ନାଗପୁର, ମହଲପଡ଼ା, ବଉଲାଙ୍ଗ, ଧୂମାଳ ଆଦି ପଞ୍ଚାୟତରୁ। ବୃକ୍ଷରୋପଣ ନାଁରେ ମୃତ୍ତିକା ସଂରକ୍ଷଣ ବିଭାଗ ଏଠାରେ ପ୍ରାୟ ୨ କୋଟି ଟଙ୍କା ହେରଫେର କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର