ଅନ୍ଧତ୍ୱ ଦୂରୀକରଣ ଯୋଜନାରେ ମହାଘୋଟାଲା: କୋଭିଡ୍‌ କାଳରେ ଶହଶହ ଅସ୍ତ୍ରୋପଚାର!

୨ ଘରୋଇ ହସ୍‌ପିଟାଲକୁ ଟେକିଦେଲେ ୬୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ବାଲେଶ୍ବର : କୋଭିଡ୍‌ କାଳ କାହା ପାଇଁ ମାଘ ମାସ ଥିଲା ତ ପୁଣି କାହା ପାଇଁ ଥିଲା ସର୍ବନାଶ। ‌ମହାମାରୀ ସମୟରେ ‌ଯେତେବେଳେ ସାରା ଦେଶରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ବଳବତ୍ତର ରହିଥିଲା, ଠିକ୍‌ ସେହି ସମୟରେ ସରକାରଙ୍କ ସହ ଅନୁବନ୍ଧିତ ଥିବା କେତୋଟି ଘରୋଇ ଚକ୍ଷୁ ଚିକିତ୍ସାଳୟକୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଲକ୍ଷ ଲକ୍ଷ ଟଙ୍କା ଟେକିଦେଲା ବାଲେଶ୍ବର ଜିଲ୍ଲା ସ୍ବାସ୍ଥ୍ୟବିଭାଗ। ସଂକ୍ରମଣକୁ ଦୃଷ୍ଟିରେ ରଖି ମହାମାରୀ ସମୟରେ କେବଳ ଜରୁରୀକାଳୀନ ରୋଗୀଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଅସ୍ତ୍ରୋପଚାର ବନ୍ଦ ରଖିବାକୁ ସରକାରୀସ୍ତରରେ ନି‌ଷ୍ପତ୍ତି ନିଆଯାଇଥିଲା। ହେଲେ ଲୋକଙ୍କ ଚକ୍ଷୁ ଅସ୍ତ୍ରୋପଚାର ବେଳେ ଡାକ୍ତର, ନର୍ସ, କର୍ମଚାରୀ; କାହାକୁ ବି କୋଭିଡ୍‌ ଛୁଇଁ ପାରିଲାନି। ବରଂ ଏହି ସମୟରେ ଶତାଧିକ ଲୋକ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହେଲେ ଓ ଏ ବାବଦରେ ୬୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ମଧ୍ୟ ହେଲା। ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅଧିକାର ଆଇନ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜାତୀୟ ଅନ୍ଧତ୍ବ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍‌ପିସିବି) ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ବାଲେଶ୍ବର ସହରସ୍ଥିତ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟରେ ୪୫୩, ମୟୂରଭଞ୍ଜସ୍ଥିତ ମହାତ୍ମା ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟରେ ୨୧୧, ଭଦ୍ରକ ଜିଲ୍ଲା ଭୂମିକା ଚକ୍ଷୁ ଚିକିତ୍ସାଳୟରେ ୧୦୭ ଓ ବାଲେଶ୍ବର ରୋଟାରି ଚକ୍ଷୁ ଚିକିତ୍ସାଳୟରେ ୬୩୭ ଜଣଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇଛି। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟରେ ୬୬୪, ମହାତ୍ମା ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟରେ ୪୪୮, ଭୂମିକା ଚକ୍ଷୁ ଚିକିତ୍ସାଳୟରେ ୩୨୪ ଓ ରୋଟାରି ଚକ୍ଷୁ ଚିକିତ୍ସାଳୟରେ ୬୨୪ ଜଣଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିବାବେଳେ ୨୦୨୨ ଜାନୁଆରି ୧ରୁ ଅକ୍ଟୋବର ମାସ ‌୩୧ ତାରିଖ ଯାଏ ୪୪୮୭ ଜଣଙ୍କର ଅସ୍ତ୍ରୋପଚାର କରାଯାଇଛି। ୨୦୨୦-୨୧ରେ ୪୫୩ଟି ଅସ୍ତ୍ରୋପଚାର ପାଇଁ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟକୁ ୯ ଲକ୍ଷ ୬ ହଜାର ଟଙ୍କା ଦିଆଯାଇଥିବା ବେଳେ ୬୩୭ଟି ଅସ୍ତ୍ରୋପଚାର ପାଇଁ ରୋଟାରି ଚକ୍ଷୁ ଚିକିତ୍ସାଳୟକୁ ଦିଆଯାଇଛି ୧୨ ଲକ୍ଷ ୭୪ ହଜାର ଟଙ୍କା। ସେହିପରି ୨୦୨୧-୨୨ରେ ୬୬୪ଟି ଅସ୍ତ୍ରୋପଚାର ପାଇଁ ୧୩ ଲକ୍ଷ ୨୮ହଜାର ଟଙ୍କା ଦିଆଯାଇଥିବା ବେଳେ ରୋଟାରି ଚକ୍ଷୁ ଚିକିତ୍ସାଳୟକୁ ୬୨୪ଟି ଅସ୍ତ୍ରୋପଚାର ପାଇଁ ୧୨ ଲକ୍ଷ ୪୮ ହଜାର ଟଙ୍କା ଦିଆଯାଇଛି। ଅନ୍ୟପକ୍ଷରେ ମହାତ୍ମା ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ଓ ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ଅସ୍ତ୍ରୋପଚାର ବାବଦରେ ଆଦୌ ଟଙ୍କା ଦିଆଯାଇନାହିଁ। ୨୦୧୯ ମସିହାରୁ ୨୦୨୨ ଅକ୍ଟୋବର ମାସ ଶେଷ ସୁଦ୍ଧା ସମ୍ପୃକ୍ତ ଘରୋଇ ଚକ୍ଷୁ ହସ୍ପିଟାଲଗୁଡ଼ିକରେ ୧୨ ହଜାର ୧୫୯ ଜଣ ରୋଗୀଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିବା ଜଣାପଡ଼ିଛି।

Magrabi Hospitals

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୨୨ ମାର୍ଚ୍ଚ ୨୦୨୦ରୁ କରୋନା ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଭିତରେ ଘରୋଇ ଚକ୍ଷୁ ହସ୍ପିଟାଲଗୁଡ଼ିକ ଯେତିକି ସଂଖ୍ୟାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଛନ୍ତି ଏବଂ ସେ ବାବଦରେ ଯେତିକି ଅର୍ଥରାଶି ସେମାନଙ୍କୁ ଦିଆଯାଇଛି, ତାହା ଖାଲି ସନ୍ଦେହର ଅବକାଶ ସୃଷ୍ଟି କରିନି, ଏକ ବଡ଼ଧରଣର ଘୋଟାଲା ହୋଇଥିବାର କହିଛନ୍ତି ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା। ଅନ୍ଧତ୍ବ ନିୟନ୍ତ୍ରଣ ପାଇଁ ଜିଲ୍ଲାକୁ ଆସୁଥିବା ସରକାରୀ ଅର୍ଥ ହରିଲୁଟ୍‌ କରାଯାଉଥିବା ଅଭିଯୋଗ କରି ଏହାର ବିଧିବଦ୍ଧ ତଦନ୍ତ ପାଇଁ ସେ ଦାବି କରିଛନ୍ତି। କେବଳ ବାଲେଶ୍ବର ନୁହେଁ, ଯାଜପୁର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର ଜିଲ୍ଲାରେ ବି ଅନ୍ଧତ୍ବ ନିୟନ୍ତ୍ରଣ ଯୋଜନାରେ ମହାଘୋଟାଲା ହୋଇଛି। ଏ ନେଇ ସେ ଲୋକାୟୁକ୍ତରେ ଅଭିଯୋଗ କରିବେ ବୋଲି ଶ୍ରୀ ବେହୁରା ପ୍ରକାଶ କରିଛନ୍ତି।

 

ଏନ୍‌ପିସିବିର ବାଲେଶ୍ବର ଜିଲ୍ଲା ଡିପିଏମ୍‌ ତଥା ଚକ୍ଷୁ ବି‌ଶେଷଜ୍ଞ ଡାକ୍ତର ସୁଜିତ ନାରାୟଣ ମହାପାତ୍ରଙ୍କୁ ଏ ସଂକ୍ରାନ୍ତରେ ପଚରାଯିବାରୁ ସେ କହିଥିଲେ, କରୋନା ସମୟରେ ଯଦିଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ବନ୍ଦ ରଖାଯାଇଥିଲା, କିନ୍ତୁ କଟକଣା କୋହଳ ସମୟରେ କିଛି ଦିନ ଅସ୍ତ୍ରୋପଚାର ହୋଇଥିଲା। ସମ୍ପୃକ୍ତ ହସ୍ପିଟାଲଗୁଡ଼ିକ ଯେଉଁ ସଂଖ୍ୟା ଦେଇଛନ୍ତି ଓ ସେ ବାବଦରେ ଯାହା ଅର୍ଥରାଶି ଦିଆଯାଇଛି, ତାହା ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ହୋଇଛି।

ସମ୍ବନ୍ଧିତ ଖବର