କୋଭିଡ୍‌ ପରୀକ୍ଷା କେଳେଙ୍କାରୀ: ୬୬ରୁ ୬କୁ ଖସିଲା କେମିତି?

ଶେଷରେ ମାନିଲେ ୧୭ ଜଣ ତିଗିରିଆର ନୁହନ୍ତି; ଅନ୍ୟ ବ୍ଲକ୍‌ରେ ଖୋଜା ଚାଲିଛି

କଟକ : କୋଭିଡ୍ ପରୀକ୍ଷାକୁ ନେଇ ଚାଲିଥିବା ସାଂଘାତିକ କେଳେଙ୍କାରୀ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ହ୍ରାସ ପାଇବାରେ ଲାଗିଛି। ଗଲା ୧୫ ତାରିଖ ଦିନ ଏହି ଖବର ପ୍ରକାଶ ପାଇଥିବା ବେଳେ ସେହି ଦିନ କଟକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୬୬। ମାତ୍ର ୫ ଦିନ ଭିତରେ ଅର୍ଥାତ୍‌ ଆଜି ଏହି ସଂଖ୍ୟା ୬କୁ ହ୍ରାସ ପାଇଛି।

ସେପ୍ଟେମ୍ବର ୧୬ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୬୬ରୁ ହଠାତ୍‌ ୨୮କୁ ହ୍ରାସ ପାଇଥିଲା। ୧୮ ତାରିଖରେ ତାହା ୧୫କୁ ଏବଂ ଆଜି ତାହା ୬କୁ ହ୍ରାସ ପାଇଛି। ଏବଂ ସବୁଠୁ ରୋଚକ ତଥ୍ୟ ହେଉଛି ଯେ ତିଗିରିଆ ବ୍ଲକ୍‌ରେ ୧୫ ତାରିଖରେ ଜିଲ୍ଲାର ସର୍ବାଧିକ ୧୭ ସଂକ୍ରମିତ ରହିଥିବା ବେଳେ ତା’ ପରଠାରୁ ତିଗିରିଆ ବ୍ଲକ୍‌ରେ ଆଉ ଜଣେ ବି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଏଭଳି ରୋଚକ ତଥ୍ୟ କୋଭିଡ୍ ପରୀକ୍ଷାକୁ ନେଇ ଚାଲିଥିବା କେଳେଙ୍କାରୀର ସ୍ପଷ୍ଟ ପ୍ରମାଣ ଦେଉଥିବା ବେଳେ ଅନ୍ୟପଟେ ଏକଥାକୁ ପରୋକ୍ଷରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବି ସ୍ବୀକାର କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର କହିଛନ୍ତି ଯେ ଗତ ୧୫ ତାରିଖରେ ‌ତିଗିରିଆ ବ୍ଲକରୁ ଯେଉଁ ୧୭ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ରେକର୍ଡରେ ଦର୍ଶାଯାଇଥିଲା, ସେମାନେ ସେହି ଅଞ୍ଚଳର ନୁହନ୍ତି। ସେମାନେ କାଳେ ଅନ୍ୟ କେଉଁ ଅଞ୍ଚଳର ହୋଇଥିବେ, ସେଥିପାଇଁ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକୁ ସେହି ଲୋକଙ୍କୁ ଖୋଜି ବାହାର କରିବାକୁ ଚିଠି ଦିଆଯାଇଛି ବୋଲି ସେ କହିଛନ୍ତି।


କିନ୍ତୁ କୋଭିଡ୍ ଆଳରେ ଚାଲିଥିବା ଏଭଳି କେଳେଙ୍କାରୀ ଏକପ୍ରକାର ସ୍ପଷ୍ଟ ହୋଇ ସାରିଥି‌ଲେ ବି କର୍ତ୍ତୃପକ୍ଷ କାହାକୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛନ୍ତି, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ପରୀକ୍ଷା ଆଳରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା, ଅଧିକ ସଂକ୍ରମିତ ଦେଖାଇ ଠିକା କର୍ମଚାରୀଙ୍କ ନିଯୁକ୍ତିକୁ ସୁରକ୍ଷିତ ରଖିବା ଏବଂ ଏହି ଆଳରେ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଜାରି ରଖିବା ପଛରେ କିଏ ଅଛନ୍ତି, ତାହାକୁ ନେଇ ସନ୍ଦେହ ବଢୁଛି। ତିଗିରିଆ ବିନ୍ଧାଣିମା ସ୍ବାସ୍ଥ୍ୟ କେନ୍ଦ୍ର ଦାୟିତ୍ବରେ ଥିବା ମେଡିକାଲ ଅଫିସର ଓ କୋଭିଡ୍ ପରୀକ୍ଷା ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ ଅଞ୍ଚଳର ପ୍ରଭାବଶାଳୀ ନେତା ଏବେ ଅଣ୍ଟା ଭିଡ଼ିଥିବାରୁ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେବାକୁ ସାହସ କୁଳାଇ ପାରୁ ନଥିବା କୁହାଯାଉଛି। ତିଗିରିଆ ବ୍ଲକ୍‌ରେ ଦୁଇଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଗୋଟିଏ ହେଲା ତିଗିରିଆ ଓ ଅନ୍ୟଟି ବିନ୍ଧାଣିମା। ଉଭୟର ଦାୟିତ୍ବରେ ଜଣେ ଅଧିକାରୀ ରହିଛନ୍ତି। ଅର୍ଥାତ୍‌ ଏହି ଦୁଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲେବଲ୍‌ ୧ ଅଧିକାରୀ ଓ ବିନ୍ଧାଣିମାରେ ଜଣେ ବିପିଏଚ୍‌ଓ ରହିବା କଥା। କିନ୍ତୁ ଉକ୍ତ ତିନୋଟି ଦାୟିତ୍ବରେ ୨ବର୍ଷରୁ ଅଧିକ ହେବ ଜଣେ କନିଷ୍ଠ ଅଧିକାରୀ ରହିଛନ୍ତି। ଉକ୍ତ ଅଧିକାରୀଙ୍କ ଘର ବି ତିଗିରିଆ ବ୍ଲକ୍‌ରେ।

ଅବଶ୍ୟ ଏଭଳି କେଳେଙ୍କାରୀ କେବଳ ତିଗିରିଆରେ ନୁହେଁ, ପ୍ରାୟ ଅଧିକାଂଶ ଅଞ୍ଚଳରେ ଚାଲିଥିବା ସ୍ପଷ୍ଟ ହେଉଥିଲେ ବି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ନିଷ୍କ୍ରିୟତା ଏବେ ସଂପୂର୍ଣ୍ଣ ପ୍ରକ୍ରିୟାକୁ ସନ୍ଦେହ ଘେରକୁ ଟାଣି ନେଇଛି।

ସମ୍ବନ୍ଧିତ ଖବର