କୋଭିଡ୍‌ ପରୀକ୍ଷାକୁ ନେଇ କେଳେଙ୍କାରୀ: ସଂକ୍ରମିତ ସଂଖ୍ୟା ଅଧିକ ଦର୍ଶାଇବାକୁ ରିପୋର୍ଟ ଜାଲିଆତି!

କଟକ : କୋଭିଡ୍ ପରୀକ୍ଷାକୁ ନେଇ ଚାଲିଥିବା ସାଂଘାତିକ କେଳେଙ୍କାରୀ ଏବେ ସାମ୍‌ନାକୁ ଆସିଛି। କୋଭିଡ୍‌ ପରୀକ୍ଷା ପାଇଁ ବିଲ୍‌କୁଲ୍‌ ସ୍ବାବ୍ ଦେଇ ନଥିବା ବ୍ୟକ୍ତିଙ୍କୁ କୋଭିଡ୍‌ ସଂକ୍ରମିତ ଦର୍ଶାଯାଇଛି। ମିଛ ବ୍ୟକ୍ତି, ମିଛ ଠିକଣା ଆଉ ମିଛ ନମ୍ବର ଦେଇ କୋଭିଡ୍ ସଂକ୍ରମିତଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। କଟକ ଜିଲ୍ଲା ବିଶେଷକରି ତିଗିରିଆ ବ୍ଲକ୍‌ରେ ଏଭଳି ସାଂଘାତିକ କେଳେଙ୍କାରୀ ଏବେ ସାମ୍‌ନାକୁ ଆସିବା ପରେ ସ୍ବାସ୍ଥ୍ୟ ବିଭାଗରେ ବି ଚାଞ୍ଚଲ୍ୟ ଖେଳିଯାଇଛି। କିଛି ଠିକା କର୍ମଚାରୀ ନିଜ ଚାକିରି ବଞ୍ଚାଇବା ପାଇଁ ଏଭଳି କୋଭିଡ୍ ସଂକ୍ରମଣ ସଂଖ୍ୟା ‌ଅଧିକ ଦର୍ଶାଉଥିବା ସନ୍ଦେହ କରାଯାଉଛି। ଏହାକୁ ନେଇ ଏବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବି ଖୋଳତାଡ଼ ଆରମ୍ଭ ହୋଇଥିବା ସୂଚନା ମିଳିଛି।

ଆଜି କୋଭିଡ୍ ପରୀକ୍ଷା ରିପୋର୍ଟ ଜାରି କରାଯିବା ପରେ କଟକ ଜିଲ୍ଲାରେ ହଠାତ ୬୬ ଜଣ ରୋଗୀ ବାହାରିବା ଘଟଣାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ଏଭଳି ସ୍ଥିତିରେ ପଜିଟିଭ୍‌ ଥିବା ବ୍ୟକ୍ତିଙ୍କ ଫୋନ ନମ୍ବରରେ ‘ସମ୍ବାଦ’ ପକ୍ଷରୁ ସେମାନଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲା। ସେଥିରୁ ଅନେକ ଫୋନ୍‌ ନମ୍ବର ଲେଖାଥିବା ବ୍ୟକ୍ତି ତିଗିରିଆ ଅଞ୍ଚଳର ହୋଇ ନଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକେ ତିଗିରିଆ ନାଁ ବି ଜାଣି ନାହାନ୍ତି। ସେମାନେ ବି କୋଭିଡ୍ ପରୀକ୍ଷା ପାଇଁ କେଉଁଠି ସ୍ବାବ ଦେଇ ନଥିବା ସ୍ପଷ୍ଟ କରିଛନ୍ତି।

କେଳେଙ୍କାରୀ ପଛରେ ଠିକା କର୍ମଚାରୀଙ୍କ ମସୁଧା
ମିଛ ଲୋକଙ୍କ ନାମରେ ରିପୋର୍ଟ; ଛାନଭିନ୍‌ ଆରମ୍ଭ

Trial Site News

ତଥ୍ୟ ଅନୁଯାୟୀ ଗତକାଲି କଟକ ଜିଲ୍ଲାରେ ୧୦ଜଣ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ହଠାତ୍‌ ଜିଲ୍ଲାର ସଂଖ୍ୟା ୬୬ବୋଲି ଦର୍ଶାଯାଇଛି। ଏବଂ ସେଥିରେ କେବଳ ତିଗିରିଆ ବ୍ଲକ୍‌ରୁ ୧୭ ଜଣ କୋଭିଡ୍‌ ପଜିଟିଭ୍‌ ରହିଥିବା ତଥ୍ୟ ରହିଛି। ଗ୍ରାମାଞ୍ଚଳ ତଥା ଏକ ଛୋଟିଆ ବ୍ଲକ୍‌ରୁ ହଠାତ୍‌ ଏତେଜଣ
କୋଭିଡ୍‌ ସଂକ୍ରମିତ ବାହାରିବା ଜଣା ପଡ଼ିବାପରେ ଏହାକୁ ନେଇ ସନ୍ଦେହ ବଢ଼ିଥିଲା। ଫଳରେ ରିପୋର୍ଟରେ ଥିବା ଫୋନ୍‌ ନମ୍ବରରେ ଯୋଗାଯୋଗ କରାଯିବା ପରେ ଏହା ଏକ ବଡ଼ଧରଣର ଜାଲିଆତି ବୋଲି ସ୍ପଷ୍ଟ ହେବାରେ ଲାଗିଛି। କେବଳ ତିଗିରିଆ ନୁହେଁ , କଟକ ଜିଲ୍ଲାରେ କୋଭିଡ୍‌ ସଂଖ୍ୟା ଅଧିକ ଦର୍ଶାଇବା ପାଇଁ ଟେଷ୍ଟିଂ ନାଁରେ ଏଭଳି ବ୍ୟାପକ ଜାଲିଆତି ଚାଲିଥିବା ସୂଚନା ମିଳିଛି। ଏହାଦ୍ବାରା କିଟ୍‌ ନଷ୍ଟ ହେବା ଓ ଟେଷ୍ଟିଂ ନାଁରେ ବ୍ୟାପକ ଅର୍ଥ ଆତ୍ମସାତ କରାଯାଉଥିବା ଭଳି ସଙ୍ଗିନ ଅଭିଯୋଗ ଆସିଛି। ଅନ୍ୟପଟେ କୋଭିଡ୍ ପାଇଁ ସ୍ବତନ୍ତ୍ର ଭାବେ ନିଯୁକ୍ତି ପାଇଥିବା କିଛି ଠିକା କର୍ମଚାରୀ ନିଜ ଚାକିରି ସୁରକ୍ଷିତ ରଖିବା ପାଇଁ ଏଭଳି କେଳେଙ୍କାରୀରେ ଲିପ୍ତ ଥିବା ପ୍ରାଥମିକ ଛାନଭିନ୍‌ରୁ ଜଣାପଡିଛି। କୋଭିଡ୍‌ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କ ଚାକିରି ସେପ୍ଟେମ୍ବର ୩୦ରେ ସରିବାକୁ ଯାଉଛି। କୋଭିଡ୍‌ ସଂଖ୍ୟା ଅଧିକ ରହି‌ଲେ ହୁଏତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବ ବୋଲି ନିର୍ଦ୍ଦିଷ୍ଟ କେତେ ଜଣ ଏଭଳି କରିଥିବା ଚର୍ଚ୍ଚା ହେଉଛି।

କଟକ ଜିଲ୍ଲାରେ ଗଲା ୨୪ ଘଣ୍ଟାରେ ୧୧୧୩ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୬୬ଜଣଙ୍କର ପଜିଟିଭ୍‌ ଆସିଛି। ସିଏମ୍‌ସିରୁ ୨୬, ଗ୍ରାମାଞ୍ଚଳର ତିଗିରିଆ ବ୍ଲକ୍‌ରୁ ସର୍ବାଧିକ ୧୭, କଣ୍ଟାପଡା ଓ ସାଲେପୁରର ୪ ଜଣ ଲେଖାଏ, ଟାଙ୍ଗୀରୁ ୩, କଟକ ସଦର ୨, ନିଶ୍ଚିନ୍ତକୋଇଲି ଓ ଡମପଡାରୁ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୮ଜଣ ଅନ୍ୟ ଜିଲ୍ଲାର ରହିଛନ୍ତି। ତେବେ ରିପୋର୍ଟ ମିଳିବା ପରେ ଘଟଣାକୁ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଗୁରୁତ୍ବର ସହ ନେଇ ତୁରନ୍ତ କଣ୍ଟାକ୍ଟ ଟ୍ରେସିଂ ଓ ଏହାର କାରଣ ଜାଣିବା ପାଇଁ ନିର୍ଦ୍ଦେଶ ଦେଇଛି। ହେଲେ ଫୋନ୍‌ ନମ୍ବରକୁ ଫୋନ୍‌ କରାଯିବାବେଳେ ଅଧିକାଂଶ ଲୋକଙ୍କ ମୋବାଇଲ ନମ୍ବର ନଟ୍‌ ରିଚେବୁଲ ଓ ଇନ୍‌ଭ୍ୟାଲିଡ୍‌ ବୋଲି କହୁଛି। ଜଣେ ରାଜ୍ୟ ବାହାରର ବ୍ୟକ୍ତି ଫୋନ ଉଠାଇଥିବା‌ ବେଳେ ସେ ଓଡ଼ିଶା କେବେ ଆସି ନଥିବା କହିଛନ୍ତି। ଅନ୍ୟଜଣେ ଯାଜପୁରର ବାସିନ୍ଦା ବୋଲି କହିଛନ୍ତି। ସେ କୋଭିଡ୍‌ ପରୀକ୍ଷା ପାଇଁ ସ୍ବାବ୍‌ ଦେଇ ନାହାନ୍ତି ଏବଂ ତିଗିରିଆ କେଉଁଠି ବୋଲି ପଚାରିଥିଲେ।

ଏ ସଂପର୍କରେ ତିଗିରିଆ ମେଡିକାଲ ଅଫିସର ଡାକ୍ତର ବିଶ୍ବବିକାଶ ରାଉତ୍‌ରାୟଙ୍କୁ ଯୋଗାଯୋଗ କରାଯିବାରୁ ଆରଆରଟି ଟିମ୍‌ ଏହାର ଯାଞ୍ଚ କରିବେ ବୋଲି କହିଛନ୍ତି। ଆସନ୍ତାକାଲି ଜିଲ୍ଲାରୁ ଏକ ଟିମ୍‌ ଯାଇ ଏହାର ଯାଞ୍ଚ କରିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର