ଜଙ୍ଗଲ ବିଭାଗରେ ଦୁର୍ନୀତି ମାଡ଼ିଗଲାଣି, କାଗଜପତ୍ରରେ ବନୀକରଣ ହେଉଥିବା ଅଭିଯୋଗ

ରାଜ୍ୟରେ ଜଙ୍ଗଲ ଅଭିବୃଦ୍ଧି ଉତ୍ସାହଜନକ: ଶାସକ ଦଳ
ଜଙ୍ଗଲ ଓ ପରିବେଶ ବିଭାଗର ଖର୍ଚ୍ଚଦାବି ପାରିତ

ଭୁବନେଶ୍ବର : ରାଜ୍ୟରେ ଗଛ କଟା ବେଧଡ଼କ ଚାଲିଛି। କିନ୍ତୁ ସେତିକି ବୃକ୍ଷରୋପଣ ହେଉନାହିଁ। ବୃକ୍ଷରୋପଣ ନାଁରେ ଆଖିବୁଜା ଦୁର୍ନୀତି ଚାଲିଛି। କାମ୍ପା ପାଣ୍ଠିକୁ ସମସ୍ତେ ମିଳିମିଶି ଲୁଟ୍‌ କରୁଛନ୍ତି। କାଗଜପତ୍ରରେ ଯେତିକି ବନୀକରଣର ହିସାବ ଦିଆଯାଉଛି, ବାସ୍ତବ କ୍ଷେତ୍ରରେ ତାହା ଓଲଟା। ସରକାର ଜଙ୍ଗଲ ଓ ପରିବେଶ ପ୍ରତି ଆଦୌ ସ‌ଚେତନ ନାହାନ୍ତି। ଆଜି ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ଏମିତି ସମାଲୋଚନା କରିଥିଲେ ବିରୋଧୀ ଦଳର ବିଧାୟକମାନେ। ଜବାବରେ ଶାସକ ଦଳ ବିଧାୟକମାନେ ରାଜ୍ୟରେ ଜଙ୍ଗଲ ସୁରକ୍ଷା ପାଇଁ ସରକାରଙ୍କ ପଦକ୍ଷେପର ଲମ୍ବା ତାଲିକା ଦେଇଥିଲେ।

ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଥିଲେ ଯେ ସରକାର ବନୀକରଣ, ଗ୍ରାମ୍ୟ ଜଙ୍ଗଲ ନାଁରେ ମିଛ କହୁଛନ୍ତି। ଜଙ୍ଗଲର ବିକାଶ କେବଳ କାଗଜପତ୍ରରେ ଚାଲିଛି। ରାଜ୍ୟରେ ହାତୀ ମୃତ୍ୟୁ ଚିନ୍ତାଜନକ। ଶିମିଳିପାଳ ପରି ଅଭୟାରଣ୍ୟରେ ଜୈବ ବିବିଧତା ନଷ୍ଟ ହେଉଛି। ସରକାର ଏ ଦିଗ ପ୍ରତି ସଚେତନ ନାହାନ୍ତି। ନାଉରୀ ନାଏକ ଓ ସୁବାସ ପାଣିଗ୍ରାହୀ ଜଙ୍ଗଲ ସୃଷ୍ଟି ନାଁରେ ବ୍ୟାପକ ଦୁର୍ନୀତି ହେଉଥିବାର ଅଭିଯୋଗ କରିଥିଲେ। ଭାସ୍କର ମଢ଼େଇ ବନ୍ୟଜନ୍ତୁ ଓ ଜଙ୍ଗଲ ସମ୍ପଦ ସଂକ୍ରାନ୍ତୀୟ ମାମଲା ପାଇଁ ସ୍ବତନ୍ତ୍ର କୋର୍ଟ ସ୍ଥାପନ ନିମନ୍ତେ ପ୍ରସ୍ତାବ ଦେଇଥିଲେ।
କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ ବିଧାୟକ କଲୋନି ପାଇଁ ଗଛ କାଟିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଥିଲେ, ବିଧାୟକମାନେ ରହିବେ ବୋଲି ୬୦/୭୦ ବର୍ଷର ଗଛ କାଟିଦେଲେ। ବିଧାୟକ କଲୋନି ଦୂରରେ କରିଥିଲେ କ’ଣ ଅସୁବିଧା ହୋଇଥା’ନ୍ତା? ସମସ୍ତଙ୍କର ଗାଡ଼ି ଅଛି। କ’ଣ ବିଧାନସଭା ଆସିପାରିନଥା’ନ୍ତେ। ଅଧିରାଜ ପାଣିଗ୍ରାହୀ କହିଲେ, କାମ୍ପା ଯୋଜନାରେ କୋଟି କୋଟି ଟଙ୍କା ଆସୁଛି। କିନ୍ତୁ ‌ତାହାର ବିନିଯୋଗ ଠିକ ହେଉନି। ରାଜ୍ୟ ସରକାରଙ୍କ ପାଖରେ ହିସାବ ନାହିଁ। ଏହି ବିଭାଗରେ ତଳୁ ଉପର ଯାଏ ବହୁ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି। କିଛି ଗଛ ଲଗାଯାଇ ଟଙ୍କା ହଡ଼ପ କରାଯାଉଛି।

Business Insider

ଶାସକ ଦଳ ପକ୍ଷରୁ ବରିଷ୍ଠ ସଭ୍ୟ ଅମର ପ୍ରସାଦ ଶତପଥୀ ଯୁକ୍ତି ବାଢ଼ିଥିଲେ ଯେ ଆମ ରାଜ୍ୟରେ ଜଙ୍ଗଲ ବୃଦ୍ଧି ପାଇଛି। ଜଙ୍ଗଲ ଅଭିବୃଦ୍ଧିରେ ସ୍ଥାନୀୟ ଲୋକଙ୍କୁ ଅଂଶଗ୍ରହଣ ବେଶ୍‌ ଉତ୍ସାହଜନକ ରହିଛି। ମହିଳାମାନେ ବି ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି। ଜଳବାୟୁ ସନ୍ତୁଳନ ରକ୍ଷା ପାଇଁ ଏଠାରେ ଯୋଜନା ପ୍ରସ୍ତୁତ କରାଯାଇଛି। ଅରବିନ୍ଦ ଢାଲି ବନାଗ୍ନିକୁ ରୋକିବା ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟରେ ଜଙ୍ଗଲ ବୃଦ୍ଧି ଉତ୍ସାହଜନକ ବୋଲି ସେ କହିଥିଲେ।

ଶାସକ ଦଳ ପକ୍ଷରୁ ସତ୍ୟନାରାୟଣ ପ୍ରଧାନ, ମନୋହର ରାନ୍ଧାରୀ, ସୁଧାଂଶୁ ଶେଖର ପରିଡ଼ା ଓ ମୁକେଶ ପାଲ, ବିରୋଧୀ ଦଳ ପକ୍ଷରୁ କୁସୁମ ଟେଟେ, ପ୍ରକାଶ ସୋରେନ୍ ଓ ସିଏସ୍‌ ରାଜନ୍ ଏକ୍କା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଆଲୋଚନାର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ, ୨୦୨୧-୨୨ରେ ୧୧,୨୨୫.୩୦ ହେକ୍ଟର ସଘନ ବନୀକରଣ, ୯୯,୧୪୩ ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର କରାଯାଇ ମୋଟ୍ ୧ ଲକ୍ଷ ୧୦ ହଜାର ୩୩୮ ହେକ୍ଟର ବନୀକରଣ କରାଯାଇଛି। ଏହା ବାଦ୍ ୪,୬୧୬.୬୦ କିମି ପଥପାର୍ଶ୍ବ ବନୀକରଣ କରାଯାଇଛି। ମିଳିତ ବନ ପରିଚାଳନା ବ୍ୟବସ୍ଥା ଅନୁଯାୟୀ ୧୬,୦୯୦ଟି ବନ ସୁରକ୍ଷା ସମିତିର ସେବା ବ୍ୟବହାର କରି ୧୩,୭୬୧ ବର୍ଗ କିମି ଜଙ୍ଗଲକୁ ସୁରକ୍ଷିତ କରାଯାଇଛି। ୫୯୧ ପରିବେଶ ବିକାଶ କମିଟି ଗଠନ କରାଯାଇଛି। ୨୦୨୨ ଗ୍ରୀଷ୍ମ ସମୟରେ ୨୯,୧୮୫ ବନାଗ୍ନି ମାମଲା ମଧ୍ୟରୁ ୨୬,୫୮୨ ମାମଲାକୁ ଠିକ୍‌ ଭାବେ ପରିଚାଳନା କରାଯାଇ ନିଆଁ ଲିଭାଯାଇଛି। ରାଜ୍ୟରେ ଜଙ୍ଗଲ ସମ୍ପଦର ବୃଦ୍ଧି ସହ ପରିବେଶ ସନ୍ତୁଳନ ଦିଗରେ ସରକାର ଆବଶ୍ୟକ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର