ବନ ବିଭାଗର ମହାଦୁର୍ନୀତି : ଜଗୁଆଳି ନାମରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ

ଯାଜପୁର : କଟକ ବନ ଡିଭିଜନ୍ ଅଧୀନ ଯାଜପୁର ଜଲ୍ଲାର ୪ଟି ରେଞ୍ଜରେ କୋଟି କୋଟି ଟଙ୍କା ମହାଦୁର୍ନୀତି ପେଡ଼ି‌ ଖୋଲିବାରେ ଲାଗିଛି। ବନୀକରଣ, ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ଅଞ୍ଚଳରେ ବିଭିନ୍ନ କାମ, ସାମଗ୍ରୀ କିଣା ବାବଦରେ ବ୍ୟାପକ ଜାଲିଆତି କାରବାର ଠୋସ ତଥ୍ୟ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି। ଏଥିମଧ୍ୟରେ ଯାଜପୁରରୋଡ୍ ରେଞ୍ଜର ଅନେକ ରୋଚକ ତଥ୍ୟ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଜଗୁଆଳି ନାମରେ ଏଠି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି।

ଯାଜପୁରରୋଡ଼ ରେଞ୍ଜ ଅନ୍ତର୍ଗତ ଦାନଗଦୀ ବ୍ଲକ ରା‌ମ୍ପିଲୋ ଏକଲବ୍ୟ ଆବାସିକ ଆଦର୍ଶ ସ୍କୁଲ ପରିସରରେ ବନୀକରଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠି(ଡିଏମଏଫ)ରୁ ସହରୀ ବନୀକରଣ ଯୋଜନାରେ ମୋଟ ୬୧ଲକ୍ଷ ୨୭ ହଜାର ୩୧୪ ଟଙ୍କା ମଞ୍ଜୁର ହୋଇଛି। ଏଥିରେ ୨୦୧୮-୨୦୧୯ ଆର୍ଥିକ ବର୍ଷରେ ୧୬ଲକ୍ଷ ୫୭ ହଜାର ୮ଶହ ଟଙ୍କା ଏବଂ ୨୦୧୯-୨୦ ରେ ୨୬ ଲକ୍ଷ ୩୧ ହଜାର ୪ଶହ ମୋଟ ୪୨ଲକ୍ଷ ୮୯ହଜାର ୨ଶହ ଟଙ୍କା ଖର୍ଚ୍ଚ ହୋଇଥିବାର ଦର୍ଶାଯାଇଛି। ଏହି ଅର୍ଥ ଖର୍ଚ୍ଚ କରାଯାଇ ୧୦ ହଜାର ବୃକ୍ଷ‌ରୋପଣ ହୋଇଥିବାର କାଗଜପତ୍ରରେ କୁହାଯାଇଛି। ମାତ୍ର ଏବେ ସ୍କୁଲ ପରିସରରେ ଖୁବକମ୍ ଗଛ ଥିବାର ଦେଖିବାକୁ ମିଳୁଛି। ସ୍କୁଲ ପାଚେରି ପରିସରରେ ଏହି ବନୀକରଣ ହୋଇଥିବାବେଳେ ଜଗୁଆଳି ମଜୁରି ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ଦେଖାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଭାଉଚର ନମ୍ବର ୪୪ରେ ୨୦୧୯ ନଭେମ୍ବର ପହିଲାରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୬ ଜଣ ଜଗୁଆଳିଙ୍କ ନାମରେ ୯୨ହଜାର ୩୮୦ ଟଙ୍କା ମଜୁରି ହଡ଼ପ କରାଯାଇଛି। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ଭାଉଚର ନମ୍ବର ୨୮ରେ ଜୁଲାଇ ପହିଲା ୨୦୧୯ରୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ୬ ଜଣ ଜଗୁଆଳିଙ୍କ ନାମରେ ୧ଲକ୍ଷ ୭୭ହଜାର ୫୦୪ ଟଙ୍କା ଆତ୍ମସାତ୍‌ କରାଯାଇଛି। ଏହି ବନୀକରଣ ବାବଦରେ ସାର କିଣା, ଗାତ ଖୋଳା, ଶ୍ରମିକ ମଜୁରି ଓ ଅନ୍ୟାନ୍ୟ କାମ ବାବଦକୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଜାଲ ଭାଉଚର ହୋଇଥିବାର ଅଭିଯୋଗ ହେଉଛି। କେତେକ ଉାଉଚରରେ ନାମର ତାଳମେଳ ନାହିଁ।

ବିଲ୍ ଜଣଙ୍କ ନାମରେ ହୋଇଥିବାବେଳେ ଅନ୍ୟ ଜଣଙ୍କୁ ପୈଠ କରାଯାଇଛି। ଭାଉଚରରେ ଦର୍ଶାଯାଇଥିବା ଜଗୁଆଳିମାନଙ୍କ ଦସ୍ତଖତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏକଲବ୍ୟ ଆବାସିକ ଆଦର୍ଶ ସ୍କୁଲର କର୍ତ୍ତୃପକ୍ଷଙ୍କୁ ପଚାରିବାରେ ସେ କହିଛନ୍ତି ଏଠାରେ ପାଚେରି ଥିବାରୁ ବନ ବିଭାଗର କୌଣସି ଜଗୁଆଳି ନାହାନ୍ତି କି ନଥିଲେ। ଗଛ ଲଗାଇବା ପରେ ରକ୍ଷଣାବେକ୍ଷଣ ଅଭାବରୁ ବହୁ ଗଛ ମରିଯାଇଛି। ଏବେ ସେ ସ୍କୁଲ ପିଲାମାନଙ୍କର ଜରିଆରେ ଗଛରେ ପାଣି ଦେଉଛନ୍ତି। ‌‌ତେବେ ଜଗୁଆଳି ବାବଦରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଛି କିଏ? ଏହି କାରବାର ଯାଜପୁରରୋଡ଼ ଠାରୁ ଆରମ୍ଭ କରି ସମସ୍ତ ୪ଟି ରେଞ୍ଜ ରେ ଚାଲିଛି। ଯାଜପୁର ଜିଲ୍ଲା ବନୀକରଣ ମହାଦୁର୍ନୀତି ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ‌ବେଳେ ସମ୍ପୃକ୍ତି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପଦୋନ୍ନତି ଦିଆଯାଇଛି। ଯାହାକି ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି। ଏହା ଭିଜିଲାନସ୍ ତଦନ୍ତ କରାଗଲେ ବହୁ ରହସ୍ୟ ଉନ୍ମୋଚନ ହୋଇପାରିବ।

ସମ୍ବନ୍ଧିତ ଖବର