ମୁକ୍ତା ଯୋଜନାରେ ଦୁର୍ନୀତି: ମୁକୁଳା ଡ୍ରେନ୍ ପ୍ରସଙ୍ଗ ଉଠାଇଲେ ବିରୋଧୀ

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା

ଭୁବନେଶ୍ବର : ମୁକ୍ତା ଯୋଜନାରେ ରାଜ୍ୟ ସରକାର ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଶହ ଶହ କୋଟିର କାମ କରୁଛନ୍ତି। ହେଲେ ବିନା ଟେଣ୍ଡରରେ ମନଇଚ୍ଛା କାମ ବଣ୍ଟା ଯାଉଛି। ଯେଉଁ ଏସ୍‌ଏଚ୍‌ଜି ବିଜେଡିକୁ ସହଯୋଗ କରୁଛନ୍ତି ସେମାନଙ୍କୁ କାମ ଦିଆଯାଉଛି। ଏସ୍‌ଏଚ୍‌ଜି ନାଁରେ କାମ ନେଉଥିଲେ ହେଁ ଠିକାଦାରକୁ କାମ ବିକି ୭.୫% ନେଉଛନ୍ତି। କାମର ଗୁଣାତ୍ମକତା ନେଇ ପ୍ରଶ୍ନ କଲେ ଠିକାଦାର କହୁଛନ୍ତି ଆମେ ତ କାମ କିଣିକି ନେଉଛୁ, ନିଜ ଲାଭ ନରଖି କ’ଣ କାମ କରିବୁ। ସବୁ ସହରରେ ମୁକୁଳା ଡ୍ରେନ୍। ଭୁବନେଶ୍ବରରେ ମୁକୁଳା ଡ୍ରେନ୍‌ରେ ପଡ଼ି କୋରିଆ ସାମ୍ବାଦିକ ଆହତ ହେଉଛନ୍ତି, ପ୍ରତିବର୍ଷ କୁନି କୁନି ପିଲାଙ୍କର ଜୀବନ ଯାଉଛି। ଆଉ କେତେ ଦିନ ଏମିତି ଲୋକ ଡ୍ରେନ୍‌ରେ ପଡ଼ି ମରିବେ? ଜାଗା ମିସନ୍‌ରେ ଲୋକଙ୍କୁ ଜମି ଆବଣ୍ଟନ ହେଉଛି। ହେଲେ ଯାହାର ଘର, ଗାଡ଼ି ଅଛି ସେମାନଙ୍କୁ ବି ଜାଗା ମିସନ୍‌ରେ ଜମି ଦିଆଯାଉଛି? ନଗର ଉନ୍ନୟନ ବିଭାଗ ସଚିବ, ବିଭାଗର ନିର୍ଦ୍ଦେଶକ ଦୀର୍ଘ ବର୍ଷ ହେଲା ଗୋଟିଏ ପଦବିରେ ଅଛନ୍ତି। ପଚାରିଲେ ଉତ୍ତର ମିଳୁଛି ଭଲ କାମ କରିଥିବାରୁ ବଦଳି ହେଉନି। ଯଦି ଅଧିକାରୀଙ୍କ ପାଇଁ ବଦଳି ଆଇନ ଲାଗୁ ହେଉନି ତେବେ ବିଧାନସଭା ସଦସ୍ୟଙ୍କର କାର୍ଯ୍ୟକାଳ କାହିଁକି ୫ବର୍ଷରେ ସରିବ। ସେମାନେ ବି ବିନା ନିର୍ବାଚନରେ ମନୋନୀତ ହୁଅନ୍ତୁ। ଆଜି ଏହିଭଳି ଢଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସର ବିଧାୟକମାନେ ସରକାରଙ୍କୁ ଘେରିଛନ୍ତି।

ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ବିଜେପି ବିଧାୟକ ସୁକାନ୍ତ ନାୟକ କହିଥିଲେ, ନଗର ଉନ୍ନୟନ ବିଭାଗ କହୁଛି ଆମେ ଲୋକଙ୍କୁ ମୁଣ୍ଡପିଛା ୧୩୫ଲିଟର ପାଣି ଯୋଗାଣ କରୁଛୁ। ପରିମାଣ ଦୃଷ୍ଟିରୁ ସରକାର ଘୋଷଣା ଅନୁଯାୟୀ ପାଣି ଦେଇପାରୁଥାନ୍ତି କିନ୍ତୁ ମାନ ଦୃଷ୍ଟିରୁ ଏହା ପିଇବା ଯୋଗ୍ୟ ନୁହେଁ। ସିଏଜି ରିପୋର୍ଟ ଅନୁଯାୟୀ, ସହରାଞ୍ଚଳରେ ଯୋଗାଣ ହେଉଥିବା ପିଇବା ପାଣିର ୩୮.୦୪% ପିଇବା ଯୋଗ୍ୟ ନୁହେଁ। ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍ ଭାବେ ହେଉନି। ଅଧିକାଂଶ ସହରାଞ୍ଚଳରେ ଆବର୍ଜନାଗୁଡ଼ିକୁ ରିସାଇକେଲିଂ କରାଯାଉନଥିବାରୁ ଡମ୍ପିଂୟାର୍ଡ ନିକଟରେ ଯାତାୟkତ କରିହେଉନି। ଦୁର୍ଗନ୍ଧରେ ନାକ ଫାଟି ଯାଉଛି। ମେ ୨୦୨୩ ପରେ ବିଏମ୍‌ସି ଭୁଆସୁଣି ଡମ୍ପିଂୟାର୍ଡରେ ଅଳିଆ ପକାଇବନି ବୋଲି ଦାରୁଠେଙ୍ଗବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା। ଏହା ପାଳନ ହେବ ତ? ଭୁବନେଶ୍ବରରେ ହୋଲଡିଂ ଟିକସ ଠିକ୍ ଭାବେ ଆଦା‌ୟ ହେଉନି। ବିଡିଏ ଅଧୀନରେ ଚିହ୍ନଟ ହୋଇଥିବା ବେଆଇନ କୋଠାଗୁଡ଼ିକୁ କେବେ ଭଙ୍ଗାଯିବ ସେନେଇ ମନ୍ତ୍ରୀ ଗୃହରେ ଉତ୍ତର ରଖିବା ଦରକାର।

ଜୟନ୍ତ ଷଡ଼ଙ୍ଗୀ କହିଥିଲେ, ମୁକ୍ତା ଯୋଜନାରେ ଏସ୍‌ଏଚ୍‌ଜିଙ୍କୁ କାମ ଦିଆଯାଉଥିଲେ ହେଁ କୌଣସି ଏସ୍‌ଏଚ୍‌ଜି କାମ କରୁନାହାନ୍ତି। ଠିକାଦାରଙ୍କୁ ୭.୫% ନେଇ କାମ ବିକ୍ରି କରୁଥିବାରୁ କାମ ଯେମିତି ହେବା କଥା ସେମିତି ହେଉନି।

ସୁବାସ ଚନ୍ଦ୍ର ପାଣିଗ୍ରାହୀ କହିଥିଲେ, ମୁକ୍ତା ଯୋଜନାରେ କୋଟି କୋଟି ଟଙ୍କାର କାମ ହେଉଛି। ହେଲେ ସବୁ ବିନା‌ ଟେଣ୍ଡରରେ।
କୁସୁମ ଟେଟେ କହିଥିଲେ, ରାଜ୍ୟ ସରକାର କହୁଛନ୍ତି ନଗର ଉନ୍ନୟନ ବିଭାଗ ୫୦ଟି ପୁରସ୍କାର ପାଇଲାଣି। ହେଲେ କାମ ତ ସେମିତି ହେଉନି। ଯଦି ପୁରସ୍କାର ରଖିବାକୁ ଜାଗା ନାହିଁ ତେବେ ଜାଗା ମିସନ୍‌ରେ ଗୋଟିଏ ଜାଗା ନେଇ ପୁରସ୍କାର ରଖନ୍ତୁ। ପୌରାଞ୍ଚଳରେ କେତେ ଶବଦାହ ଗୃହ ଅଛି ପଚାରିଲେ ମନ୍ତ୍ରୀ ଉତ୍ତର ଦେଉଛନ୍ତି, ତଥ୍ୟ ନାହିଁ। ୨୩ ବର୍ଷରେ କ’ଣ ଶବଦାହ ଗୃହ ସଂଖ୍ୟା ଗଣନା ହୋଇପାରୁନି?

ନିତ୍ୟାନନ୍ଦ ଗଣ୍ଡ କହିଥିଲେ, ମୁକ୍ତା ଯୋଜନାରେ ବିଜେଡିକୁ ସହଯୋଗ କରୁଥିବା ଏସଏଚ୍‌ଜିକୁ କାମ ଦିଆଯାଉଛି। ଏପରିକି ଯେଉଁ ଅଞ୍ଚଳରେ କାମ ହେଉଛି ସେଠାରେ ଯଦି ବିଜେଡିର ଏସଏଚ୍‌ଜି ନାହାନ୍ତି ତେବେ ବାହାର ଅଞ୍ଚଳର ଏସ୍‌ଏଚ୍‌ଜିକୁ କାମ ଦିଆଯାଉଛି। ସେମାନେ ଠିକାଦାରଙ୍କୁ କାମ ବିକ୍ରି କରି କମିସନ ନେଉଥିବାରୁ ଠିକ୍ କାମ ହେଉନି। ପ୍ରକାଶ ଚନ୍ଦ୍ର ସୋରେନ୍, ନବଚରଣ ମାଝୀ, ନାଉରୀ ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ କହିଥିଲେ, ହକି ବିଶ୍ବକପ୍ ପାଇଁ ଭୁବନେଶ୍ବର, କଟକ ଓ ରାଉରକେଲାରେ ରଙ୍ଗ ବୋଳାଗଲା। ହେଲେ ଆଜି ପର୍ଯ୍ୟନ୍ତ ମୁକୁଳା ଡ୍ରେନ୍‌ରେ ସ୍ଲାବ୍ ପଡ଼ିଲାନି। ଯେଉଁଥିପାଇଁ କୋରିଆର ଜଣେ ସାମ୍ବାଦିକ ଡ୍ରେନ୍‌ରେ ପଡ଼ିଲେ। ଏହାଦ୍ବାରା ଓଡ଼ିଶାର କି ନାମ ବଢ଼ିଲା? ଗତବର୍ଷ ବିଡ଼ାନାସୀରେ ଜଣେ ୧୦ବର୍ଷର ପିଲାର ମୃତ୍ୟୁ ହେଲା। ବାରମ୍ବାର ଦାବି ସତ୍ତ୍ବେ ଡ୍ରେନ୍‌ରେ ସ୍ଲାବ୍ ପଡ଼ିପାରୁନି, ଡ୍ରେନ୍‌ କଡ଼ରେ ଜାଲି ଲାଗିପାରୁନି, କଟକରେ ଏକ ବକ୍ସ ଡ୍ରେନ୍ ହେବା ପ‌ାଇଁ ସମୀର ଦେ ମନ୍ତ୍ରୀ ଥିବାବେଳେ ଶିଳାନ୍ୟାସ ହୋଇଥିଲା, ଏହାପରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। ଏ ବକ୍ସ ଡ୍ରେନ କେବେ ସରିବ? ବର୍ଷା ହେଲେ ଇସ୍କନ ମନ୍ଦିର ସମ୍ମୁଖରେ ବର୍ଷା ପାଣିରେ ଗାଡ଼ି ଫସିଯାଉଛି। ନଗର ଉନ୍ନୟନ ମନ୍ତ୍ରୀଙ୍କ ଗାଡ଼ି ବି ଫସିଥିଲା। ଏହାର ସମାଧାନ କେବେ ହେବ? ସେହିପରି ଅଧିକାଂଶ ପୌରସଂସ୍ଥାରେ କନିଷ୍ଠ ଯନ୍ତ୍ରୀ ଅଧୀକ୍ଷଣ ଯନ୍ତ୍ରୀ ହେବା ପର୍ଯ୍ୟନ୍ତ ସେଠାରେ ରହୁଛନ୍ତି। ସେମାନଙ୍କର ବଦଳି ହେଉନି। ବିଭାଗର ସଚିବ, ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ବହୁ ଅଧିକାରୀ ଦୀର୍ଘ ବର୍ଷ ହେଲା ଅଛନ୍ତି। ସେମାନଙ୍କ ପାଇଁ ୩ବର୍ଷିଆ ବଦଳି ନିୟମ ଲାଗୁ ହେଉନି। ଯଦି ସେମାନଙ୍କର ବଦଳି ହେଉନି ତେବେ ବିଧାନସଭା ସଦସ୍ୟମାନଙ୍କ ପାଇଁ କାହିଁକି ନିର୍ବାଚନ ହେଉଛି। ସେମାନେ ବି ଦୀର୍ଘ ବର୍ଷ ଏମିତି ରୁହନ୍ତୁ।

ସନ୍ତୋଷ ସିଂହ ସାଲୁଜା କହିଥିଲେ ରାଜ୍ୟ ସରକାର ୨୩ବର୍ଷ ଭିତରେ ପୌରସଂସ୍ଥାର ନିର୍ବାହୀ ଅଧିକାରୀମାନଙ୍କ କ୍ୟାଡର ଗଠନ କରିପାରୁନାହାନ୍ତି। ଏବେବି ଓଏଏସ୍‌, ଓଆର୍‌ଏସ୍‌, ଆଇଏଏସ୍‌ ଅଧିକାରୀଙ୍କୁ ଆଣି ବସାଉଛନ୍ତି। ଜାଗା ମିସନ୍‌ରେ ପ୍ରବଳ ଦୁର୍ନୀତି ହେଉଛି। ଏନେଇ ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କଲେ ବି ଶୁଣୁନାହାନ୍ତି।

ତାରା ପ୍ରସାଦ ବାହିନୀପତି କହିଥିଲେ, ସହର ଯେପରି ସଫା ହେବା କଥା ହେଉନି। ନଗର ଉନ୍ନୟନ ବିଭାଗ ଏଥିପାଇଁ କିଛି ଯାନ୍ତ୍ରିକ ଉପାୟ ଅବଲମ୍ବନ କରୁ। ମୁକ୍ତା ଯୋଜନାରେ ହେଉଥିବା ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ହେଉଛି। ଏହାକୁ ଧରାଯାଉ। ଜାଗା ମିସନ୍‌ରେ ଭୁବନେଶ୍ବରରେ ଦୁର୍ନୀତି ହୋଇଛି। ଜଣଙ୍କର ୩ଟି ଆପାର୍ଟମେଣ୍ଟ, ଗାଡ଼ି ଅଛି। ହେଲେ ତାଙ୍କୁ ଜାଗା ମିଳୁଛି। ମୁକୁଳା ଡ୍ରେନ୍‌ରେ ପଡ଼ି ପିଲାଙ୍କର ମୃତ୍ୟୁ ହେଉଛି। ଆଉ କେତେ ଦିନ ଏମିତି ଲୋକ ମରିବେ? ଏବେ ବହୁ ସ୍ଥାନରେ ପଞ୍ଚାୟତ ଭିତରକୁ ସହର ପଶିଗଲାଣି। ଏହାରକୁ ଏନ୍‌ଏସି, ମ୍ୟୁନିସପାଲଟିରେ ମିଶାଯାଉ। ପୌରସଂସ୍ଥା ସଂଖ୍ୟା ୨୦୦କୁ ବଢ଼ାଯାଉ। ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଲୋଚନାରେ ଭାଗ ନେଇଥିଲେ।

ବିରୋଧୀଙ୍କୁ ପାଲଟା ଜବାବ୍ ଦେଇ ବିଧାୟକ ପ୍ରତାପ ଜେନା କହିଥିଲେ, ସାରା ଭାରତରେ ଆମ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରଶଂସିତ ହେଉଛି। ୫ବର୍ଷରେ ୫୦ଟା ପୁରସ୍କାର ମିଳିଲାଣି। ହେଲେ ବିରୋଧୀଙ୍କୁ ସେଇଟା ଦେଖାଯାଉନି।

୨୦୦୦-୨୦୦୧ରେ ବିଭାଗର ବ‌େଜଟ୍ ୨୭୬କୋଟି ଥିବାବେଳେ ଏବେ ଏହା ୨୮ଗୁଣା ବଢ଼ିଛି। ୧୦୭ଟି ପୌରାଞ୍ଚଳରେ ଲୋକଙ୍କୁ ପିଇବା ପାଣି ଯୋଗାଣ ହେଲାଣି। ଡିସେମ୍ବର ସୁଦ୍ଧା ୧୧୫ଟି ଯାକ ପୌରାଞ୍ଚଳରେ ସବୁ ଘରେ ପାଇପ୍ ପାଣି ପହଞ୍ଚିବ। ଡ୍ରିଙ୍କ ଫ୍ରମ୍ ଟ୍ୟାପ୍, ଗାରିମା, ବର୍ଜ୍ୟ ପରିଚାଳନା, ଆହାର ଭଳି ଯୋଜନା ସାରା ଦେଶରେ ସ୍ବତନ୍ତ୍ର। ଶାସକ ଦଳ ପକ୍ଷରୁ ରା‌‌ଜେନ୍ଦ୍ର କୁମାର ସାହୁ, ଜ୍ୟୋତିରିନ୍ଦ୍ରନାଥ ମିତ୍ର, ସଞ୍ଜୀବ କୁମାର ମଲ୍ଲିକ, ଧ୍ରୁବ ଚରଣ ସାହୁ, କିଶୋର ଚନ୍ଦ୍ର ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର