କଟକ : ଆର୍‌ ଆଣ୍ଡ୍‌ ବି ରାସ୍ତା। କାମ କରୁଛି କଟକ ପୌର ନିଗମ (ସିଏମ୍‌ସି)। କିନ୍ତୁ, କେତେ ଟଙ୍କାର ବ୍ୟୟ ଅଟକଳରେ କାମ ହେଉଛି, ସେ ତଥ୍ୟ ଦାୟିତ୍ବରେ ଥିବା ଲୋକ ପ୍ରତିନିଧି ବି ଦେଇପାରୁ ନାହାନ୍ତି। ଅଧିକାରୀ ଓ ଯନ୍ତ୍ରୀଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ କାମ ଚାଲିଥିବା ବେଳେ ନିର୍ବାଚିତ ଲୋକ ପ୍ରତିନିଧି ଅନ୍ଧାରରେ ରହି ବି ଚୁପ୍‌! ବିନା ଟେଣ୍ଡରରେ ‘ମୁକ୍ତା ଯୋଜନା’ ହୋଇ ପାରିବ ବୋଲି ନିୟମର ଦ୍ବାହିରେ ସବୁ ନିୟମକୁ ଜଳାଞ୍ଜଳି ଦେଇ ଲୋକଙ୍କ ଟଙ୍କା ହରିଲୁଟ୍‌ ପାଇଁ ଚାଲିଥିବା ଯୋଜନା ଏବେ ସବୁ ବିବାଦର କାରଣ ହୋଇଛି। ବାଲିଯାତ୍ରା ଭିତ୍ତିଭୂମି ଦୁର୍ନୀତି ପରେ ଏବେ ମହାନଦୀ ରିଂବନ୍ଧ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ପୁଣି ଏକ ମହା ଦୁର୍ନୀତିର ଆଭାସ ଦେଇଛି। ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକୁ ସବୁ ମହଲରେ ସ୍ବାଗତ କରାଯାଉଥିବା ବେଳେ କୋଟି କୋଟି ଟଙ୍କାର କାମକୁ ଯେଭଳି ଢଙ୍ଗରେ କରାଯାଉଛି, ତାହାକୁ ନେଇ ସମାଲୋଚନାର ସ୍ବର ତୀବ୍ର ହେବାରେ ଲାଗିଛି। ମହାନଦୀ ରିଂ ବନ୍ଧ ହେଉଛି ଆର୍ ଆଣ୍ଡ୍ ବି ଅଧୀନ ଅଞ୍ଚଳ। କିନ୍ତୁ ଏହାର ସୌନ୍ଦର୍ଯ୍ୟୀକରଣ କାମ କରୁଛି ସିଏମ୍‌ସି। ଆର୍‌ ଆଣ୍ଡ୍‌ ବି କ’ଣ ନିଜେ କାମ କରିବାକୁ ଅକ୍ଷମ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି। ଯଦି ସିଏମ୍‌ସି ସୌନ୍ଦର୍ଯ୍ୟୀକରଣ କାମ ହାତକୁ ନେଇଛି, ତେବେ ସହରର ସବୁ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳର ସୌନ୍ଦର୍ଯ୍ୟୀକରଣ ନ କରି କେବଳ ମହାନଦୀ ରିଂ ବନ୍ଧ ଉପରେ ଗୁରୁତ୍ବ ଦେଉଛି କାହିଁକି? ହକି ବିଶ୍ବକପ୍ ପାଇଁ ମହାନଦୀ ରିଂ ବନ୍ଧର ଶିଖରପୁର କାଳିଆବୁଦାରୁ ବିଡ଼ାନାସୀ କଣ ଏକମାତ୍ର ରାସ୍ତା?

Advertisment

publive-image Sambad

ଏ ପ୍ରସଙ୍ଗ ଧୀରେଧୀରେ ସଂପୂର୍ଣ୍ଣ ପ୍ରକ୍ରିୟାକୁ ବିବାଦ ଭିତରକୁ ଟାଣୁ ଥିବାବେଳେ ଏବେ ସବୁ ଦୁର୍ନୀତିର ମୂଳ ‘ମୁକ୍ତା’ ବୋଲି କୁହାଯାଉଛି। ଯେଉଁ ଭଲ ଉଦ୍ଦେଶ୍ୟ ନେଇ ୨୦୨୧ରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଆରମ୍ଭ କରିଥିଲେ, ତାହା ଏବେ ଏକପ୍ରକାର ଅଧିକାରୀ ଓ ଯନ୍ତ୍ରୀଙ୍କ ମନମାନିର କାରଣ ପାଲଟିଛି। ମୁକ୍ତା ଯୋଜନାରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାମର ଟେଣ୍ଡର ଆବଶ୍ୟକତା ନଥିବା ନିୟମ ଦର୍ଶାଇ କୋଟି କୋଟି ଟଙ୍କାର କାମକୁ ଛୋଟ ଛୋଟ କରି ମନଇଚ୍ଛା କାମ ଚାଲିଛି। କଟକ ପୌର ନିଗମରେ କାମ କରାଯିବାର ଯେଉଁ ନିର୍ଦ୍ଦିଷ୍ଟ ଧାରା ରହିଛି, ତାହାକୁ ‌ବି ଏ ପ୍ରକ୍ରିୟାରେ ଫାଙ୍କି ଦିଆଯାଉଛି। ହକି ଆୟୋଜନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ହେବାର ଆବଶ୍ୟକତା ଦର୍ଶାଇ ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଏବେ କାମ ଚାଲିଛି। ମୁକ୍ତା ଯୋଜନାର ନିୟମ ଆଉ ବାସ୍ତବ ରୂପରେଖ କ’ଣ, ସେ ସଂପର୍କରେ ନିର୍ଦ୍ଦିଷ୍ଟି କିଛି ଅଧିକାରୀ ଓ ଯନ୍ତ୍ରୀଙ୍କ ମତ ହିଁ ଏବେ ସର୍ବମାନ୍ୟ ବୋଲି ଧରି ନିଆଯାଉଛି। କଟକ ପୌର ନିଗମର କୌଣସି ଲୋକ ପ୍ରତିନିଧି ଏ ସଂପର୍କରେ ସ୍ପଷ୍ଟ ହୋଇ ପାରୁ ନାହାନ୍ତି।

କଟକ ପୌର ନିଗମର ବ୍ୟବସ୍ଥା ଅନୁଯାୟୀ କୌଣସି କାମ ହେବା ପୂର୍ବରୁ ତାହା ପୂର୍ତ୍ତ ଷ୍ଟାଣ୍ଡିଂ କମିଟିରେ ଆଲୋଚନା କରାଯାଇ କାଉନସିଲ୍ ବୈଠକରେ ଉପସ୍ଥାପନ କରାଯିବା କଥା। କାଉନସିଲ୍‌ ଅନୁମୋଦନ ପରେ ତାହା କାର୍ଯ୍ୟକାରୀ କରାଯିବା କଥା। କିନ୍ତୁ ହକି ଉଦ୍‌ଘାଟନୀ ମ୍ୟାଚର ତୁରନ୍ତ ଆବଶ୍ୟକତା ଦର୍ଶାଇ ଏହାକୁ ଏଡ଼ାଇ ଦିଆଯାଇଛି। ସିଏମ୍‌ସି ପୂର୍ତ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପ୍ରଦୀପ୍ତ ଖୁଣ୍ଟିଆ କହିବା ଅନୁଯାୟୀ ରିଂ ବନ୍ଧ ସୌନ୍ଦର୍ଯ୍ୟୀକରଣରେ ନିର୍ଦ୍ଦିଷ୍ଟ ଭାବେ କେତେ ଟଙ୍କା ବ୍ୟୟ ହେଉଛି, ସେ ତଥ୍ୟ ତାଙ୍କ ପାଖ‌ରେ ନାହିଁ। ଆସନ୍ତାମାସରେ ଅନୁଷ୍ଠିତ ହେବାକୁ ଥିବା କାଉନ୍‌ସିଲ୍‌ ବୈଠକରେ ସବିଶେଷ ତଥ୍ୟ ରଖିବାକୁ କୁହାଯାଇଛି। କିନ୍ତୁ, ଆଜି ଏକ କୋର୍ଡିନେସନ୍ ବୈଠକ ବସିଥିଲା ବୋଲି ଶ୍ରୀ ଖୁଣ୍ଟିଆ ସୂଚନା ଦେଇଛନ୍ତି। ମେୟର, କମିସନର, ବିଭିନ୍ନ ବିଭାଗର ଯନ୍ତ୍ରୀଙ୍କ ଉପସ୍ଥିତିରେ ବସିଥିବା ବୈଠକରେ ଯେଉଁ ପ୍ରତି ୱାର୍ଡ ସହିତ ଯେଉଁ ୧୬ଟି ସ୍ଥାନରେ ଉଦ୍‌ଘାଟନୀ ସମାରୋହ ଦେଖିବା ବ୍ୟବସ୍ଥା ହେବ, ସେ ସଂପର୍କରେ ଆଲୋଚନା ହୋଇଛି। ସେଥିରୁ ପ୍ରତ୍ୟେକ ୱାର୍ଡ ସହିତ ୬ଟି ସ୍ଥାନର ଖର୍ଚ୍ଚ ସିଏମସି ବହନ କରିବ। ଏବଂ ୧୦ଟି ସ୍ଥାନର ଖର୍ଚ୍ଚ କ୍ରୀଡା ବିଭାଗ ବହନ କରିବ ବୋଲି ଯୋଜନା ରହିଛି। ସିଏମ୍‌ସି ଯେଉଁ ସ୍ଥାନରେ ବ୍ୟବସ୍ଥା କରିବ, ସେଠାରେ ୨ଶହ ଲୋକଙ୍କ ବସି ଏଲ୍‌ଇଡି ପରଦାରେ ଉଦଘାଟନୀ କାର୍ଯ୍ୟକ୍ରମ ଦେଖିବା ବ୍ୟବସ୍ଥା କରାଯିବ। ଏବଂ ସେମାନଙ୍କ ପାଇଁ ଚା, ଜଳଯୋଗ ବ୍ୟବସ୍ଥା ରହିବ। କିନ୍ତୁ ରିଂ ବନ୍ଧ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟରେ ନିର୍ଦ୍ଦିଷ୍ଟ ଭାବେ କେତେ ବ୍ୟୟ ହେଉଛି, ସେ ତଥ୍ୟ ପରବର୍ତ୍ତୀ ବୈଠକରୁ ଜଣାପଡ଼ିବ ବୋଲି ସେ କହିଛନ୍ତି।